IND vs NZ: ୨୫ବର୍ଷ ତଳେ ନ୍ୟୁଜିଲାଣ୍ଡଠାରୁ ଫାଇନାଲ୍ ହାରିବାର ପ୍ରତିଶୋଧ ନେଲା ଭାରତ
ଆତସବାଜିରେ ଦୁବାଇ ଆକାଶ ଝଲସି ଉଠିଥିଲା। ପୂରା ଦେଶ ବି ଖୁସିରେ ଝୁମି ଉଠିଥିଲା। ପରସ୍ପରକୁ ଅଭିନନ୍ଦନ ଜଣାଇ ଆଗୁଆ ହୋଲି ଉତ୍ସବ ପାଳିଥିଲେ ଭାରତବାସୀ।
ଭାରତୀୟ କ୍ରିକେଟ୍ ଦଳ ୧୨ ବର୍ଷର ବ୍ୟବଧାନ ପରେ ପୁଣି ଥରେ ଚାମ୍ପିଅନ୍ସ ଟ୍ରଫି ଜିତିବାର ଗୌରବ ହାସଲ କରି ନେଇଥିଲା। ପ୍ରଥମ ଦଳ ଭାବେ ମଧ୍ୟ ଏହି ସମ୍ମାନଜନକ ପ୍ରତିଯୋଗିତାକୁ ୩ଥର ଜିତିବାର ଐତିହାସିକ ସଫଳତା ଲାଭ କରିଥିଲା।
ପୁଣି ୨୫ବର୍ଷ ତଳେ ନ୍ୟୁଜିଲାଣ୍ଡଠାରୁ ଫାଇନାଲ୍ ହାରିବାର ମଧୁର ପ୍ରତିଶୋଧ ନେଇଥିଲା। ୨୦୨୪ ମସିହାରେ ଟ୍ବେଣ୍ଟି-୨୦ ବିଶ୍ବକପ୍ ଜିତିବା ପରେ ଭାରତର ଏହା ମଧ୍ୟ ଲଗାତାର ଦ୍ବିତୀୟ ଆଇସିସି ଟ୍ରଫି ଥିଲା ।

ଶେଷ ଥର ପାଇଁ ଭାରତ ଓ ନ୍ୟୁଜିଲାଣ୍ଡ ୨୦୦୦ ମସିହାରେ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ ଲଢ଼ିଥିଲେ। ସେଥର ଭାରତ ପଞ୍ଝାରୁ ନ୍ୟୁଜିଲାଣ୍ଡ ଚାମ୍ପିଅନ୍ସ ଟ୍ରଫି ଛଡ଼ାଇ ନେଇଥିଲା। ସଂଯୋଗବଶତଃ ଅଢ଼େଇ ଦଶନ୍ଧି ତଳେ ଖେଳିଥିବା ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ରେ ଭାରତକୁ ନ୍ୟୁଜିଲାଣ୍ଡ ୪ ୱିକେଟ୍ରେ ମାତ୍ ଦେଇଥିଲା ବେଳେ ଭାରତ ତାକୁ ରବିବାର ସେହି ୪ ୱିକେଟ୍ରେ ହରାଇଥିଲା। ପ୍ରତିଯୋଗିତାର ଦୁଇ ଦକ୍ଷ ଦଳ ଫାଇନାଲ୍ରେ ଲଢ଼ାଲଢ଼ି ହେଉଥିବାରୁ ରବିବାର ଫାଇନାଲ୍ ଉପରେ ସାରା ବିଶ୍ବର ନଜର ଥିଲା। ଭାରତୀୟ ଦଳ ବି ନିରାଶ କରି ନଥିଲା। ଲଗାତାର ୧୫ ଟସ୍ ହାରିବାର ଆଲୋଡ଼ା ରେକର୍ଡ ସତ୍ତ୍ବେ ଉତ୍ସାହୀ ନ୍ୟୁଜିଲାଣ୍ଡକୁ ୨୫୧/୯ରେ ଅଟକାଇ ଦେଇଥିଲା। ୨୫୨ ରନ୍ର ଲକ୍ଷ୍ୟକୁ ହାସଲ କରି ୨୦୦୨ (ଶ୍ରୀଲଙ୍କା ସହ ଯୁଗ୍ମ ବିଜେତା), ୨୦୧୩ ପରେ ୨୦୨୫ରେ ଚାମ୍ପିଅନ୍ସ ଟ୍ରଫିରେ ବିଜେତା ହେବାର ଅନନ୍ୟ ଫର୍ଦ୍ଦ ନିଜ କ୍ରିକେଟ୍ ଇତିହାସରେ ଯୋଡ଼ିଥିଲା। ଭାରତର ପଶ୍ଚାତ୍ଧାବନ ଥିଲା ବେଶ୍ ଧମାକାଦାର। ଅଧିନାୟକ ରୋହିତ ମାତ୍ର ୪୧ ବଲ୍ରୁ କୌଣସି ଆଇସିସି ଟ୍ରଫିର ଫାଇନାଲ୍ରେ ପ୍ରଥମ ଏବଂ ମୋଟ ଉପରେ ୫୮ତମ ଅର୍ଦ୍ଧଶତକ ହାସଲ କରି ଏହାର ସଫଳ ନେତୃତ୍ବ ନେଇଥିଲେ। ସେ ମଧ୍ୟ ଆଶାଜନକ ଭାବେ ଫାଇନାଲ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।












Click it and Unblock the Notifications