IND vs SA: ଦ.ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଟିମ୍ ଘୋଷଣା
ଦକ୍ଷିଣ ଆଫ୍ରିକା ବିପକ୍ଷ ଆଗାମୀ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଭାରତୀୟ ଟିମ୍ ଘୋଷଣା ହୋଇଛି । ଏହି ଟେଷ୍ଟ ସିରିଜ ନଭେମ୍ୱର ୧୪ରୁ ଆରମ୍ଭ ହେବ । ଇଂଲଣ୍ଡରେ ଆହତ ହୋଇଥିବା ରିଷଭ ପନ୍ତ ଟିମକୁ ଫେରିଛନ୍ତି । ସେହିପରି ଦ୍ରୁତ ବୋଲର ଆକାଶ ଦୀପ ମଧ୍ୟ ଆହତ ପରେ ଟିମକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । କିନ୍ତୁ ସବୁଠୁ ବଡ଼ କଥା ହେଉଛି, ପୁଣି ଥରେ ମହମ୍ମଦ ଶାମିଙ୍କୁ ଟିମରେ ସ୍ଥାନ ମିଳିପାରି ନାହିଁ । ଘରୋଇ ସିରିଜରେ ଶାମିଙ୍କ ପ୍ରଦର୍ଶନ ଓ ଟିମ୍ ସିଲେକ୍ସନକୁ ନେଇ ନିକଟରେ ବାକ୍ ଯୁଦ୍ଧ ପରେ ଅନୁମାନ କରାଯାଉଥିଲା ଯେ ଶାମିଙ୍କୁ ସୁଯୋଗ ମିଳିପାରେ । କିନ୍ତୁ ଟିମରେ ସୁଯୋଗ ମିଳିପାରି ନାହିଁ ।
ଏହି ଟେଷ୍ଟ ସିରିଜକୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ବହୁପ୍ରତୀକ୍ଷିତ ମୁକାବିଲା ବୋଲି କୁହାଯାଉଛି । ୱାଲର୍ଡ ଟେଷ୍ଟ ଚାମ୍ପିଅନଶିପ ଚକ୍ର ଦୃଷ୍ଟିରୁ ମଧ୍ୟ ଏହା ଗୁରୁତ୍ୱପୂର୍ଣ୍ଣ । ଟେଷ୍ଟ ସିରିଜର ପ୍ରଥମ ମୁକାବିଲା କୋଲକାତାର ଇଡନ ଗାର୍ଡନ୍ସରେ ନଭେମ୍ୱର ୧୪ରେ ଖେଳାଯିବ । ଦ୍ୱିତୀୟ ଟେଷ୍ଟ ନଭେମ୍ୱର ୨୨ରେ ଗୌହାଟୀରେ ଖେଳାଯିବ ।

ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ଟିମର ସଦସ୍ୟ ଥିବା ଅଧିକାଂଶ କେଳାଳିଙ୍କୁ ସ୍ଥାନ ମିଳିଛି । କରୁଣ ନାୟରଙ୍କୁ ପୁଣି ଅଣଦେଖା କରାଯାଇଛି । ରଣଜୀ ଟ୍ରଫିରେ କରୁଣ ନାୟକ ପୁଣି ଚମତ୍କାର ଫର୍ମରେ ଅଛନ୍ତି । ଭାରତୀୟ ଟିମରେ ଅକ୍ଷର, କୁଲଦୀପ, ସୁନ୍ଦର ଓ ଜାଡେଜା ଭାବେ ଚାରି ଜଣ ସ୍ପିନରଙ୍କୁ ସାମିଲ କରାଯାଇଛି । ଅନ୍ୟପଟେ ଯଶପ୍ରୀତ ବୁମରା, ସିରାଜ ଓ ଆକାଶ ଦୀପ ଫାଷ୍ଟ ବୋଲର ଭୂମିକାରେ ରହିବେ । ନୀତୀଶ ରେଡ୍ଡୀ ପେସ୍ ବୋଲିଂ ଅଲରାଉଣ୍ଡର ଭାବେ ଟିମରେ ଅଛନ୍ତି ।
ବିସିସିଆଇ ସିଲେକ୍ଟରଙ୍କ ଉପରେ ପ୍ରଶ୍ନ
ଲଗାତାର ଭଲ ପ୍ରଦର୍ଶନ କରୁଥିଲେ ବି ଶାମିଙ୍କୁ ବାରମ୍ବାର ଅଣଦେଖା କରାଯାଉଛି । ଅଜିତ ଅଗରକର ଓ ଶାମିଙ୍କ ମଧ୍ୟରେ ଭଲ ସମ୍ପର୍କ ନଥିବା କେହି କେହି କହୁଛନ୍ତି । ଜଣେ ଦକ୍ଷ ଏବଂ ପ୍ରଭାବଶାଳୀ ବୋଲରଙ୍କୁ କିପରି ଟିମ୍ ଅଣଦେଖା କରୁଛି ବୋଲି ମଧ୍ୟ ପ୍ରଶ୍ନ ଉଠୁଛି ।
ଗତ ମାସରେ ସାମି ରଣଜି ମୁକାବିଲା ଖେଳିଥିଲେ । ଉତରାଖଣ୍ଡ ବିପକ୍ଷରେ ସେ ୭ଟି ଓ୍ୱିକେଟ୍ ନେଇଥିଲେ । ତାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଟ୍ରଫି ମିଳିଥିଲା । ଗୁଜରାତ ବିରୋଧରେ ମଧ୍ୟ ସେ ୫ ଓ୍ୱିକେଟ୍ ହାସଲ କରିଥିଲେ । ତ୍ରିପୁରା ବିପକ୍ଷ ମ୍ୟାଚରେ ସେ ଓ୍ୱିକେଟ୍ ନେଇ ନଥିଲେ ମଧ୍ୟ ୨୫ ଓଭର ବୋଲିଂ କରିଥିଲେ ।
ଗୁଜରାତ ବିପକ୍ଷ ମୁକାବିଲା ପରେ ଶାମି କହିଥିଲେ ଯେ, ସେ ଫିଟ୍ ଏବଂ ପ୍ରସ୍ତୁତ ଅଛନ୍ତି । ଏହାସହ ଅନ୍ତର୍ଜାତୀୟ ମୁକାବିଲା ଖେଳିବାକୁ ଚାହୁଁଥିବା ଦର୍ଶାଇଥିଲେ । ସବୁ ଖେଳାଳି ଦେଶ ପାଇଁ ଖେଳିବାକୁ ସ୍ବପ୍ନ ଦେଖୁଥିବା ଶାମି କହିଥିଲେ । କିନ୍ତୁ ଏତେ ସବୁ ପରେ ବି ଟେଷ୍ଟ୍ ସିରିଜରେ ସ୍ଥାନ ମିଳିନଥିବାରୁ ଏହି ଫାଷ୍ଟ୍ ବୋଲର ନିରାଶ ହୋଇଛନ୍ତି ।
ଭାରତର ଟେଷ୍ଟ ଦଳ: ଶୁଭମନ ଗିଲ (ଅଧିନାୟକ), ରିଷଭ ପନ୍ତ (ଉପ-ଅଧିନାୟକ), ଯଶସ୍ୱୀ ଜୈସ୍ୱାଲ, କେଏଲ୍. ରାହୁଲ, ସାଇ ସୁଦର୍ଶନ, ଦେବଦତ୍ତ ପାଦିକଲ, ଧ୍ରୁବ ଜୁରେଲ, ରବିନ୍ଦ୍ର ଜାଡେଜା, ୱାଶିଂଟନ୍ ସୁନ୍ଦର, ଯଶପ୍ରୀତ ବୁମରା, ଅକ୍ଷର ପଟେଲ, ନୀତୀଶ କୁମାର ରେଡ୍ଡୀ, ମହମ୍ମଦ ସିରାଜ, କୁଲଦୀପ ଯାଦବ, ଆକାଶ ଦୀପ ।












Click it and Unblock the Notifications