IND vs ENG: ପ୍ରସ୍ତୁତ ଐତିହାସିକ ବାରବାଟି; କଣ କହୁଛି ରେକର୍ଡ଼ ? ସବୁଠି ଇଣ୍ଡିଆ ଇଣ୍ଡିଆ
ଇଣ୍ଡିଆ ଇଣ୍ଡିଆ । ସବୁଠି ଭାରତ ବନାମ ଇଂଲଣ୍ଡର ଉତ୍ସାହ। ଐତିହାସିକ ବାରବାଟି ବି ପ୍ରସ୍ତୁତ। ତାରିଖ ଯେତେ ପାଖଉଛି ଉତ୍ସାହ ସେତେ ବଢ଼ିବାରେ ଲାଗିଛି । ଆଜିଠାରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ଦିନିକିଆ ସିରିଜ । ଫେବ୍ରୁଆରୀ ୬ରେ ସିରିଜର ପ୍ରଥମ ମ୍ୟାଚ୍ ନାଗପୁରରେ ଖେଳାଯାଉଛି । ଏହାପରେ ଭାରତୀୟ ଟିମ ଓଡ଼ିଶା ଆସି କଟକର ବାରବାଟୀ ଷ୍ଟାଡିୟମରେ ସିରିଜର ଦ୍ୱିତୀୟ ମ୍ୟାଚ୍ ଖେଳିବ । ଏହାପରେ ତୃତୀୟ ମ୍ୟାଚ୍ ନରେନ୍ଦ୍ର ମୋଦି ଷ୍ଟାଡିୟମ ଅହମ୍ମଦାବାଦରେ ଖେଳାଯିବା ନେଇ ସୂଚୀ ରହିଛି ।
ବାରବାଟୀରେ ମୋଟ ୧୯ଟି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ ଖେଳାଯାଇଛି । ଏହାମଧ୍ୟରୁ ୧୭ଟି ମ୍ୟାଚ୍ ଖେଳିଛି ମେନ୍ ଇନ୍ ବ୍ଲୁ ଓ ୧୩ଟିରେ ବିଜୟୀ ହୋଇଛି । ଦୁଇଥର ଇଂଲଣ୍ଡ ଠାରୁ, ଥରେ ଶ୍ରୀଲଙ୍କା ଓ ଥରେ ନ୍ୟୁଜିଲାଣ୍ଡ ଠାରୁ ପରାଜିତ ହୋଇଛି ଟିମ୍ ଇଣ୍ଡିଆ ।

ତେବେ ୨୦୦୭ ପରଠାରୁ ବାରବାଟୀରେ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚରେ ଅପରାଜେୟ ରହିଛି ଭାରତ । ବାରବାଟୀ ପିଚରେ ପାଞ୍ଚଥର ଦିନିକିଆ ମୁକାବିଲାରେ ମୁହାଁମୁହିଁ ହୋଇଛନ୍ତି ଭାରତ ଓ ଇଂଲଣ୍ଡ । ଆଉ ବିଜୟ ରେକର୍ଡ ରହିଛି ୩-୨ । ୧୯୮୨ ଜାନୁଆରୀ ୨୭ ତାରିଖରେ ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିଲା ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ । ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚରେ ବିଜୟୀ ହୋଇଥିଲା ଭାରତ । ଏହାପରେ ୧୯୮୪ ଡିସେମ୍ୱର ୨୭ରେ ବାରବାଟୀରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆ ମ୍ୟାଚ ମଧ୍ୟ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିଲା । ପରେ ୨୦୦୨, ୨୦୦୮ ଓ ୨୦୧୭ରେ ବାରବାଟୀ ମୈଦାନରେ ତିନିଥର ମୁହାଁମୁହିଁ ହୋଇଛନ୍ତି ଭାରତ ଓ ଇଂଲଣ୍ଡ । ଏହି ତିନୋଟି ମ୍ୟାଚରେ ବାଜିମାତ୍ କରିଛି ଟିମ ଇଣ୍ଡିଆ । ୧୯ ଜାନୁଆରୀ ୨୦୧୭ରେ ଶେଷ ଥର ପାଇଁ ବାରବାଟୀରେ ମୁହାଁମୁହିଁ ହୋଇଥିଲେ ଭାରତ ଓ ଇଂଲଣ୍ଡ । ୧୫ ରନରେ ଏହି ମ୍ୟାଚକୁ ଜିତିଥିଲା ଟିମ ଇଣ୍ଡିଆ ।
୨୦୧୯ ଡିସେମ୍ୱର ୨୨ରେ ଭାରତୀୟ ଟିମ ବାରବାଟୀ ଷ୍ଟାଡିୟମରେ ଖେଳିଥିଲା ଶେଷ ଦିନିକିଆ ମ୍ୟାଚ୍ । ପ୍ରତିପକ୍ଷ ଟିମ ଥିଲା ୱେଷ୍ଟଇଣ୍ଡିଜ୍ । ଏହି ମ୍ୟାଚକୁ ମଧ୍ୟ ୪ ୱିକେଟରେ ଜିତି ନିଜ ନାମରେ କରିଥିଲା ଭାରତ । ତେବେ ଏହା ମଧ୍ୟରେ ମହାନଦୀରେ ଅନେକ ପାଣି ପ୍ରବାହିତ ହୋଇସାରିଛି । ଭାରତୀୟ ଟିମ ଏବେ ବିଶ୍ୱ କ୍ରିକେଟରେ ଏକ ଶକ୍ତିଶାଳୀ ଓ ପ୍ରଭାବଶାଳୀ ଟିମ ହୋଇସାରିଛି । ଘରୋଇ ମାଟିରେ ଭାରତୀୟ ଟିମକୁ ପରାଜିତ କରିବା ଇଂଲଣ୍ଡ ପାଇଁ ଏତେ ସହଜ ହେବନାହିଁ । କାରଣ କ୍ରିକେଟର ସମସ୍ତ ବିଭାଗରେ ଭାରତୀୟ ଖେଳାଳି ଚମତ୍କାର ପ୍ରଦର୍ଶନ କରିଆସୁଛନ୍ତି ।
ଭାରତୀୟ ସ୍କ୍ୱାଡ୍- ରୋହିତ ଶର୍ମା (କ୍ୟାପଟେନ୍), ଶୁବମନ ଗିଲ୍, ଶ୍ରେୟସ ଆୟର, ଯଶସ୍ୱୀ ଜୟଶ୍ୱାଲ, ବିରାଟ କୋହଲି, ରିଷଭ ପନ୍ତ, କେଏଲ ରାହୁଲ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ୱାସିଂଟନ ସୁନ୍ଦର, ଅର୍ଶଦୀପ ସିଂ, ହାର୍ଦ୍ଦିକ ପାଣ୍ଡ୍ୟା, କୁଲଦୀପ ଯାଦବ, ହର୍ଷିତ ରାଣା, ମହମ୍ମଦ ସାମି, ବରୁଣ ଚକ୍ରବର୍ତ୍ତୀ।
ଇଂଲଣ୍ଡ ସ୍କ୍ୱାଡ୍ - ହାରି ବ୍ରୁକ୍ , ବେନ୍ ଡକେଟ୍, ଜୋ ରୁଟ୍, ଜକାବ ବେଥଲ, ଲିଆମ ଲିଭିଂଷ୍ଟୋନ୍, ବ୍ରେଡନ୍ କାର୍ସ, ଜେମି ଓଭରଟନ, ଜସ୍ ବଟଲର, ଜେମି ସ୍ମିଥ୍, ଫିଲିପ ସଲ୍ଟ , ଜୋଫ୍ରା ଆର୍ଚର, ଜସ୍ ଅଟକିନସନ୍, ଆଦିଲ ରସିଦ, ସାକିବ ମେହମୁଦ, ମାର୍କ ଉଡ୍ ।












Click it and Unblock the Notifications