IND vs ENG: ମୋଟେରାରେ କୋହଲିଙ୍କ 'ବିରାଟ' ରେକର୍ଡ୍ସ
ଇଂଲଣ୍ଡ ବିପକ୍ଷ ପ୍ରଥମ ମ୍ୟାଚରେ ଆକାଉଣ୍ଟ ଖୋଲି ନଥିବା ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ବ୍ୟାଟରୁ ରନ୍ ବର୍ଷା ହୋଇଥିଲା ଗତକାଲି ମୋଟେରା ଷ୍ଟାଡିୟମରେ ।
ଅହମ୍ମଦାବାଦ: ଭାରତ ବନାମ ଇଂଲଣ୍ଡ ମଧ୍ୟରେ ଚାଲିଥିବା 5 ମ୍ୟାଚ୍ ବିଶିଷ୍ଟ ଟି-20 ସିରିଜର ଦ୍ୱିତୀୟ ମ୍ୟାଚ୍ ଅହମ୍ମଦାବାଦର ମୋଟେରା ଷ୍ଟାଡିୟମରେ ଖେଳାଯାଇଛି। ଏହି ମ୍ୟାଚରେ ଇଂଲଣ୍ଡ ଦଳ ପ୍ରଥମେ ବ୍ୟାଟିଂ କରି 164 ରନ୍ ସ୍କୋର କରିଥିଲା ଏବଂ ବିରାଟ କୋହଲି ଏବଂ ଇଶାନ କିଷାନଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ଭାରତୀୟ ଦଳ 7 ୱିକେଟରେ ମ୍ୟାଚକୁ ଜିତି ନେଇଛି । ଇଂଲଣ୍ଡ ବିପକ୍ଷ ପ୍ରଥମ ମ୍ୟାଚରେ ଆକାଉଣ୍ଟ ଖୋଲି ନଥିବା ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ବ୍ୟାଟରୁ ରନ୍ ବର୍ଷା ହୋଇଥିଲା ଗତକାଲି ମୋଟେରା ଷ୍ଟାଡିୟମରେ ।

ଏହି ମ୍ୟାଚ୍ରେ ଶୂନ ରନ୍ରେ ପ୍ରଥମ ୱିକେଟ୍ ହରାଇବା ପରେ ଭାରତୀୟ ଅଧିନାୟକ ବିରାଟ କୋହଲି ଡେବ୍ୟୁ ଇଶାନ୍ କିଷାନଙ୍କ ସହ ଲମ୍ବା ଇନିଂସ୍ ଖେଳିଥିଲେ ଏବଂ ଦ୍ୱିତୀୟ ୱିକେଟ୍ ପାଇଁ 94 ରନ୍ ଭାଗିଦାରୀ ବାଣ୍ଟିଥିଲେ। ଏହି ସମୟରେ, ଇଶାନ୍ କିଷାନ୍ ତାଙ୍କର ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିବାବେଳେ ଅଧିନାୟକ ବିରାଟ କୋହଲି ମଧ୍ୟ ତାଙ୍କ ଟି-20 କ୍ୟାରିୟରରେ 26 ତମ ଅର୍ଦ୍ଧଶତକ ହାସଲ କରିଥିଲେ ।
ରୋହିତଙ୍କୁ ପଛରେ ପକାଇଲେ ବିରାଟ:

ଯେତେବେଳେ ବିରାଟ କୋହଲିଙ୍କ ବ୍ୟାଟରୁ ରନର ବର୍ଷା ଆରମ୍ଭ ହୁଏ । ସେତେବେଳେ କୌଣସି ନା କୌଣସି ରେକର୍ଡ ଭାଙ୍ଗିବା ଥୟ ହୋଇଥାଏ । ମୋଟେରା ଗ୍ରାଉଣ୍ଡରେ ମଧ୍ୟ ସମାନ ପ୍ରସଙ୍ଗ ଦେଖିବାକୁ ମିଳିଥିଲା। ଏହି ଅର୍ଦ୍ଧଶତକ ସହିତ ବିରାଟ କୋହଲି ଅନ୍ତର୍ଜାତୀୟ ଟି-20 କ୍ରିକେଟରେ ସର୍ବାଧିକ ଅର୍ଦ୍ଧଶକତ କରିଥିବା ଖେଳାଳି ବନିଛନ୍ତି। ଏହି ତାଲିକାରେ ରୋହିତ ଶର୍ମାଙ୍କ ଖାତାରେ 25 ଅର୍ଦ୍ଧଶତକ ରହିଛି ।
ଅଧିନାୟକ ଭାବେ ବିରାଟ ପୂରା କଲେ 12 ହଜାର ଅନ୍ତର୍ଜାତୀୟ ରନ:
ଏହା ସହିତ ବିରାଟ କୋହଲି ମଧ୍ୟ ଅନ୍ତର୍ଜାତୀୟ କ୍ରିକେଟରେ ଅଧିନାୟକ ଭାବରେ ଦ୍ରୁତତମ 12,000 ଆନ୍ତର୍ଜାତୀୟ ରନ୍ ପୂରଣ କରିବାର ରେକର୍ଡ ହାସଲ କରିଛନ୍ତି। 12 ହଜାର ଅନ୍ତର୍ଜାତୀୟ ରନ୍ ପୂରଣ କରିବାକୁ ବିରାଟ କୋହଲି 226 ଇନିଂସ ନେଇଥିଲେ। ବିରାଟ କୋହଲି ତାଙ୍କ କ୍ୟାରିଅରରେ 153 ଇନିଂସରେ 7490 ଟେଷ୍ଟ ରନ୍, 242 ଦିନିକିଆ ଇନିଂସରେ 12040 ରନ୍ ଏବଂ 81 ଟି-20 ଇନିଂସରେ 3001 ରନ୍ ପୂରଣ କରିଛନ୍ତି। ଏହି ରେକର୍ଡ ହାସଲ କରିବା ପାଇଁ ବିରାଟ କୋହଲି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ଏବଂ ଗ୍ରାମ୍ ସ୍ମିଥଙ୍କୁ ପଛରେ ପକାଇବାରେ ସଫଳ ହୋଇଛନ୍ତି।

ଟି-20 କ୍ରିକେଟରେ 3000 ରନ୍ ପୂରଣ:
ବିରାଟ କୋହଲି ଟି-20 କ୍ରିକେଟରେ 3000 ରନ୍ ପୂରଣ କରିବାରେ ପ୍ରଥମ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ଏହି ମ୍ୟାଚ୍ ପୂର୍ବରୁ ଏହି ସଂଖ୍ୟା ପାଇବା ପାଇଁ ବିରାଟ କୋହଲିଙ୍କୁ 72 ରନ୍ ଆବଶ୍ୟକ ଥିଲା ଏବଂ ଇଂଲଣ୍ଡ ବିପକ୍ଷ ଏହି ମ୍ୟାଚରେ ବିରାଟ କୋହଲି ଅପରାଜିତ 73 ରନ୍ ସ୍କୋର କରି ଏହି ସଂଖ୍ୟା ହାସଲ କରିଥିଲେ ଏବଂ ବର୍ତ୍ତମାନ ଟି-20 କ୍ରିକେଟ୍ ରେ ତାଙ୍କର 3001 ରନ ଖାତାରେ ରହିଛି । ଏହି ଇନିଂସ ସମୟରେ ବିରାଟ କୋହଲି 49 ବଲରେ 5 ଚୌକା, 3 ଛକା ମାରି ଭାରତୀୟ ଦଳକୁ 7 ୱିକେଟ୍ ଜିତିବାରେ ସାହାଯ୍ୟ କରିଥିଲେ। ଏହି ବିଜୟ ସହିତ ଭାରତୀୟ ଦଳ ସିରିଜରେ 1-1 ବରାବର କରିଛି।












Click it and Unblock the Notifications