IND VS SL: ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ୩-୦ରେ ମୂଳପୋଛ କରି ଜିତିବା ଲକ୍ଷ୍ୟରେ ଓହ୍ଲାଇବ ଭାରତ
ଆଜି ଭାରତ ବନାମ ଶ୍ରୀଲଙ୍କା ଶେଷ ଟି-୨୦ । ଶ୍ରୀଲଙ୍କା ଗସ୍ତରେ ଥିବା ଭାରତୀୟ କ୍ରିକେଟ୍ ଦଳ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ୩-୦ରେ ମୂଳପୋଛ କରି ଜିତିବା ଲକ୍ଷ୍ୟରେ ରହିଛି । ରବିବାର ରାତିରେ ବର୍ଷାବାଧାପ୍ରାପ୍ତ ଦ୍ବିତୀୟ ମ୍ୟାଚ୍କୁ ଟିମ ଇଣ୍ଡିଆ ୭ ୱିକେଟ୍ରେ ଜିତିବା ପରେ ଶୃଙ୍ଖଳାକୁ ନିଜ ପକେଟରେ ରଖିଛି । ଏବେ ନିଜ ନେତୃତ୍ବର ପ୍ରଥମ ଗସ୍ତ ଓ ଶୃଙ୍ଖଳାକୁ ଦଳ ଏକତରଫା ଭାବେ ଜିତିବା ଆଶା ରଖିଛି । ଅନ୍ୟପକ୍ଷରେ ଘରୋଇ ଦଳ ମୂଳପୋଛର ଲଜ୍ଜାକୁ ଏଡ଼ାଇବାକୁ ମଙ୍ଗଳବାର ଆଶା ରଖିବ ।
ରବିବାର ଦ୍ବିତୀୟ ମୁକାବିଲାରେ ଶ୍ରୀଲଙ୍କା ଭଲ ବ୍ୟାଟିଂ କରିଥିଲେ ମଧ୍ୟ ମିଡଲ୍ ଓଭରଗୁଡ଼ିକରେ ଭାରତ ପ୍ରତ୍ୟାବର୍ତ୍ତନ କରି ଘରୋଇ ଦଳକୁ ୧୬୧ ରନ୍ରେ ରୋକି ଦେଇଥିଲା । ମାତ୍ର ୩୧ ରନ୍ରେ ଭାରତୀୟ ବୋଲର ୭ ୱିକେଟ୍ ଝଡ଼ାଇ ଦେବାରୁ ସିଂହଳୀ ଦଳ ଆଶାମୁତାବକ ସ୍କୋର୍ କରିପାରି ନଥିଲା । ଜବାବରେ ବର୍ଷା କାରଣରୁ ଭାରତ ସମ୍ମୁଖରେ ୮ ଓଭରରେ ୭୮ ରନ୍ ଲକ୍ଷ୍ୟ ଦିଆଯାଇଥିଲା। ଭାରତ ଏହାକୁ ୬.୩ ଓଭରରେ ୩ ୱିକେଟ୍ ହରାଇ ସଂଗ୍ରହ କରି ନେଇଥିଲା ।

ପୂର୍ବରୁ ଭାରତ ପ୍ରଥମ ମ୍ୟାଚ୍ରେ ଆକ୍ରମଣାତ୍ମକ ବ୍ୟାଟିଂ କରି ୨୦୦ରୁ ଊର୍ଧ୍ବ ରନ୍ କରିବା ସହ ବଡ଼ ବ୍ୟବଧାନରେ ବିଜୟୀ ହୋଇଥିଲା। ବେକ ସମସ୍ୟାରେ ପଡ଼ି ଦ୍ବିତୀୟ ମ୍ୟାଚ୍ ଖେଳି ନଥିବା ଉପଅଧିନାୟକ ଶୁବମନ ଗିଲ୍ ମଙ୍ଗଳବାର ମ୍ୟାଚ୍ ପାଇଁ ଉପଲବ୍ଧ ହେବେ କି ନା ଏବେ ସୁଦ୍ଧା ସ୍ପଷ୍ଟ କରାଯାଇନାହିଁ। ତାଙ୍କ ବଦଳରେ ସୁଯୋଗ ପାଇଥିବା ସଂଜୁ ସାମସନ୍ ଗୋଲ୍ଡେନ ଡକ୍ (୦)ରେ ଆଉଟ୍ ହେବା ତାଙ୍କ ପ୍ରଶଂସକଙ୍କୁ ବି ନିରାଶ କରିଥିଲା। ଦୁଇଟି ପାଳିରୁ ବିସ୍ଫୋରକ ଭାବେ ୭୦ ରନ୍ ଆଦାୟ କରିଥିବା ଯଶସ୍ବୀ ଜୟସ୍ବାଲ ଶ୍ରୀଲଙ୍କା ପାଇଁ ସତର୍କ ଘଣ୍ଟି ସାଜିଛନ୍ତି। ସୂର୍ଯ୍ୟ, ହାର୍ଦିକ ମଧ୍ୟ ତାଙ୍କ ଅଭିଜ୍ଞତାର ଭରପୂର ଫାଇଦା ଉଠାଉଛନ୍ତି। ଶ୍ରୀଲଙ୍କା ବ୍ୟାଟର୍ ସ୍ପିନ୍ ବିଭାଗକୁ ଭଲ ଖେଳୁଥିଲେ ମଧ୍ୟ ରବି ବିଷ୍ଣୋଇ ରବିବାର ୩/୨୬ ପ୍ରଦର୍ଶନ ସହ ପ୍ରଭାବ ଛାଡ଼ିଛନ୍ତି। ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମଧ୍ୟ ତାଙ୍କୁ ମିଳିଥିଲା। ତେବେ ଭାରତର ମୁଖ୍ୟ ବୋଲିଂ ଅସ୍ତ୍ର ମହମ୍ମଦ ସିରାଜ ଲୟରେ ନ ରହିବା ଭାରତ ପାଇଁ ଏକମାତ୍ର ଚିନ୍ତାର କାରଣ ହୋଇଛି। ପାଲେକେଲ୍ର ସତେଜ ପିଚ୍ରେ ତୃ୍ତୀୟ ମୁକାବିଲା ଖେଳାଯିବ। କିନ୍ତୁ ପୂର୍ବ ଦୁଇ ମ୍ୟାଚ୍ ଭଳି ଏହାର ପିଚ୍ ମଧ୍ୟ ବ୍ୟାଟର୍ ଓ କ୍ରମେ ସ୍ପିନରଙ୍କୁ ସୁହାଇବ ବୋଲି ବିଶ୍ବାସ କରାଯାଉଛି।
ଜୟସ୍ବାଲ ପ୍ରଥମେ ୧୦୦୦ ରନ୍
ଭାରତୀୟ ଯୁବ ବ୍ୟାଟର୍ ଯଶସ୍ବୀ ଜୟସ୍ବାଲ ୨୦୨୪ରେ ବିଶ୍ବର ପ୍ରଥମ ଖେଳାଳି ଭାବେ ୧୦୦୦ ଅନ୍ତର୍ଜାତୀୟ ରନ୍ ପୂର୍ଣ୍ଣ କରିଛନ୍ତି। ପାଲେକେଲ୍ରେ ରବିବାର ଖେଳାଯାଇଥିବା ଦ୍ବିତୀୟ ଟ୍ବେଣ୍ଟି-୨୦ରେ ଜୟସ୍ବାଲ ୧୫ ବଲ୍ରୁ ୩୦ ରନ୍ ସଂଗ୍ରହ କରିବା ଅବସରରେ ଏହି ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି। ଚଳିତ ବର୍ଷ ମାତ୍ର ୧୩ ମ୍ୟାଚ୍ ଖେଳି ସେ ୬୩.୯୩ ହାରରେ ୧୦୨୩ ରନ୍ ସଂଗ୍ରହ କରିସାରିଛନ୍ତି। ଏହା ମଧ୍ୟରେ ୨ ଶତକ, ୫ ଅର୍ଦ୍ଧଶତକ ସାମିଲ ରହିଛି। ଶ୍ରେଷ୍ଠ ପାଳି ରହିଛି ୨୧୪* ରନ୍ର ଟେଷ୍ଟ୍ ପାଳି। ଜୟସ୍ବାଲ ଚଳିତ ବର୍ଷ ୬ ଟେଷ୍ଟ୍ରୁ ୭୪୦ ରନ୍ ଏବଂ ୭ ଟ୍ବେଣ୍ଟି-୨୦ରୁ ୨୮୩ ରନ୍ ସଂଗ୍ରହ କରିଛନ୍ତି।
ଭାରତୀୟ ଦଳ (ସମ୍ଭାବ୍ୟ): ଯଶସ୍ବୀ ଜୟସ୍ବାଲ, ସଂଜୁ ସାମସନ୍, ସୂର୍ଯ୍ୟକୁମାର ୟାଦବ (ଅଧିନାୟକ), ଋଷଭ ପନ୍ତ (ୱିକେଟରକ୍ଷକ), ରିୟାନ୍ ପରାଗ/ୱାସିଂଟନ୍ ସୁନ୍ଦର, ହାର୍ଦିକ ପାଣ୍ଡ୍ୟା, ରିଙ୍କୁ ସିଂହ, ଅକ୍ଷର ପଟେଲ୍, ରବି ବିଷ୍ଣୋଇ, ମହମ୍ମଦ ସିରାଜ, ଅଶର୍ଦୀପ ସିଂହ/ଖଲିଲ ଅହମ୍ମଦ।
ଶ୍ରୀଲଙ୍କା ଦଳ (ସମ୍ଭାବ୍ୟ): ପଥୁମ ନିଶାଙ୍କ, କୁସାଲ ମେଣ୍ଡିଜ୍ (ୱିକେଟରକ୍ଷକ), କୁସାଲ ପେରେରା, କାମିନ୍ଦୁ ମେଣ୍ଡିଜ୍, ଚରିତ ଅସଲଙ୍କା (ଅଧିନାୟକ), ଦିନେଶ ଚାନ୍ଦିମାଳ/ଅଭିଷ୍କା ଫର୍ଣ୍ଣାଣ୍ଡୋ, ୱାନିନ୍ଦୁ ହସରଙ୍ଗା, ରୋମେଶ ମେଣ୍ଡିଜ୍, ମହେଶ ତୀକ୍ଷଣା, ମଥିଶା ପଥିରଣା, ଅସିତ ଫର୍ଣ୍ଣାଣ୍ଡୋ।
ଭାରତରେ ୨୦୨୫ ଏସିଆ କପ୍
ଭାରତରେ ପୁରୁଷ ଏସିଆ କପ୍ ୨୦୨୫ରେ ଖେଳାଯିବ। ଏସୀୟ କ୍ରିକେଟ୍ ପରିଷଦରଏକ ଆଗ୍ରହ ଆମନ୍ତ୍ରଣ ପତ୍ରରୁ ଏହି ସୂଚନା ମିଳିଛି। ୨୦୨୫ରେ ଟ୍ବେଣ୍ଟି-୨୦ ଫର୍ମାଟରେ ଏସିଆ କପ୍ ଖେଳାଯିବା ପରେ ୨୦୨୭କୁ ଏହା ଦିନିକିଆ ଫର୍ମାଟକୁ ଫେରିବ ବୋଲି ଏସିସି ନିଷ୍ପତ୍ତି ନେଇଛି। ଏହି ସଂସ୍କରଣ ବାଂଲାଦେଶରେ ଖେଳାଯିବ। ରବିବାର ଶେଷ ହୋଇଥିବା ମହିଳା ଏସିଆ କପ୍ର ପରବର୍ତ୍ତୀ ସଂସ୍କରଣ ୨୦୨୬ରେ ସମାନ ଟ୍ବେଣ୍ଟି-୨୦ ଫର୍ମାଟରେ ଖେଳାଯିବ ବୋଲି କୁହାଯାଇଛି। ଅନ୍ୟ ଏକ ନିଷ୍ପତ୍ତି କ୍ରମରେ ଇଣ୍ଡିଆନ୍ କ୍ରିକେଟ୍ ସଂଘ (ଆଇସିଏ) ୨୬ ଜଣ ପୂର୍ବତନ ପ୍ରଥମ ଶ୍ରେଣୀ କ୍ରିକେଟରଙ୍କୁ ୱାନ୍ ଟାଇମ୍ ବେନିଫିଟ୍ ପ୍ରଦାନ କରାଯିବ। ୧୦ରୁ ୨୪ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିଥିବା ୭୦ ବର୍ଷରୁ ଊର୍ଧ୍ବ ବୟସର ଖେଳାଳିଙ୍କୁ ଏହି ଫାଇଦା ମିଳିବ। ସେମାନେ କିନ୍ତୁ ବିସିସିଆଇଠାରୁ ପେନସନ୍ ପାଉନଥିବା ସର୍ତ୍ତ ରଖାଯାଇଛି।
ଅଗଷ୍ଟ ୨ ତାରିଖରୁ ଆରମ୍ଭ ହେବାକୁ ଥିବା ଦିନିକିଆ ଶୃଙ୍ଖଳା ଲାଗି ଭାରତୀୟ ଦଳର ଦୁଇ ବରିଷ୍ଠ ଖେଳାଳି ରୋହିତ ଶର୍ମା ଓ ପୂର୍ବତନ ଅଧିନାୟକ ବିରାଟ କୋହଲି ସୋମବାର କଲମ୍ବୋରେ ପହଞ୍ଚିଛନ୍ତି। ଏହି ଦୁଇ ଜଣଙ୍କ ସହ ନବାଗତ ହର୍ଷିତ ରାଣା ମଧ୍ୟ କଲମ୍ବୋରେ ପହଞ୍ଚି ଖୁବ୍ ଶୀଘ୍ର ଅଭ୍ୟାସ ଆରମ୍ଭ କରିବେ। ଟ୍ବେଣ୍ଟି-୨୦ ବିଶ୍ବକପ୍ ବିଜୟୀ ଦଳର ସଦସ୍ୟ ଭାବେ ବିରାଟ କୋହଲି, ରୋହିତ ଶର୍ମା, କୁଲଦୀପ ୟାଦବ ମାସକ ପରେ ଦିନିକିଆ ଆକ୍ସନକୁ ଫେରିବେ। ଏହି ଶୃଙ୍ଖଳାରେ ମଧ୍ୟ ଶ୍ରେୟସ ଆୟରଙ୍କ ପ୍ରତ୍ୟାବର୍ତ୍ତନ ହେବ। ସୂଚନାଯୋଗ୍ୟ, ସମସ୍ତ ୩ ଦିନିକିଆ ମ୍ୟାଚ୍ କଲମ୍ବୋର ଆର୍ ପ୍ରେମଦାସା ଷ୍ଟାଡିୟମ୍ରେ ଅଗଷ୍ଟ ୨, ୪, ୭ ତାରିଖରେ ଖେଳାଯିବ।












Click it and Unblock the Notifications