IND vs NZ: ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ଭାରତ ପାଇଁ ବୁମେରାଂ ? ଦାୟୀ କିଏ ?
ଭାରତ ମାତ୍ର ୪୬ ରନରେ ଅଲଆଉଟ ହୋଇ ଲଜ୍ଜାଜନକ ରେକର୍ଡର ଅଧିକାରୀ ହୋଇଛି । ପୂର୍ବରୁ କେବେ ଟିମ ଇଣ୍ଡିଆ ଘରୋଇ ପରିବେଶରେ ୫୦ ରନ ଭିତରେ ଅଲଆଉଟ ହୋଇ ନଥିଲା। ଭାରତରେ ଦଳର ସର୍ବନିମ୍ନ ଟେଷ୍ଟ ସ୍କୋର ଥିଲା ୭୫ । ଏହା ବହୁ ପୁରୁଣା । ୧୯୮୭ରେ ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟରେ ଭାରତ ୭୫ ରନରେ ଅଲଆଉଟ ହୋଇଥିଲା। ଏବେ କିନ୍ତୁ ଭାରତ ଲଜ୍ଜାଜନକ ରେକର୍ଡର ଅଧିକାରୀ ହୋଇଛି।
ନ୍ୟୁଜିଲ୍ୟାଣ୍ଡ ପାଇଁ ମ୍ୟାଟ ହେନରୀ ୧୫ ରନରେ ୫ ୱିକେଟ ନେଇଥିବା ବେଳେ ୱିଲିୟମ ଓ'ରୁରକି ୨୨ ରନରେ ୪ ୱିକେଟ ନେଇ ବିପର୍ଯ୍ୟୟ ଘଟାଇଛନ୍ତି। ଭାରତର ବ୍ୟାଟିଂ ଲାଇନଅପ ତାସର ଘର ଭଳି ଭୁଶୁଡ଼ି ପଡ଼ିଛି। ୬ ଜଣ ଭାରତୀୟ ବ୍ୟାଟର ଖାତା ଖୋଲିବାକୁ ସକ୍ଷମ ହୋଇ ନାହାନ୍ତି। ଦୁଇ ଜଣ ବ୍ୟାଟର କେବଳ ଦୁଇ ଅଙ୍କ ଛୁଇଁ ପାରିଛନ୍ତି।

ଦଳ ପାଇଁ ସବୁଠାରୁ ଅଧିକ ରନ ଋଷଭ ପନ୍ତ ୨୦ କରିଥିବା ବେଳେ ତାଙ୍କ ପଛକୁ ଯଶସ୍ୱୀ ଜୈସୱାଲ(୧୩) ରହିଛନ୍ତି। ଦ୍ୱିତୀୟ ଦିନର ଲଞ୍ଚ ସୁଦ୍ଧା ଭାରତ ମାତ୍ର ୩୪ ରନ କରିଥିବା ବେଳେ ୬ ଜଣ ବ୍ୟାଟର ପ୍ୟାଭିଲିୟନ ଫେରି ସାରିଥିଲେ । ରୋହିତ(୨), ବିରାଟ କୋହଲି(୦), ସର୍ଫରାଜ ଖାନ(୦), କେଏଲ ରାହୁଲ(୦), ରବୀନ୍ଦ୍ର ଜାଡେଜା(୦) ଓ ରବିଚନ୍ଦ୍ରନ ଅଶ୍ୱିନ(୦) ଆଦୌ ପିଚକୁ ପଢ଼ି ପାରି ନଥିଲେ। ଦ୍ରୁତ ବୋଲରଙ୍କ ସୁଇଂରେ ଭାରତୀୟ ବ୍ୟାଟର ଘାଇଲା ହୋଇ ପ୍ୟାଭିଲିୟନ ଫେରିଥିଲେ।
ଭାରତର ଟପ୍ ୭ ବ୍ୟାଟରଙ୍କ ମଧ୍ୟରୁ ୪ ଜଣ ବ୍ୟାଟର ଖାତା ଖୋଲିବାକୁ ସକ୍ଷମ ହୋଇ ନାହାନ୍ତି। ୧୯୬୯ ପରେ ପ୍ରଥମଥର ପାଇଁ ଭାରତ ୬ ୱିକେଟ ହରାଇ ୩୪ ରନ କରିବାର ଲଜ୍ଜାମୁଣ୍ଡାଇଛି। ପୂର୍ବରୁ ୧୯୬୯ରେ ହାଇଦ୍ରାବାଦ ଟେଷ୍ଟରେ ଭାରତୀୟ ଟିମ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୬ ୱିକେଟ ହରାଇ ୨୭ ରନ କରିଥିଲା। ପନ୍ତ ଓ ଜୈସୱାଲଙ୍କୁ କିଛି ସମୟ ଛାଡ଼ି ଦେଲେ ବାକି ବ୍ୟାଟର କ୍ୱିୱି ଟିମର ସୁଇଂକୁ ବୁଝି ପାରି ନଥିଲେ।
ଗୋଟିଏ ପରେ ଗୋଟିଏ ୱିକେଟ ଝଡ଼ିବା ସହ ପ୍ରଥମେ ବ୍ୟାଟିଂ କରିବା ଭାରତ ପାଇଁ ବୁମେରାଂ ସାବ୍ୟସ୍ତ ହୋଇଥିଲା। କେବଳ ଟସ୍ ନୁହେଁ, ଭାରତ ମଧ୍ୟ ତା' ବୋଲିଂ କମ୍ବିନେସନରେ ଗୋଟିଏ ପରିବର୍ତ୍ତନ କରିଛି। କୁଲଦୀପ ଯାଦବଙ୍କ ରୂପରେ ଅତିରିକ୍ତ ସ୍ପିନରଙ୍କୁ ଖେଳାଉଛନ୍ତି।
ବେଶ କିଛି ଦିନ ଧରି ବେଙ୍ଗାଲୁରୁର ଚିନାସ୍ୱାମୀ ପିଚ୍କୁ ଘୋଡ଼ାଇ ରଖାଯାଇଥିଲା। ଏସବୁ ସତ୍ତ୍ୱେ ଭାରତୀୟ ଟିମର ଅଧିନାୟକ ରୋହିତ ଶର୍ମା ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ହେଲେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବା ଆୟୋଜକ ଭାରତ ପାଇଁ ବୁମେରାଂ ହୋଇଛି।












Click it and Unblock the Notifications