IND vs SA: ବରୁଣ ଚକ୍ରବର୍ତ୍ତୀଙ୍କ ଘାତକ ବୋଲିଂ ବେକାର, ସଂଘର୍ଷ କରି ହାରିଲା ଭାରତ
ସଂଘର୍ଷ କରି ହାରିଲା ଭାରତ । ଛୋଟ ସ୍କୋରିଂ ମ୍ୟାଚ୍ରେ ସ୍ପିନର ବରୁଣ ଚକ୍ରବର୍ତ୍ତୀ ଘାତକ ବୋଲିଂ ପରେ ବି ହାରିଲା ଟିମ୍ ଇଣ୍ଡିଆ। ଦକ୍ଷିଣ ଆଫ୍ରିକାର ଗକବେରହାରେ ଖେଳା ଯାଇଥିବା ୨ୟ ଟି-୨୦ ରୋମାଞ୍ଚକର ମ୍ୟାଚ୍ରେ ଘରୋଇ ଦଳ ୩ ଓ୍ଵିକେଟ୍ରେ ବିଜୟ ହାସଲ କରିଛି । ବରୁଣ ଚକ୍ରବର୍ତ୍ତୀଙ୍କ ଘାତକ ବୋଲିଂ(୫ ଓ୍ଵିକେଟ୍) ବୃଥା ହୋଇଛି। ଟ୍ରିଷ୍ଟନ ଟବ୍ସ ଅପରାଜିତ ୪୭ ରନର ଇନିଂସ ଖେଳି ଭାରତ ମୁହଁରୁ ବିଜୟ ଛଡ଼ାଇ ଆଣିଥିଲେ । ଏହି ବିଜୟରେ ଗେରାଲ୍ଡ କୋଏତଜି ୧୯ ରନର ମହତ୍ଵପୂର୍ଣ୍ଣ ଯୋଗଦାନ ଦେଇଛନ୍ତି।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍ ହରାଇ ୧୨୪ ରନ କରିଥିଲା। ଦଳ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ୩୯ ରନ ଓ ଅକ୍ଷର ପଟେଲ୍ ୨୭ ରନ କରିଥିଲେ । ତେବେ ଏହାର ଜବାବରେ ଦକ୍ଷିଣ ଆଫ୍ରିକା ୧୯ ଓଭରରେ ୭ ଓ୍ଵିକେଟ୍ରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି ।

ଦକ୍ଷିଣ ଆଫ୍ରିକାର ଏହି ବିଜୟ ସହ ଚାରି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ୧-୧ରେ ବରାବର ରହିଛି। ଭାରତ ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ମାତ୍ର ୧୭ ରନ ଦେଇ ୫ ଓ୍ଵିକେଟ୍ ଅକ୍ତିକାର କରିଥିଲେ। ଏଥିସହ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ଵରେ ଲଗାତାର ୧୧ ଟି-୨୦ ଜିତି ଆସିଥିବା ଭାରତୀୟ ଦଳର ବିଜୟରେ ବ୍ରେକ ଲାଗିଛି।
୧୨୫ ରନର ଛୋଟ ବିଜୟ ଲକ୍ଷ୍ୟ ପିଛା କରିବା ଘରୋଇ ଦଳକୁ ସେତେଟା ସହଜ ନ ଥିଲା। ୨୨ ରନ ସ୍କୋରରେ ରିୟାନ ରିକେଲଟନ(୧୩)ଙ୍କୁ ଅର୍ଶଦୀପ ଆଉଟ୍ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଏହା ପରେ ଘରୋଇ ଦଳର ବ୍ୟାଟିଂ ବିପର୍ଯ୍ୟୟ କରାଇଥିଲେ ବରୁଣ ଚକ୍ରବର୍ତ୍ତୀ। ଏହି ସ୍ପିନର ଘାତକ ବୋଲିଂ କରି ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିବା ସହ ଭାରତକୁ କେବଳ ମ୍ୟାଚ୍ରେ ପ୍ରତ୍ୟାବର୍ତ୍ତନ କରାଇ ନ ଥିଲେ ବରଂ ବିଜୟ ସମ୍ଭାବନା ବଢାଇଥିଲେ। ବରୁଣ ଚକ୍ରବର୍ତ୍ତୀ ଅଧିନାୟକ ଆଡନ ମାରକ୍ରମ(୩), ରିଜା ହେଣ୍ଡରିକ୍ସ(୨୪), ମାର୍କୋ ଜନସେନ(୭), ହେନରିକ କ୍ଲାସେନ(୨) ଓ ଡେଭିଡ୍ ମିଲର(୦)ଙ୍କୁ ଶିକାର କରି ୫ ଓ୍ଵିକେଟ୍ ନେଇଥିଲେ।
୮୬ ରନରେ ୭ ଓ୍ଵିକେଟ୍ ହରାଇ ପରାଜୟର ଆଶଙ୍କାରେ ପଡ଼ିଥିଲା ଦକ୍ଷିଣ ଆଫ୍ରିକା। ଗୋଟିଏ ପଟେ ଦଳ ନିୟମିତ ଓ୍ଵିକେଟ୍ ହରାଇଥିବା ବେଳେ ଅନ୍ୟପଟେ ଟ୍ରିଷ୍ଟନ ଟବ୍ସ ଖୁଣ୍ଟ ଭଳି କ୍ରିଜରେ ଜମିଥିଲେ। ସେ ଅଷ୍ଟମ ଓ୍ଵିକେଟ୍ରେ ଗେରାଲ୍ଡ କୋଏତଜିଙ୍କ ସହ ୪୨ ରନ ଯୋଡ଼ି ଦଳକୁ ଅବିଶ୍ଵସନୀୟ ବିଜୟ ଦେଇଥିଲେ। ବିଶେଷ କରି ଦୁଇ ବ୍ୟାଟର ଶେଷ ଓଭର ଗୁଡ଼ିକରେ ଭାରତୀୟ ଦ୍ରୁତ ବୋଲରଙ୍କୁ ପ୍ରହାର କରିଥିଲେ।କୋଏତଜି ୯ ବଲ୍ରୁ ୨ ଚୌକା ଓ ୧ ଛକା ସହ ୧୯ ରନ କରି ଅପରାଜିତ ଥିଲେ। ତେବେ ଟ୍ରିଷ୍ଟନ ଷ୍ଟବ୍ସ ୪୧ ବଲ୍ରୁ ୭ ଚୌକା ସହ ୪୭ ରନର ଅପରାଜିତ ଇନିଂସ ଖେଳି ଭାରତ ମୁହଁରୁ ବିଜୟ ଛଡ଼ାଇ ନେଇଥିଲେ। ଶେଷରେ ଦକ୍ଷିଣ ଆଫ୍ରିକା ୧୯ ଓଭରରେ ୭ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି।












Click it and Unblock the Notifications