Get Updates
Get notified of breaking news, exclusive insights, and must-see stories!

Ind vs SA: ଆଜି ତୃତୀୟ ଟ୍ବେଣ୍ଟି-୨୦: ସିରିଜରେ ଆଗୁଆ ରହିବା ଭାରତର ଲକ୍ଷ୍ୟ

ଭାରତ-ଦକ୍ଷିଣ ଆଫ୍ରିକା ପାଞ୍ଚ ମ୍ୟାଚ‌୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାର ତୃତୀୟ ତଥା‌ ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ଲଢ଼େଇ ରବିବାର ଧର୍ମଶାଳାରେ ଖେଳାଯିବ। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏବଂ ଉପଅଧିନାୟକ ଶୁବମନ୍ ଗିଲ୍‌ଙ୍କ ଲଗାତାର ବିଫଳତା ସହ ବିଜୟ ଧାରାକୁ ଫେରିବାର ଚାପ ଏବଂ ଦଳୀୟ ସନ୍ତୁଳନକୁ ଠିକ୍ କରିବାର ଚେଷ୍ଟା ପାଇଁ ଧର୍ମଶାଳାର ଶୀତଳ ଜଳବାୟୁରେ ବି ଭାରତ ଢେର ଉଷ୍ମତା ଅନୁଭବ କରିବ।

କଟକରେ ଜବରଦସ୍ତ ବିଜୟ ହାସଲ କରିବା ପରେ ଚଣ୍ଡିଗଡ଼ରେ ଅତି ସାଧାରଣ କ୍ରିକେଟ୍ ଖେଳିଥିବା ଭାରତୀୟ ଦଳକୁ କିନ୍ତୁ ଦକ୍ଷିଣ ଆଫ୍ରିକା ପୁଣି ଥରେ ପରୀକ୍ଷାରେ ପକାଇବାକୁ ପୂରା ପ୍ରସ୍ତୁତ। କାରଣ ଚଣ୍ଡିଗଡ଼ରେ ଭାରତକୁ ୫୧ ରନ୍‌ରେ ହରାଇବା ପରେ ଭ୍ରମଣକାରୀ ଦଳର ଆତ୍ମବିଶ୍ବାସ ଏବେ ଆକାଶଛୁଆଁ। ଅନ୍ୟପକ୍ଷରେ ଚଣ୍ଡିଗଡ଼ ପରାଜୟ ଅନେକ ଦୃଷ୍ଟିରୁ ଭାରତ ପାଇଁ ମହତ୍ତ୍ବ ରଖୁଛି। ଚଳିତବର୍ଷ ଖେଳିଥିବା ୧୭ ଟ୍ବେଣ୍ଟି-୨୦ ମଧ୍ୟରେ ଟିମ୍ ଇଣ୍ଡିଆର କେବଳ ଏହା ତୃତୀୟ ପରାଜୟ ଥିଲା। ସେହିଭଳି ଗତ ଜାନୁଆରି ପରଠାରୁ ଟସ୍ ଜିତିବା ପରେ ପ୍ରଥମ ଥର ପରାସ୍ତ ହୋଇଥିଲା ସୂର୍ଯ୍ୟକୁମାରଙ୍କ ସେନା। ଗତବର୍ଷ ଭାରତୀୟ ଦଳ ଟସ୍ ଜିତିବା ପରେ ଗୋଟିଏ ହେଲେ ବି ମ୍ୟାଚ୍ ହାରି ନଥିଲା।

Ind vs SA Third T20I today

ବୃହତ୍ ପରାଜୟ ସହ ବାରମ୍ବାର ବ୍ୟାଟିଂକ୍ରମରେ ଅଦଳ ବଦଳ, ବିଶେଷ କରି ଅକ୍ଷର ପେଟଲଙ୍କୁ ତୃତୀୟ ସ୍ଥାନରେ ଖେଳାଯାଇଥିବା ନିଷ୍ପତ୍ତି ପାଇଁ ଉଭୟ ଅଧିନାୟକ ସୂର୍ଯ୍ୟକୁମାର ଏବଂ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ପ୍ରଶଂସକଙ୍କ କଡ଼ା ନଜରରେ ରହିଛନ୍ତି। ଗିଲ୍ ଗତ ଦୁଇଟି ଯାକ ମ୍ୟାଚ୍‌ରେ ବିଫଳ ହୋଇଥିବାରୁ ରବିବାର ତାଙ୍କ ସହ ସୂର୍ଯ୍ୟ ଏବଂ ଗମ୍ଭୀରଙ୍କ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ରହିବ। ଯୁବ ଓପନର୍ ଅଭିଷେକ ଶର୍ମା ଆଶାଜନକ ଆରମ୍ଭ ଦେଇ ପାରୁ ନଥିବାରୁ ସେ ମଧ୍ୟ ନିଜ ପୁରୁଣା ଚମକ ଦେଖାଇବା ଆଶାରେ ପଡ଼ିଆକୁ ଓହ୍ଲଇବେ।

ଚଣ୍ଡିଗଡ଼ରେ ପ୍ରମୁଖ ଦ୍ରୁତ ବୋଲର୍‌ ଯଶପ୍ରୀତ୍ ବୁମ୍‌ରା ଓ ଅର୍ଶଦୀପ ସିଂହ ମାତ୍ରାଧିକ ରନ୍ ବ୍ୟୟ କରିବା ମଧ୍ୟ ଭାରତୀୟ କ୍ରିକେଟ୍ ଦଳ ଲାଗି ଆଉ ଏକ ଚିନ୍ତାଜନକ ଦିଗ ଭାବେ ଉଭା ହୋଇଛି। ପୂର୍ବରୁ କୌଣସି ଟ୍ବେଣ୍ଟି-୨୦ରେ ବୁମ୍‌ରା କେବେବି ଚାରିଟି ଛକା ବରଣ କରି ନଥିଲେ। ଚଣ୍ଡିଗଡ଼ରେ ବୁମ୍‌ରାଙ୍କ ଗୋଟିଏ ଓଭରରୁ ଡୋନୋଭାନ୍ ପେରେରା ୧୭ ରନ୍ ଅମଳ କରି ଏହି ଅସମ୍ଭବକୁ ସମ୍ଭବ କରିଥିଲେ। ଏଣୁ ଧରମ୍‌ଶାଲାରେ ବୁମ୍‌ରା ମଧ୍ୟ ଫର୍ମକୁ ଫେରିବା ଲକ୍ଷ୍ୟରେ ରହିବେ। ଚଣ୍ଡିଗଡ଼ରେ ଭାରତ ସହଜରେ ହାରିଯାଇଥିଲେ ମଧ୍ୟ ଧରମ୍‌ଶାଲାରେ ତା'ର ଚୂଡ଼ାନ୍ତ ଏକାଦଶରେ ବଡ଼ ଧରଣର ଅଦଳ ବଦଳ ହେବାର ସମ୍ଭାବନା ଏକବାର କମ୍। ବ୍ୟାଟିଂକ୍ରମରେ କିନ୍ତୁ ସୂର୍ଯ୍ୟକୁମାର ହୁଏତ ତାଙ୍କ ପୁରୁଣା ସ୍ଥାନ ତିନି ନମ୍ବରକୁ ଫେରି ପାରନ୍ତି। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ଲୁଥୋ ସିପମାଲାଙ୍କ ସ୍ଥାନରେ ଅନରିକ୍ ନର୍ଖିୟାଙ୍କୁ ଫେରାଇ ଆଣିପାରେ। ସେହିଭଳି କେଶବ ମହାରାଜ ଓ ଜର୍ଜ ଲିଣ୍ଡେଙ୍କ ମଧ୍ୟରୁ ଜଣେ ସୁଯୋଗ ପାଇପାରନ୍ତି।

ଏଚ୍‌ପିସିଏ ଷ୍ଟାଡିୟମ୍ ଦେଖିବାକୁ ଯେତିକି ସୁନ୍ଦର ଏଠାରେ ବଡ଼ରୁ ବଡ଼ ସ୍କୋର୍‌କୁ ସୁରକ୍ଷିତ ରଖିବା ମଧ୍ୟ ସେତିକି କଷ୍ଟକର। ଛୋଟ ପଡ଼ିଆ, ଦ୍ରୁତ ଆଉଟ୍ ଫିଲ୍‌ଡ ପାଇଁ ଏଠାରେ ଟସ୍ ଜିତି ଦଳଗୁଡ଼ିକ ପଶ୍ଚାତ୍‌ଧାବନ କରିବାକୁ ଅଧିକ ପସନ୍ଦ କରନ୍ତି। ଏଠାରେ ଦିବା-ରାତ୍ର ଭିତ୍ତିରେ ଖେଳାଯାଇଥିବା ୫ଟି ଟ୍ବେଣ୍ଟି-୨୦ ମଧ୍ୟରୁ ଚାରିଟିକୁ ପଶ୍ଚାତ୍‌ଧାବନ କରିଥିବା ଦଳ ଜିତିଛନ୍ତି। ରାତିରେ ତାପମାତ୍ରା ଏକ ଅଙ୍କକୁ ଖସିବା ଅବଶ୍ୟ ଦ୍ରୁତ ବୋଲର୍‌ଙ୍କୁ କିଛିଟା ସହାୟତା ପ୍ରଦାନ କରିଥାଏ। ପରିସଂଖ୍ୟାନକୁ ତର୍ଜମା କଲେ ଜଣାପଡ଼େ ଯେ ଆଉ ଗୋଟିଏ ୱିକେଟ୍ କରାୟତ୍ତ କଲେ ଭାରତୀୟ ସ୍ପିନର ବରୁଣ ଚକ୍ରବର୍ତ୍ତୀ ଟ୍ବେଣ୍ଟି-୨୦ରେ ୫୦ ୱିକେଟ୍ ପୂରଣ କରିବେ।

ସମ୍ଭାବ୍ୟ ଭାରତ: ଅଭିଷେକ ଶର୍ମା, ଶୁବମନ୍ ଗିଲ୍, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ତିଳକ ବର୍ମା, ଜିତେଶ ଶର୍ମା (ୱିକେଟ୍‌ରକ୍ଷକ), ହାର୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ଷର ପଟେଲ, ଅର୍ଶଦୀପ ସିଂହ, ବରୁଣ ଚକ୍ରବର୍ତ୍ତୀ, ଯଶ୍‌ପୀତ୍ ବୁମ୍‌ରା।

ସମ୍ଭାବ୍ୟ ଦକ୍ଷିଣ ଆଫ୍ରିକା: କ୍ବିଣ୍ଟନ୍ ଡି' କକ୍, ରିଜା ହେଣ୍ଡ୍ରିକ୍ସ, ଐଦେନ ମାର୍କରାମ (ଅଧିନାୟକ), ତ୍ରିଷ୍ଟନ ଷ୍ଟବ୍ସ, ଡେୱାଲ୍‌ଡ ବ୍ରେଭିସ୍, ଡେଭିଡ୍ ମିଲର, ଡୋନୋଭାନ ଫେରେରା, ମାର୍କୋ ୟାନ୍‌ସେନ୍, କେଶବ ମହାରାଜ/ଜର୍ଜ ଲିଣ୍ଡେ, ଲୁଙ୍ଗି ଏନ୍‌ଗିଡି, ଅନରିକ୍‌ ନର୍ଖିୟା/ଲୁଥୋ ସିପମାଲା

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+