ସୁପର ଓଭର ସହ ୩-୦ରେ ଶ୍ରୀଲଙ୍କାକୁ ହରାଇ ଭାରତ ଚମତ୍କାର ବିଜୟ
ସୁପର୍ ଓଭର ବିଜୟ ସହ ଶ୍ରୀଲଙ୍କା ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ଭାରତ ୩-୦ରେ ଜିତି ନେଇଛି। ଉଭୟ ଦଳ ୧୩୭ ରନ୍ରେ ଅଟକିଯିବା ପରେ ମ୍ୟାଚ୍ ଟାଇ ରହିଥିଲା। କିନ୍ତୁ ସୁପର୍ ଓଭରରେ ୱାସିଂଟନ୍ ସୁନ୍ଦର ମାତ୍ର ୪ ବଲ୍ରେ ୨ ରନ୍ ଦେଇ ୨ ୱିକେଟ୍ ଦଖଲ କରିନେଇଥିଲେ।

ଜବାବରେ ମଥିଶା ପଥିରଣାଙ୍କ ପ୍ରଥମ ବଲ୍କୁ ସୁଇପ୍ ଚୌକା ମାରି ଅଧିନାୟକ ସୂର୍ଯ୍ୟକୁମାର ୟାଦବ ଭାରତକୁ ବିଜୟୀ କରାଇଥିଲେ। ଏଥି ସହ ଶ୍ରୀଲଙ୍କା ଜିତୁ ଜିତୁ ମ୍ୟାଚ୍ ହାରିଥିବା ବେଳେ ଭାରତ ହାରୁ ହାରୁ ମ୍ୟାଚ୍ ଜିତିଯାଇଛି। ୱାସିଂଟନ ସୁନ୍ଦର ମ୍ୟାଚ୍ର ଏବଂ ସୂର୍ଯ୍ୟକୁମାର ୟାଦବ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
ପୂର୍ବରୁ ଟସ୍ ଜିତିଥିବା ଶ୍ରୀଲଙ୍କା କ୍ଷେତ୍ରରକ୍ଷଣ କରିବା ସହ ପାୱାର ପ୍ଲେ ଭିତରେ ୪ ୱିକେଟ୍ ବାହାର କରି ନେଇଥିଲା। ନବମ ଓଭର ବେଳକୁ ଭାରତ ୪୮/୫ରେ ସଂଘର୍ଷ କରିଥିଲା। ସଂଜୁ ସାମ୍ସନ୍ (୦), ରିଙ୍କୁ ସିଂହ (୨), ସୂର୍ଯ୍ୟକୁମାର
(୮) ବିଫଳ ହେବା ଭାରତକୁ ବଡ଼ ସ୍କୋର ସୁଯୋଗ ଦେଇ ନଥିଲା। ଶୁବମନ ଗିଲ, ରିୟାନ ପରାଗ ଓ ୱାଶିଂଟନ ସୁନ୍ଦର ଉପଯୋଗୀ ପାଳି ଖେଳିବାରୁ ଭାରତ ସମ୍ମାନଜନକ ସ୍କୋର କରିଥିଲା। ଦୁଇ କୁଶଲଙ୍କ ଭଲ ବ୍ୟାଟିଂ କାରଣରୁ ଶ୍ରୀଲଙ୍କା ନିଶ୍ଚିତ ବିଜୟ ଆଡ଼କୁ ଯାଉଥିବା ବେଳେ ୱାସିଂଟନ୍ ସୁନ୍ଦର, ରିଙ୍କୁ ସିଂହ, ରବି ବିଷ୍ଣୋଇ, ସୂର୍ଯ୍ୟକୁମାର ୟାଦବ ଦୁଇଟି ଲେଖାଏଁ ୱିକେଟ୍ ନେଇ ମ୍ୟାଚ୍କୁ ଟାଇ କରି ଦେଇଥିଲେ। ଏପରିକି ଶେଷ ଓଭରରେ ୬ ବଲ୍ରୁ ୬ ରନ୍ ଆବଶ୍ୟକ ଥିବା ବେଳେ ସୂର୍ଯ୍ୟକୁମାର ୫ ରନ୍ ଦେଇ ୨ ୱିକେଟ୍ ଅକ୍ତିଆର କରିବା ରୋମାଞ୍ଚପୂର୍ଣ୍ଣ ମୁହୂର୍ତ୍ତ ଆଣି ଦେଇଥିଲା।
ସଂକ୍ଷିପ୍ତ ସ୍କୋର: ଭାରତ ୨୦ ଓଭରରେ ୧୩୭/୯ (ଶୁବମନ ଗିଲ୍-୩୯, ରିୟାନ ପରାଗ-୨୬, ୱାସିଂଟନ୍ ସୁନ୍ଦର-୨୫, ମହେଶ ତୀକ୍ଷଣା-୩/୨୮, ୱାନିନ୍ଦୁ ହସରଙ୍ଗା-୨/୨୯, ଅସିତ ଫର୍ଣ୍ଣାଣ୍ଡୋ-୧/୧୧, ଚାମିନ୍ଦୁ ବିକ୍ରମସିଂଘେ-୧/୧୭, ରମେଶ ମେଣ୍ଡିଜ୍-୧/୨୬)। ଶ୍ରୀଲଙ୍କା ୨୦ ଓଭରରେ ୧୩୭/୮ (ପଥୁମ ନିଶଙ୍କା-୨୬, କୁଶଲ ପେରେରା-୪୬, କୁଶଲ ମେଣ୍ଡିଜ୍-୪୩, ରିଙ୍କୁ ସିଂହ-୨/୩, ସୂର୍ଯ୍ୟକୁମାର ୟାଦବ-୨/୫, ୱାସିଂଟନ୍ ସୁନ୍ଦର-୨/୨୩, ରବି ବିଷ୍ଣୋଇ-୨/୩୩)।












Click it and Unblock the Notifications