IND vs SA: ଦିନିକିଆ ସିରିଜ ପାଇଁ ନିଜକୁ 'ଉପଲବ୍ଧ' ରଖିଲେନି ବିରାଟ
ଭାରତ ବନାମ ଦକ୍ଷିଣ ଆଫ୍ରିକା (IND vs SA) ମଧ୍ୟରେ ଦ୍ବିପାକ୍ଷିକ ସିରିଜ୍ 26 ଡିସେମ୍ବରରୁ ଆରମ୍ଭ ହେବାକୁ ଯାଉଛି । ଏହି ସିରିଜ୍ ଆରମ୍ଭ ପୂର୍ବରୁ ଅନେକ ବିବାଦ ସାମ୍ନାକୁ ଆସିବାରେ ଲାଗିଲାଣି ।
ନୂଆଦିଲ୍ଲୀ: ଭାରତ ବନାମ ଦକ୍ଷିଣ ଆଫ୍ରିକା (IND vs SA) ମଧ୍ୟରେ ଦ୍ବିପାକ୍ଷିକ ସିରିଜ୍ 26 ଡିସେମ୍ବରରୁ ଆରମ୍ଭ ହେବାକୁ ଯାଉଛି । ଏହି ସିରିଜ୍ ଆରମ୍ଭ ପୂର୍ବରୁ ଅନେକ ବିବାଦ ସାମ୍ନାକୁ ଆସିବାରେ ଲାଗିଲାଣି । ସଦ୍ୟତମ ସୂଚନା ଅନୁଯାୟୀ, ବିରାଟ କୋହଲି ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରୁ ଓହରିଯିବାକୁ ନିଷ୍ପତ୍ତି ନେଇଛନ୍ତି। ବିରାଟ କୋହଲି ଦକ୍ଷିଣ ଆଫ୍ରିକା ଭ୍ରମଣ କରିବାକୁ ଯାଉଥିବା ଟେଷ୍ଟ ଦଳର ଏକ ଅଂଶ ଏବଂ ଏହାର ଅଧିନାୟକ ମଧ୍ୟ ଅଛନ୍ତି । କିନ୍ତୁ ସେ ଦିନିକିଆ ଦଳରେ ଖେଳିବେ ନାହିଁ ବୋଲି କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ) କୁ କହିଛନ୍ତି।

ଭାରତ ବନାମ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ସିରିଜ୍ ପୂର୍ବରୁ ବିସିସିଆଇ ଉଭୟ ସୀମିତ ଓଭର ଫର୍ମାଟରେ ରୋହିତ ଶର୍ମାଙ୍କୁ ଅଧିନାୟକତ୍ୱ ହସ୍ତାନ୍ତର କରିବାର ନିଷ୍ପତ୍ତି ପରେ ଅନେକ ଚର୍ଚ୍ଚା ଚାଲିଛି। ତେବେ ବିରାଟ କୋହଲି ନିଜେ ଏପର୍ଯ୍ୟନ୍ତ ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି। କୁହାଯାଉଛି ଯେ, ଦକ୍ଷିଣ ଆଫ୍ରିକା ବିପକ୍ଷ 3 ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜକୁ ଏଡ଼ାଇବା ପାଇଁ ତାଙ୍କ ନିଷ୍ପତ୍ତି ଅଧିନାୟକତ୍ୱର ପରିବର୍ତ୍ତନ ସହିତ କୌଣସି ସମ୍ପର୍କ ନାହିଁ।
ଝିଅ ଜନ୍ମଦିନ ପାଇଁ ଏହି ଛୁଟି !
'ଟାଇମ୍ସ ଅଫ୍ ଇଣ୍ଡିଆ'ର ଏକ ରିପୋର୍ଟ ଅନୁଯାୟୀ ବିରାଟ ତାଙ୍କ ଝିଅ ଭମିକାଙ୍କ ପ୍ରଥମ ଜନ୍ମଦିନ ପାଳନ କରିବାକୁ ସମୟ ଚାହୁଁଛନ୍ତି। ଭମିକା ଗତ ବର୍ଷ ଜାନୁଆରୀ 11 ରେ ଜନ୍ମଗ୍ରହଣ କରିଥିଲେ ଏବଂ ଟେଷ୍ଟ ସିରିଜ ଶେଷ ହେବା ପରେ ଭାରତୀୟ ଟେଷ୍ଟ ଅଧିନାୟକ ତାଙ୍କ ପରିବାର ସହିତ ଛୁଟି କାଟିବାକୁ ଯୋଜନା କରୁଥିବା କୁହାଯାଉଛି । ଏହି ଭ୍ରମଣର ଅନ୍ତିମ ଟେଷ୍ଟ ଜାନୁଆରୀ 11 ରୁ 15 ପର୍ଯ୍ୟନ୍ତ ଖେଳାଯିବ । ଜାନୁଆରୀ 19 ରୁ ଦିନିକିଆ ସିରିଜ୍ ଆରମ୍ଭ ହେବ ।
ଟେଷ୍ଟ ସିରିଜରୁ ରୋହିତ ଶର୍ମା ଆଉଟ୍
ସାମ୍ପ୍ରତିକ ସମୟରେ ଭାରତୀୟ କ୍ରିକେଟରେ ଘଟଣା ଅତ୍ୟନ୍ତ ନାଟକୀୟ ହୋଇଛି । ଏହାପୂର୍ବରୁ ରୋହିତ ଶର୍ମା ହାମଷ୍ଟ୍ରିଂ ଆଘାତ ହେତୁ ପୁରା ଟେଷ୍ଟ ସିରିଜରୁ ବାଦ ପଡିଛନ୍ତି। ତେବେ ଦିନିକିଆ ସିରିଜ୍ ପାଇଁ 'ହିଟମ୍ୟାନ୍' ସମ୍ପୂର୍ଣ୍ଣ ଫିଟ୍ ହେବ ବୋଲି ଆଶା କରାଯାଉଛି । ଏବେ ଦେଖାଯାଉଛି ଯେ, କୋହଲି ଦକ୍ଷିଣ ଆଫ୍ରିକାରେ ଦିନିକିଆ ସିରିଜ୍ ଖେଳିବେ ନାହିଁ । ଏଭଳି ପରିସ୍ଥିତିରେ ଉଭୟ ବିରାଟ କୋହଲି ଏବଂ ରୋହିତ ଶର୍ମା ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବେ । କିନ୍ତୁ ଏକାଠି ଖେଳୁଥିବା ଦେଖିବାକୁ ମିଳିବ ନାହିଁ।

ମୁମ୍ବାଇ ଅଭ୍ୟାସ ଅଧିବେଶନରେ ବିରାଟ ଅନୁପସ୍ଥିତ
ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସରେ ଖେଳାଳିଙ୍କ ପାଇଁ ଏକ ତିନି ଦିନିଆ ଶିବିର ଆୟୋଜନ କରାଯାଇଥିଲା। ଏହି ଶିବିରରେ ରୋହିତ ଶର୍ମା, ଶାର୍ଦ୍ଦୁଲ ଠାକୁର, ଋଷଭ ପନ୍ତ ଏବଂ ଅନ୍ୟ ଖେଳାଳି ଉପସ୍ଥିତ ଥିଲେ । କିନ୍ତୁ କୋହଲି ଏଥିରେ ଅଂଶଗ୍ରହଣ କରିନଥିଲେ। ଅଧିକାରୀମାନେ ଦାବି କରିଛନ୍ତି ଯେ, କୋହଲିଙ୍କୁ ଏ ବିଷୟରେ ଅବଗତ କରାଯାଇଥିଲା । କିନ୍ତୁ ନ ଆସିବାକୁ ନିଷ୍ପତ୍ତି ନେଇଥିଲେ। ବିସିସିଆଇର ଅଧିକାରୀ ମଧ୍ୟ ଇନସାଇଡ୍ ସ୍ପୋର୍ଟକୁ କହିଛନ୍ତି ଯେ, ଅନେକ କଲ୍ କରାଯାଇଥିଲା । କିନ୍ତୁ ସେ ଉତ୍ତର ଦେଇ ନଥିଲେ ।
ବିରାଟ ବିରକ୍ତ ଅଛନ୍ତି କି ?
ଗତ ସପ୍ତାହରେ ରୋହିତ ଶର୍ମାଙ୍କ ସପକ୍ଷରେ ବିରାଟ କୋହଲିଙ୍କୁ ଦିନିକିଆ ଅଧିନାୟକ ପଦରୁ ବରଖାସ୍ତ କରାଯାଇଥିଲା। ଭାରତର ଧଳା ବଲ ଅଧିନାୟକ ଭାବରେ ରୋହିତ ଶର୍ମା ନାମିତ ହୋଇଥିଲେ। କୋହଲି ଏହା ଉପରେ କୌଣସି ପ୍ରତିକ୍ରିୟା ଦେଇ ନାହାଁନ୍ତି କିମ୍ବା ଏହି ପ୍ରସଙ୍ଗରେ କୌଣସି ବିବୃତ୍ତି ରଖି ନାହାଁନ୍ତି। ବିରାଟ କୋହଲି ସୋସିଆଲ ମିଡିଆ ମାଧ୍ୟମରେ ରୋହିତ ଶର୍ମାଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇ ନାହାଁନ୍ତି। ଭାରତୀୟ ଟେଷ୍ଟ ଅଧିନାୟକ ପୂର୍ବପରି ସୋସିଆଲ ମିଡିଆରେ ସକ୍ରିୟ ଅଛନ୍ତି । କିନ୍ତୁ ଏହି ପ୍ରସଙ୍ଗରେ କିଛି ଲେଖି ନାହାଁନ୍ତି।
ଅଧିନାୟକତ୍ୱରୁ ହଟାଇବାର କାରଣ ?
ବିସିସିଆଇ ଏବଂ ଚୟନକର୍ତ୍ତାଙ୍କ ସହମତିରେ ବିରାଟ କୋହଲିଙ୍କୁ ଅଧିନାୟକତ୍ୱରୁ ହଟାଇବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ସୌରଭ ଗାଙ୍ଗୁଲି କହିଛନ୍ତି। ବିସିସିଆଇ ପୂର୍ବରୁ ବିରାଟଙ୍କୁ ଟି-20 ଦଳର ଅଧିନାୟକତ୍ୱ ନ ଛାଡିବାକୁ ଅନୁରୋଧ କରିଥିଲା । କିନ୍ତୁ ସେ ଏଥିରେ ରାଜି ହୋଇନଥିଲେ। ଏଭଳି ପରିସ୍ଥିତିରେ ଚୟନକର୍ତ୍ତାମାନେ ମଧ୍ୟ ଅନୁଭବ କରିଥିଲେ ଯେ ଦିନିକିଆ ଏବଂ ଟି-20 ଦଳ ପାଇଁ ଭିନ୍ନ ଭିନ୍ନ ଅଧିନାୟକ ରହିବା ଠିକ୍ ହେବ ନାହିଁ । ତେଣୁ ନିଷ୍ପତ୍ତି ନିଆଯାଇଛି ଯେ, ବିରାଟ ଟେଷ୍ଟ ଦଳର ଅଧିନାୟକ ରହିବେ ଏବଂ ରୋହିତ ଶର୍ମା ଉଭୟ ଟି-20 ଏବଂ ଦିନିକିଆ ଫର୍ମାଟରେ ଦଳର ଅଧିନାୟକତ୍ୱ ଦାୟିତ୍ବା ଗ୍ରହଣ କରିବେ।
ସୂଚନାଥାଉ କି, ବିରାଟ କୋହଲିଙ୍କ ନେତୃତ୍ୱରେ ଟେଷ୍ଟ ଦଳ ମୁମ୍ବାଇରେ ତିନି ଦିନିଆ କ୍ୟାରାଣ୍ଟିନ୍ ପରେ 16 ଡିସେମ୍ବରରେ ଦକ୍ଷିଣ ଆଫ୍ରିକା ଗସ୍ତକୁ ଯିବେ। ତିନୋଟି ଟେଷ୍ଟ ମଧ୍ୟରୁ ପ୍ରଥମଟି ବକ୍ସିଂ ଡେ (26 ଡିସେମ୍ବର) ରେ ସେଞ୍ଚୁରିଅନରେ ଆରମ୍ଭ ହେବ ।












Click it and Unblock the Notifications