IND vs ENG: ଦ୍ଵିତୀୟ ପାଳିରେ ଶୁବମାନଙ୍କ ଶତକ; ଇଂଲଣ୍ଡକୁ ବିଶାଳ ୬୦୮ ରନ୍ ଲକ୍ଷ୍ୟ
ଭାରତ ବର୍ମିଂହାମ ଟେଷ୍ଟ୍ର ଚତୁର୍ଥ ଦିନକୁ ମଧ୍ୟ ନିଜ ନିୟନ୍ତ୍ରଣରେ ରଖିଛି। କେବଳ ସେତିକି ନୁହେଁ, ଘରୋଇ ଇଂଲଣ୍ଡ ଦଳ ସମ୍ମୁଖରେ ୬୦୮ ରନ୍ର ବିଶାଳ ବିଜୟ ଲକ୍ଷ୍ୟର ଆହ୍ବାନ ବି ଦେଇଛି। ଏକ ପାହାଡ଼ ଭଳି ଲକ୍ଷ୍ୟକୁ ପିଛା କରି ଚତୁର୍ଥ ଦିନ ଖେଳ ଶେଷସୁଦ୍ଧା ଇଂଲଣ୍ଡ ୩ ୱିକେଟ୍ ହରାଇ ୭୨ ରନ୍ ସଂଗ୍ରହ କରିଛି।
ଶନିବାର ସକାଳେ ଭାରତ ଦ୍ବିତୀୟ ପାଳିକୁ ପୁନଃ ଆରମ୍ଭ କରିବା ପରେ ପ୍ରଥମ ଘଣ୍ଟାକ ଖେଳରେ କଠୋର ପରୀକ୍ଷାର ସମ୍ମୁଖୀନ ହୋଇଥିଲା। ମେଘୁଆ ପାଗରୁ ଫାଇଦା ଉଠାଇ ଇଂଲିସ୍ ବୋଲର ବି ଚାପ ଜାରି ରଖିଥିଲେ। କେଏଲ୍ ରାହୁଲ୍ ଅସୀମ ଧୈର୍ଯ୍ୟ ଦେଖାଇ ଅର୍ଦ୍ଧଶତକ ହାସଲ କରିଥିଲେ।

କରୁଣ ନାୟାର କିନ୍ତୁ ଏକାଧିକ ବାଉଁସରକୁ ମୁଣ୍ଡ ଓ ଦେହରେ ସହିବା ପରେ ବି ୨୬ ରନ୍ରୁ ଆଗକୁ ବଢ଼ିପାରିନଥିଲେ। ଏହି ସମୟରେ କିନ୍ତୁ ଅଧିନାୟକ ଶୁବମନ ଗିଲ୍ (୧୬୧ ରନ୍, ୧୬୧ ବଲ୍, ୧୩ ଚୌକା, ୮ ଛକା) ଏବଂ ଉପଅଧିନାୟକ ଋଷଭ ପନ୍ତ୍ (୬୫ ରନ୍, ୫୮ ବଲ୍, ୮ ଚୌକା, ୩ ଛକ) ୧୧୦ ରନ୍ର ଦ୍ରୁତ ଭାଗୀଦାରି କରି ଇଂଲଣ୍ଡ ବୋଲରଙ୍କୁ ସୁଯୋଗ ଦେଇନଥିଲେ। ପନ୍ତ୍ଙ୍କୁ ପୁଣି ସୋଏବ ବଶିର ବଶିଭୁତ କରିଦେଇଥିଲେ। କିନ୍ତୁ ପ୍ରଥମ ପାଳି ଭଳି ରବୀନ୍ଦ୍ର ଜାଡ଼େଜା (୬୯* ରନ୍, ୧୧୮ ବଲ୍, ୫ ଚୌକା, ୧ ଛକା)ଙ୍କୁ ସାଥୀ କରି ଗିଲ୍ ପୁଣି ଏକ ଶତକୀୟ ଭାଗୀଦାରି (୧୭୫ ରନ୍) କରିବାରୁ ଇଂଲଣ୍ଡକୁ ଭାରତ ମ୍ୟାଚ୍ରୁ ଆପାତତଃ ସମ୍ପୂର୍ଣ୍ଣ ବିଦାୟ ରାସ୍ତା ଦେଖାଇଦେଇଛି। ଭାରତ ନିଜ ଦ୍ବିତୀୟ ପାଳିକୁ ୪୨୭/୬ରେ ଘୋଷଣା କରିବାରୁ ଘରୋଇ ଦଳ ସମ୍ମୁଖରେ ଅସମ୍ଭବ ବିଜୟ ଲକ୍ଷ୍ୟ ରହିଛି। ବାଜବଲ୍ ଷ୍ଟାଇଲ୍ରେ ଖେଳୁଥିବା ଏହି ଦଳ ଏବେ ଅଗ୍ନିପରୀକ୍ଷାରେ ପଡ଼ିଛି।
ସଂକ୍ଷିପ୍ତ ସ୍କୋର: ଭାରତ ପ୍ରଥମ ପାଳି: ୫୮୭ (ଶୁବମନ ଗିଲ୍-୨୬୯, ରବୀନ୍ଦ୍ର ଜାଡ଼େଜା-୮୯, ଯଶସ୍ବୀ ଜୟସ୍ବାଲ-୮୭, ସୋଏବ୍ ବଶିର୍-୩/୧୬୭, କ୍ରିସ୍ ୱକ୍ସ-୨/୮୧, ଜୋସ୍ ଟଙ୍ଗ୍-୨/୧୧୯)। ଇଂଲଣ୍ଡ ପ୍ରଥମ ପାଳି: ୪୦୭ (ଜାମି ସ୍ମିଥ୍-୧୮୪*, ହ୍ୟାରି ବ୍ରୁକ୍-୧୫୮, ମହମ୍ମଦ ସିରାଜ-୬/୭୦, ଆକାଶ ଦୀପ-୪/୩୬)। ଭାରତ ଦ୍ବିତୀୟ ପାଳି: ୮୩ ଓଭରରେ ୪୨୭/୬, ଘୋଷଣା (ଶୁବମନ ଗିଲ୍-୧୬୧, ରବୀନ୍ଦ୍ର ଜାଡ଼େଜା-୬୯*, ଋଷଭ ପନ୍ତ୍-୬୫, କେଏଲ୍ ରାହୁଲ୍-୫୫, ଯଶସ୍ବୀ ଜୟସ୍ବାଲ-୨୮, ଜୋସ୍ ଟଙ୍ଗ୍-୨/୯୩, ଶୋଏବ ବଶିର-୨/୧୧୯, ବ୍ରାଏଡନ୍ କାର୍ସ-୧/୫୬, ଜୋ ରୁଟ୍-୧/୬୫)। ଇଂଲଣ୍ଡ ଦ୍ବିତୀୟ ପାଳି (ଲକ୍ଷ୍ୟ ୬୦୮): ୧୬ ଓଭରରେ ୭୨/୩ (ବେନ୍ ଡକେଟ୍-୨୫, ଓଲି ପୋପ୍-୨୪*, ଜୋ ରୁଟ୍-୬, ହାରି ବ୍ରୁକ୍-୧୫*, ଆକାଶ ଦୀପ-୨/୩୬, ମହମ୍ମଦ ସିରାଜ-୧/୨୯)।












Click it and Unblock the Notifications