Tendulkar-Anderson Trophy: ଭାରତ-ଇଂଲଣ୍ଡ ସିରିଜ୍ ନାଁ ବଦଳିଲା, ପଟୌଦି ଟ୍ରଫି ହେଲା ତେନ୍ଦୁଲକର-ଆଣ୍ଡରସନ୍ ଟ୍ରଫି
ଜୁନ୍ ୨୦ରୁ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ ଇଣ୍ଡିଆ । ତେବେ ଗତ ୧୮ ବର୍ଷ ହେବ ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ୍ ପଟୌଦି ଟ୍ରଫି ପାଇଁ ଖେଳାଯାଉଥିଲା । କିନ୍ତୁ ଚଳିତ ଏହି ଟ୍ରଫି ନାଁକୁ ପରିବର୍ତ୍ତନ କରାଯାଇଛି । ଆଗାମୀ ଟେଷ୍ଟ ସିରିଜ୍ ଦୁଇ କ୍ରିକେଟ୍ କିମ୍ବଦନ୍ତୀ ସଚିନ୍ ତେନ୍ଦୁଲକର ଓ ଜେମ୍ସ ଆଣ୍ଡରସନ୍ଙ୍କ ନାମରେ ନାମିତ କରାଯାଇଛି ।
ସୂଚନା ଅନୁସାରେ, ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟେଷ୍ଟ କ୍ରିକେଟର ୭୫ ବର୍ଷ ପାଳନ ଅବସରରେ ପଟୌଦି ଟ୍ରଫି ପ୍ରଥମେ ୨୦୦୭ ମସିହାରେ ପ୍ରଚଳନ କରାଯାଇଥିଲା। ଏହି ଟ୍ରଫିର ନାମ ପଟୌଦି ପରିବାରଙ୍କ ନାମରେ ରଖାଯାଇଥିଲା, ଯିଏ ଭାରତୀୟ କ୍ରିକେଟକୁ ଦୁଇ ଅଧିନାୟକ - ଇଫତିଖାର ଅଲି ଖାନ ପଟୌଦି ଏବଂ ମନସୁର ଅଲି ଖାନ ପଟୌଦି ଦେଇଥିଲେ । ତେବେ, ଏଥର ସିରିଜ୍ ପଟୌଦି ଟ୍ରଫି ନାମରେ ଖେଳାଯିବ ନାହିଁ। ଏହା ବଦଳରେ, ଏହା ସଦ୍ୟ ପ୍ରଚଳିତ ତେନ୍ଦୁଲକର-ଏଣ୍ଡରସନ ଟ୍ରଫି ପାଇଁ ଖେଳାଯିବ ।

ମହାନ ବ୍ୟାଟ୍ସମ୍ୟାନ୍ ସଚିନ୍ ତେନ୍ଦୁଲକର ୧୫,୯୨୧ ରନ ସହିତ ଟେଷ୍ଟ ଇତିହାସରେ ସର୍ବାଧିକ ରନ ସ୍କୋର କରିଛନ୍ତି । ୫୨ ବର୍ଷୀୟ ଏହି ପୂର୍ବତନ ଖେଳାଳି ୧୯୮୯ ରୁ ୨୦୧୩ ମଧ୍ୟରେ ୨୦୦ ଟେଷ୍ଟ ଖେଳିଥିଲେ। ସଚିନ୍ ଟେଷ୍ଟ ଏବଂ ଦିନିକିଆ ଫର୍ମାଟରେ ଅଗଣିତ ରେକର୍ଡ ନିଜ ନାମରେ କରିଛନ୍ତି ।ସେହିପରି ଆଣ୍ଡରସନ୍ ୭୦୪ ୱିକେଟ୍ ସହିତ ଇଂଲଣ୍ଡର ସର୍ବକାଳୀନ ସର୍ବାଧିକ ୱିକେଟ୍ ନେଇଥିବା ଏବଂ ଟେଷ୍ଟ କ୍ରିକେଟରେ ସବୁଠାରୁ ସଫଳ ଦ୍ରୁତ ବୋଲର। ଏହି ଦୁଇ କିମ୍ବଦନ୍ତୀ ୧୪ ଟେଷ୍ଟ ମ୍ୟାଚ୍ରେ ପରସ୍ପରର ସାମ୍ନା କରିଥିଲେ। ଯେଉଁଥିରେ ଆଣ୍ଡରସନ୍ ସଚିନ୍ଙ୍କୁ ୯ ଥର ଆଉଟ୍ କରିଛନ୍ତି । ଏହା କୌଣସି ବୋଲରଙ୍କ ଦ୍ୱାରା ଏହି ଭାରତୀୟଙ୍କ ସର୍ବାଧିକ ଥର ଆଉଟ ହେବାର ରେକର୍ଡ ।












Click it and Unblock the Notifications