IND vs SL: ଆଜିଠୁ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଟି-୨୦ ସିରିଜ, ନୂଆ କୋଚ୍ ଓ ନୂଆ କ୍ୟାପଟେନ୍
ଆଜିଠୁ ଭାରତ ଓ ଘରୋଇ ଶ୍ରୀଲଙ୍କା ମଧ୍ୟରେ ସୀମିତ ଓଭର ସିରିଜ । ନୂଆ କୋଚ୍ ଗୌତମ ଗମ୍ଭୀର ଓ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ପ୍ରଥମେ ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଟି୨୦ ସିରିଜ ଖେଳିବ। ଗମ୍ଭୀର ହେଉଛନ୍ତି ଦୁଇଥର ବିଶ୍ୱକପ୍ ବିଜେତା। ବର୍ତ୍ତମାନ ସେ ଭାରତର ନୂଆ ମୁଖ୍ୟ କୋଚ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ବେଳେ ସୂର୍ଯ୍ୟକୁମାର ବର୍ତ୍ତମାନ ଟି୨୦ ଫର୍ମାଟରେ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବ୍ୟାଟର ଭାରେ ପରିଗଣିତ ହେଉଛନ୍ତି।
ଆଇପିଏଲ୍ରେ ପ୍ରଶିକ୍ଷକ ଓ ମେଣ୍ଟର ଅଭିଜ୍ଞତା ରଖିଥିବା ଦୁଇ ଥର ବିଶ୍ବବିଜେତା ଗମ୍ଭୀରଙ୍କ ପାଇଁ ଆଗାମୀ ୨୦୨୬ ଟ୍ବେଣ୍ଟି-୨୦ ବିଶ୍ବକପ୍ ଲାଗି ଏକ ଦୃଢ଼ ଦଳ ଗଠନର ଲକ୍ଷ୍ୟ ରହିଛି। ଅନ୍ୟପକ୍ଷରେ ଟ୍ବେଣ୍ଟି-୨୦ ବିଶ୍ବକପ୍ ବିଜୟ ପରେ ଅବସର ନେଇଥିବା ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ନେତୃତ୍ବ ସ୍ଥାନ ନେବା ସୂର୍ଯ୍ୟଙ୍କ ପାଇଁ ଆହ୍ବାନ ରହିଛି। କାରଣ ବିଶ୍ବକପ୍ରେ ଉପଅଧିନାୟକ ଥିବା ଅଲ୍ରାଉଣ୍ଡର ହାର୍ଦିକ ପାଣ୍ଡ୍ୟାଙ୍କ ବଦଳରେ ସୂର୍ଯ୍ୟଙ୍କ ଉପରେ ଚୟନକର୍ତ୍ତା ଭରସା କରିଛନ୍ତି। ଉପଅଧିନାୟକ ଦାୟିତ୍ବରେ ଶୁବମନ ଗିଲ୍ ରହିଛନ୍ତି। ଗିଲ୍ଙ୍କ ନେତୃତ୍ବରେ ଭାରତ ନିକଟରେ ଶେଷ ହୋଇଥିବା ଜିମ୍ବାୱେ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ୪-୧ରେ ଜିତିଥିଲା। ଗିଲ୍ ଓ ଜୟସ୍ବାଲ ଓପନିଂ ଦାୟିତ୍ବ ସମ୍ଭାଳିବା ପ୍ରାୟ ନିଶ୍ଚିତ ରହିଛି।
ଗମ୍ଭୀର ଦୁଇଥର ଅଧିନାୟକ ଏବଂ ଥରେ ମେଣ୍ଟର ଭାବେ କୋଲକାତା ନାଇଟ ରାଇଡର୍ସ ସହ ୩ଥର ଆଇପିଏଲ୍ ଟାଇଟଲ ଜିତିପାରିଛନ୍ତି।

ଲୋକପ୍ରିୟ ରାହୁଲ ଡ୍ରାଭିଡଙ୍କ ସ୍ଥାନରେ ସେ ନୂଆ ଦାୟିତ୍ୱ ଗ୍ରହଣ କରିଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଏଡାଇ ଅଧିନାୟକ ଭାବେ ଅଭିଜ୍ଞତା ନ ଥିବା ସୂର୍ଯ୍ୟକୁମାରଙ୍କୁ ଯେତେବେଳେ ଅଧିନାୟକ ଭାବେ ମନୋନୀତ କରାଗଲା ସେତେବେଳେ ଏହାକୁ ନେଇ ଅନେକେ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ। ଭାରତ ଓ ଶ୍ରୀଲଙ୍କା ୨୦୨୬ରେ ପରବର୍ତ୍ତୀ ଟି୨୦ ବିଶ୍ୱକପ୍ର ଆୟୋଜକ ଅଛନ୍ତି।
ଗତ ମାସରେ ଭାରତର ବିଶ୍ୱକପ୍ ସଫଳତା ପରେ ଅନ୍ତର୍ଜାତୀୟ ଟି୨୦ରୁ ରୋହିତ ଶର୍ମା, ବିରାଟ କୋହଲି ଓ ରବୀନ୍ଦ୍ର ଜାଡେଜାଙ୍କ ଇସ୍ତଫା ପରେ ଦଳର ପୁନର୍ଗଠନ ଲାଗି ଚୟନକର୍ତ୍ତାମାନଙ୍କୁ ଯଥେଷ୍ଟ ସମୟ ଦିଆଯାଇଛି। ଯୁବ ବ୍ୟାଟର ଶୁବମନ ଗିଲ୍ଙ୍କୁ ହ୍ବାଇଟ୍ ବଲ ଫର୍ମାଟରେ ଉପ ଅଧିନାୟକ ଦାୟିତ୍ୱ ତୁଲାଇବାର ସୁଯୋଗ ମିଳିଛି।
ଭାରତର ଅଲରାଉଣ୍ଡର ଡିପାର୍ଟମେଣ୍ଟରେ ମଧ୍ୟ ପାଣ୍ଡ୍ୟା, ଶିବମ ଦୁବେ ଏବଂ ଫର୍ମରେ ଥିବା ଓ୍ବାଶିଂଟନ ସୁନ୍ଦରଙ୍କ ଭଳି ଖେଳାଳି ରହିଛନ୍ତି। ଯଶପ୍ରୀତ ବୁମ୍ରାଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ଦଳରେ ଅର୍ଶଦୀପ ସିଂ ଓ ମହମ୍ମଦ ସିରାଜ ଯୋଡ଼ିଙ୍କୁ ନିଆଯାଇଛି। ପାଲିକେଲ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମର ପେସ୍ ଓ ବାଉନ୍ସ ପିଚ୍ ଉଭୟଙ୍କୁ ବେଶ୍ ସୁହାଇବ ବୋଲି ଆଶା କରାଯାଉଛି। ଅନ୍ୟପକ୍ଷରେ ୨୦୧୪ ଟି୨୦ ବିଶ୍ୱକପ୍ ବିଜେତା ଶ୍ରୀଲଙ୍କା ଦଳ ବର୍ତ୍ତମାନ ଏକ ଖରାପ ସମୟ ଦେଇ ଗତି କରୁଛି।
ବିଶ୍ବମାନ୍ୟତାର ୧ ନମ୍ବର ସ୍ଥାନରେ ଥିବା ଭାରତକୁ ୮ ନମ୍ବର ଶ୍ରୀଲଙ୍କା ମୁକାବିଲା କରିବାକୁ ପୂରା ପ୍ରସ୍ତୁତ ରହିଛି। ଏହି ଘରୋଇ ଦଳ ମଧ୍ୟ ନୂଆ ପ୍ରଶିକ୍ଷକ ଓ ଅଧିନାୟକ ସହ ପଡ଼ିଆକୁ ଓହ୍ଲାଇବ। ଟ୍ବେଣ୍ଟି-୨୦ ବିଶ୍ବକପ୍ ଗ୍ରୁପ୍ ପର୍ଯ୍ୟାୟରୁ ବିଦାୟ ନେଇଥିବା ଶ୍ରୀଲଙ୍କାର ପ୍ରଶିକ୍ଷକ ଦାୟିତ୍ବରେ କିଂବଦନ୍ତି ଓପନର୍ ସନଥ ଜୟସୂରିଆ ରହିଥିଲା ବେଳେ ଚରିଥ ଅସଲଙ୍କା ଅଧିନାୟକ ଅଛନ୍ତି। ଶ୍ରୀଲଙ୍କାର ସବୁଠୁ ଅଧିକ ସ୍କୋର୍ ହେଉଥିବା ପଡ଼ିଆରେ ଏହି ମ୍ୟାଚ୍ ଖେଳାଯିବ। ତେଣୁ ଦଳ ତାରକା ବୋଲର ଦୁଷ୍ମନ୍ତ ଚାମିରା ଓ ନୁୱାନା ତୁଷାରାଙ୍କ ଅନୁପସ୍ଥିତ ନିଶ୍ଚିତ ଅନୁଭବ କରିବ। ୨୦୧୪ ଟ୍ବେଣ୍ଟି-୨୦ ବିଶ୍ବକପ୍ ବିଜେତା ଶ୍ରୀଲଙ୍କା ସଂପ୍ରତି ସଂଘର୍ଷ କରୁଥିଲେ ମଧ୍ୟ ପୂର୍ବତନ ଅଧିନାୟକ ଦସୁନ ଶଣକା, କୁସାଲ ମେଣ୍ଡିସ ଓ ଦୀନେଶ ଚାନ୍ଦିମାଳଙ୍କୁ ନେଇ ବିଜୟ ଆଶାରେ ରହିବ। ଉଭୟ ଦଳ ୨୯ ଟେଣ୍ଟି-୨୦ ମ୍ୟାଚ୍ ଖେଳିଥିଲା ବେଳେ ଭାରତ ୧୯ ଓ ଶ୍ରୀଲଙ୍କା ୯ଟିରେ ବିଜୟୀ ହୋଇଛନ୍ତି। ଅନ୍ୟ ମ୍ୟାଚ୍ଟି ଫଳଶୂନ୍ୟ ରହିଥିଲା।
ଗତ ସଂସ୍କରଣରେ ଦଳ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲା। ଫଳତଃ ଅଧିନାୟକ ଓ୍ବାନିନ୍ଦୁ ହସରଙ୍ଗା, କୋଚ୍ କ୍ରିସ ସିଲ୍ଭରଉଡ୍ ଏବଂ ପରାମର୍ଶଦାତା ମାହେଲା ଜୟବର୍ଦ୍ଧନେ ପ୍ରମୁଖଙ୍କୁ ସେମାନଙ୍କ ପଦବୀରୁ ଇସ୍ତଫା ଦେବାକୁ ହୋଇଛି। ଶ୍ରୀଲଙ୍କା ବର୍ତ୍ତମାନ ପାଇଁ ପୂର୍ବତନ ଅଧିନାୟକ ତଥା ବିସ୍ଫୋରକ ବ୍ୟାଟର ସନଥ ଜୟସୁରିୟାଙ୍କୁ କାମଚଳା କୋଚ ଭାବେ ନିଯୁକ୍ତି ଦେଇଛି।
ସମ୍ଭାବ୍ୟ ଭାରତୀୟ ଦଳ: ଶୁବମନ ଗିଲ୍, ଯଶସ୍ବୀ ଜୟସ୍ବାଲ, ସୂର୍ଯ୍ୟକୁମାର ୟାଦବ, ରିଙ୍କୁ ସିଂହ, ହାର୍ଦିକ ପାଣ୍ଡ୍ୟା, ୱାସିଂଟନ ସୁନ୍ଦର, ଅକ୍ଷର ପଟେଲ, ଋଷଭ ପନ୍ତ, ଅର୍ଶଦୀପ ସିଂହ, ରବି ବିଷ୍ଣୋଇ, ମହମ୍ମଦ ସିରାଜ।
ସମ୍ଭାବ୍ୟ ଶ୍ରୀଲଙ୍କା ଦଳ: ଅଭିସ୍କା ଫର୍ଣ୍ଣାଣ୍ଡୋ, ଚରିତ ଅସଲଙ୍କା, ପଥୁମ ନିଶଙ୍କା, ୱାନିନ୍ଦୁ ହସରଙ୍ଗା, ଦସୁନ ଶଣକା, କୁସାଲ ମେଣ୍ଡିସ, ଦୀନେଶ ଚାନ୍ଦିମାଳ, ମଥିଶା ପଥିରଣା, ମହେଶ ତୀକ୍ଷଣା, ଦୁନିଥ ୱେଲାଲଗେ, ବିନୁରା ଫର୍ଣ୍ଣାଣ୍ଡୋ।
ଯୋଗଦେଲେ ସହଯୋଗୀ ପ୍ରଶିକ୍ଷକ ଡସେଟ
ପୂର୍ବତନ ନେଦରଲାଣ୍ଡ୍ସ ଖେଳାଳି ରିଆନ୍ ଟେନ ଡସେଟ ଶ୍ରୀଲଙ୍କାରେ ଭାରତୀୟ ଦଳ ସହ ଯୋଗ ଦେଇଛନ୍ତି। ମୁଖ୍ୟପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ସହ ସହଯୋଗୀ ଭାବେ ସେ ଯୋଗ ଦେଇଛନ୍ତି। ସେ ଶୁକ୍ରବାର ଭାରତୀୟ ଅଭ୍ୟାସ ଅଧିବେଶନରେ ଉପସ୍ଥିତ ଥିଲେ। ଏହି ନେଦରାଲାଣ୍ଡ୍ସ ଖେଳାଳି କୋଲ୍କାତା ନାଇଟ୍ ରାଇଡର୍ସର ପ୍ରଶିକ୍ଷକ ମଣ୍ଡଳିରେ ମେଣ୍ଟର ଗମ୍ଭୀରଙ୍କ ସହ ଥିଲେ। ଏଥିସହ ସେ ମଧ୍ୟ ଗମ୍ଭୀରଙ୍କ ନେତୃତ୍ବରେ କୋଲ୍କାତା ପକ୍ଷରୁ ଆଇପିଏଲ୍ ଖେଳିଛନ୍ତି।












Click it and Unblock the Notifications