IND vs WI: ଆଜି ପ୍ରଥମ ଦିନିକିଆ, ବିଶ୍ୱକପ ବିଗ୍ ଫାଇଟ୍ ପୂର୍ବରୁ ରୋହିତ ବାହିନୀର ପରୀକ୍ଷା
IND vs WI 1st ODI: ଆଜି (ଗୁରୁବାର)ଠୁ ଆରମ୍ଭ ହେବାକୁ ଯାଉଛି ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ । ସଦ୍ୟ ସମାପ୍ତ ଟେଷ୍ଟ ସିରିଜକୁ ୧-୦ରେ ଜିତିବା ପରେ ଭାରତ ଦିନିକିଆ ସିରିଜରେ ମଧ୍ୟ ଆଧିପତ୍ୟ ଜାରି ରଖିବାକୁ ଲକ୍ଷ୍ୟ ରଖିଛି ।
ଅନ୍ୟପଟେ ଏହି ଦିନିକିଆ ସିରିଜରୁ ଭାରତ ଆଗାମୀ ବିଶ୍ୱକପ ପାଇଁ ଦଳ ସଜାଡ଼ିବା ଲକ୍ଷ୍ୟରେ ରହିଛି । ସେପଟେ କିନ୍ତୁ ଦୁର୍ଭାଗ୍ୟବଶତଃ ୱେଷ୍ଟଇଣ୍ଡିଜ୍ ପ୍ରଥମଥର ପାଇଁ ଦିନିକିଆ ବିଶ୍ବକପ୍ ଖେଳିବ ନାହିଁ । ଭାରତୀୟ ସମୟ ଅନୁଯାୟୀ ଏହି ମ୍ୟାଚ ସନ୍ଧ୍ୟା ୭ ଟାରୁ ଆରମ୍ଭ ହେବ। ବାରବାଡୋସର କେନ୍ସିଙ୍ଗଟନ ଓଭାଲ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ ।

ଦଳ ସଜାଡ଼ିବ ଭାରତ: ଆସନ୍ତା ବିଶ୍ୱକପ ପୂର୍ବରୁ ଶ୍ରେଷ୍ଠ ଦଳ ପ୍ରସ୍ତୁତ କରି ରଖିବା ଭାରତ ପାଇଁ ପ୍ରଥମ କାର୍ଯ୍ୟ ହେବ । ଏକାଦଶରେ ଅନେକ ଖେଳାଳିଙ୍କୁ ସୁଯୋଗ ମିଳିବ । ବ୍ୟାଟିଂ କ୍ରମରେ ମଧ୍ୟ ଅଦଳ ବଦଳ ହେବ । ପ୍ରତ୍ୟେକ ଖେଳାଳିଙ୍କ ପାଇଁ ଉପଯୁକ୍ତ ସ୍ଥାନ ପ୍ରସ୍ତୁତ କରିବାକୁ ରୋହିତ ଶର୍ମା ଓ ଟିମ ମ୍ୟାନେଜମେଣ୍ଟ ଏହି ସିରିଜ ଜରିଆରେ ପ୍ରୟାସ କରିବେ ।
ଦଳର ଓପନିଂ ବିଭାଗ ଓ ୩ନଂ ସ୍ଥାନ ଚୂଡ଼ାନ୍ତ ହୋଇ ସାରିଛି । ଶୁଭମନ ଗିଲ୍ ଓ ରୋହିତ ଓପନ୍ କରିବେ ଓ ବିରାଟ କୋହଲି ୩ନଂ ସ୍ଥାନ ସମ୍ଭାଳିବେ । ବାକି ସ୍ଥାନଗୁଡ଼ିକ ପାଇଁ ଅନେକ ପରୀକ୍ଷା ନୀରିକ୍ଷା କରାଯିବ । ଦିନିକିଆର ଭାରତ ୩ ଜଣ ଅଲରାଉଣ୍ଡର ଖେଳାଇବା ନୀତି ଆପଣାଇଛି । ହାର୍ଦିକ ପାଣ୍ଡ୍ୟା ଓ ରବୀନ୍ଦ୍ର ଜାଡ଼େଜା ଦଳର ନିୟମିତ ସଦସ୍ୟ ହୋଇଥିବା ବେଳେ ଅକ୍ଷର ପଟେଲ ଓ ଶାର୍ଦୁଲ ଠାକୁରଙ୍କ ମଧ୍ୟରୁ ଜଣେ ଅଲରାଉଣ୍ଡର ଖେଳିବେ । କେଏଲ ରାହୁଲ ଓ ଋଷଭ ପନ୍ତ ସମ୍ପ୍ରତି ଫିଟ୍ ହୋଇ ନଥିବାରୁ ୱିକେଟ ରକ୍ଷକ ଭାବେ ଇଶାନ୍ କିଷନ୍ ଓ ସଞ୍ଜୁ ସାମ୍ସନଙ୍କ ମଧ୍ୟରୁ ଜଣେ ଖେଳିବେ ।
ବୋଲିଂ ବିଭାଗ ହେବ ବଡ ଚ୍ୟାଲେଞ୍ଜ: ସିନିୟର ପେସ୍ ବୋଲରମାନେ ଦଳରେ ନଥିବାରୁ ମହମ୍ମଦ ସିରାଜ ବୋଲିଂ ବିଭାଗର ନେତୃତ୍ୱ ନେବେ। ତାଙ୍କ ସହ ଯୁବ ପେସ୍ ବୋଲରଙ୍କୁ ସୁଯୋଗ ଦେବାକୁ ଯୋଜନା ହେଉଛି । ଫାଷ୍ଟ ବୋଲର ଉମ୍ରାନ ମଲିକ ଗୁରୁବାର ପଦାର୍ପଣ କରିବା ଆଶା କରାଯାଉଛି । ପାଣ୍ଡ୍ୟା ତୃତୀୟ ପେସ ବୋଲର ଦାୟିତ୍ୱ ନେବେ । ରବିନ୍ଦ୍ର ଜାଡେଜା ଓ ଅକ୍ଷର ପଟେଲ ସ୍ପିନ ବୋଲିଂ ଅଲ୍ରାଉଣ୍ଡର ତେଣୁ ଉଭୟଙ୍କୁ ଏକାଦଶରେ ସୁଯୋଗ ମିଳିବ । ତୃତୀୟ ସ୍ପିନର ପାଇଁ କୁଲଦୀପ ଯାଦବ ଓ ୟୁଝବେନ୍ଦ୍ର ଚହଲଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ ।

ଇଣ୍ଡିଜ୍ ଦଳ: ୱେଷ୍ଟଇଣ୍ଡିଜ୍ର ଦିନିକିଆ ଦଳ ସେପରି ଦୁର୍ବଳ ଦୁହେଁ । ଦଳରେ ନିକୋଲାସ୍ ପୁରନ୍ ଓ ଜେସନ୍ ହୋଲ୍ଡରଙ୍କ ପରି ମ୍ୟାଚ୍ ବିଜେତା ନାହାନ୍ତି ସତ, ଅନ୍ୟ ବ୍ୟାଟ୍ସମ୍ୟାନ୍ ଦଳକୁ ଜିତାଇ ପାରନ୍ତି । ତେଣୁ ଦଳକୁ ଗତ ବିଶ୍ବକପ୍ ଯୋଗ୍ୟତା ପର୍ଯ୍ୟାୟର ନିରାଶାକୁ ଭୁଲି ଏହାର ଚିରାଚରିତ ନିର୍ଭିକ କ୍ରିକେଟ ଉପରେ ଧ୍ୟାନ ଦେବାକୁ ପଡ଼ିବ ।
ଭାରତୀୟ ଦଳକୁ ବାମହାତି ବ୍ୟାଟ୍ସମ୍ୟାନ୍ ସିମ୍ରନ୍ ହେଟମେୟରଙ୍କ ପ୍ରତି ସତର୍କ ରହିବାକୁ ପଡ଼ିବ । ୪୭ଟି ଦିନିକିଆରୁ ହେଟମେୟର ୫ଟି ଶତକ ହାସଲ କରିଛନ୍ତି । ସେଥିରୁ ସେ ୨ଟି ଭାରତ ବିପକ୍ଷରେ ହାସଲ କରିଛନ୍ତି । ଦୁଇ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ବ୍ରାଣ୍ଡନ୍ କିଙ୍ଗ୍ ଓ କାଏଲ୍ ମେୟର୍ସ ଇନିଂସ ଓପନ୍ କରିବେ । ଅଧିନାୟକ ସାଇ ହୋପ୍, ହେଟମେୟର ଓ ରୋଭମ୍ୟାନ୍ ପୱେଲ ମଧ୍ୟକ୍ରମ ସମ୍ଭାଳିବେ । ବ୍ୟାଟିଂ ଅପେକ୍ଷା ୱେଷ୍ଟଇଣ୍ଡିଜ୍ର ବୋଲିଂ ବେଶ୍ ଦୁର୍ବଳ ରହିଛି ।
ଦୁଇ ଦଳର ହେଡ଼ ଟୁ ହେଡ଼ ରେକର୍ଡ: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳା ଯାଇଥିବା ମ୍ୟାଚର ରେକର୍ଡ ବିଷୟରେ ଆଲୋଚନା କଲେ, ଏପର୍ଯ୍ୟନ୍ତ ଦୁଇ ଦଳ ୧୩୯ ମ୍ୟାଚ ଖେଳା ଯାଇଛି । ଏଥିମଧ୍ୟରୁ ୱେଷ୍ଟଇଣ୍ଡିଜ ଦଳ ୬୩ ଟି ମ୍ୟାଚ୍ ଜିତିଥିବା ବେଳେ ଭାରତ ୭୦ ଟି ମ୍ୟାଚ୍ ଜିତିଛି । ଏଥି ସହିତ ୪ ଟି ମ୍ୟାଚ ଡ୍ର ହୋଇଥିବା ବେଳେ ୪ ମ୍ୟାଚରେ କୌଣସି ଫଳାଫଳ ମିଳିପାରି ନାହିଁ ।
ଶେଷଥର ଭାରତ ବିପକ୍ଷରେ ଦିନିକିଆ ଶୃଙ୍ଖଳା ୱେଷ୍ଟଇଣ୍ଡିଜ୍ ୨୦୦୬ରେ ୧୭ ବର୍ଷ ପୂର୍ବେ ଘରୋଇ ମାଟିରେ ଜିତିଥିଲା । ଶକ୍ତିଶାଳୀ ଭାରତୀୟ ଦଳ ବିପକ୍ଷରେ ୧୭ ବର୍ଷ ପରେ ଦିନିକିଆ ଶୃଙ୍ଖଳା ଜିତିବା ୱେଷ୍ଟଇଣ୍ଡିଜ୍ ପାଇଁ କଷ୍ଟସାଧ୍ୟ ହୋଇପାରେ । ପୁଣି ୨୦୧୯ ପରେ ଇଣ୍ଡିଜ୍ ବିପକ୍ଷରେ ଭାରତ କ୍ରମାଗତ ୮ଟି ଦିନିକିଆ ମ୍ୟାଚ୍ ଜିତିଛି । ୱେଷ୍ଟଇଣ୍ଡିଜ୍ ବିପକ୍ଷରେ କ୍ରମାଗତ ୧୨ଟି ଦିନିକିଆ ଶୃଙ୍ଖଳା ଜିତିଥିବା ରୋହିତ ଶର୍ମାଙ୍କ ଦଳ ଏହି ସଂଖ୍ୟାକୁ ୧୩ରେ ପହଞ୍ଚାଇବାକୁ ନିଶ୍ଚୟ ଚାହିଁବେ ।

କେଉଁଠି ଦେଖିବେ ମ୍ୟାଚ୍ ? ଭାରତ ଏବଂ ୱେଷ୍ଟଇଣ୍ଡିଜ ପ୍ରଥମ ଦିନିକିଆ ମ୍ୟାଚ୍ ଡିଡି ସ୍ପୋର୍ଟସ ଓ ଷ୍ଟାର ସ୍ପୋର୍ଟରେ ପ୍ରସାରିତ ହେବ । ଏଥି ସହିତ, ଏହି ମ୍ୟାଚର ଅନଲାଇନ ଲାଇଭ ଷ୍ଟ୍ରିମିଂ ଜିଓ ସିନେମା ଆପ୍ ଏବଂ ଫ୍ୟାନକୋଡ ଆପରେ କରାଯିବ।
- ଭାରତୀୟ ସମ୍ଭାବ୍ୟ ଏକାଦଶ: ରୋହିତ ଶର୍ମା (କ୍ୟାପଟେନ୍), ଶୁବମନ ଗିଲ୍, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ସଞ୍ଜୁ ସାମସନ/ଇଶାନ କିଷନ (ୱିକେଟ କିପର), ରବିନ୍ଦ୍ର ଜାଡେଜା, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ସିରାଜ, କୁଲଦୀପ ଯାଦବ ଏବଂ ଉମରାନ ମଲ୍ଲିକ ।
- ୱେଷ୍ଟଇଣ୍ଡିଜ ସମ୍ଭାବ୍ୟ ଏକାଦଶ: ବ୍ରାଣ୍ଡାନ କିଙ୍ଗ, କାଇଲ ମାୟର୍ସ, କେସି କାର୍ଟି, ସାଇ ହୋପ (ଅଧିନାୟକ ଓ ୱିକେଟକିପର), ଶିମ୍ରନ ହେଟମିୟର, ରୋଭମାନ ପାୱେଲ, ରୋମାରିଓ ଶେଖର, ଓଶାନ ଥୋମାସ, ଅଲଜାରି ଜୋସେଫ, କେଭିନ ସିଙ୍କଲେୟାର ଏବଂ ୟାନିକ କାରିଆ ।












Click it and Unblock the Notifications