IND vs ENG: ଆଜିଠୁ ଭାରତ ବନାମ ଇଂଲଣ୍ଡ: ନାଗପୁରରେ ପ୍ରଥମ ଲଢେଇ
ଭାରତୀୟ କ୍ରିକେଟ୍ ଦଳ ଗୁରୁବାରଠାରୁ ଇଂଲଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରେ ପାଦ ଦେବ । ନାଗପୁରର ବିଦର୍ଭ କ୍ରିକେଟ୍ ସଂଘ (ଭିସିଏ) ଷ୍ଟାଡିୟମ୍ରେ ଖେଳାଯିବ । ଅନ୍ୟପକ୍ଷରେ ଦ୍ବିତୀୟ ମ୍ୟାଚ୍ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମ୍ ଏବଂ ତୃତୀୟ ତଥା ଶେଷ ମ୍ୟାଚ୍ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ଖେଳାଯିବ।
ପାକିସ୍ତାନ ଏବଂ ୟୁଏଇରେ ଖେଳାଯିବାକୁ ଥିବା ଚାମ୍ପିଅନ୍ସ ଟ୍ରଫିର ପ୍ରସ୍ତୁତି ଲାଗି ଉଭୟ ଦଳ ପାଇଁ ନିଶ୍ଚିତ ଭାବେ ଉପଯୋଗୀ ସାବ୍ୟସ୍ତ ହେବ। ଯିଏ ଶୃଙ୍ଖଳା ଜିତିବ ସିଏ ଆତ୍ମବିଶ୍ବାସର ସହ ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ଯିବ। ଇଂଲଣ୍ଡର ଚଳିତ ଗସ୍ତ ଅନ୍ତର୍ଗତ ଏହା ପୂର୍ବରୁ ଖେଳାଯାଇଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ଭାରତ ୪-୧ରେ ଜିତିନେଇଥିଲା। ପୁଣି ଉଭୟ ଦଳ ଶେଷ ଥର ପାଇଁ ୨୦୨୩ ଏକଦିବସୀୟ ବିଶ୍ବକପ୍ରେ ଲକ୍ଷ୍ନୌରେ ଖେଳିଥିବା ମ୍ୟାଚ୍କୁ ଭାରତ ୧୦୦ ରନ୍ର ବଡ଼ ବ୍ୟବଧାନରେ ଜିତି ନେଇଥିଲା।
ଦୁଇ ପ୍ରମୁଖ ତାରକା ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲି ଫର୍ମରେ ନଥିବାରୁ ଭାରତୀୟ କ୍ରିକେଟ୍ ଦଳ ସହ ଏହି ଦୁଇ ମହାନ ତାରକାଙ୍କ ପାଇଁ ଏହି ଶୃଙ୍ଖଳା କଡ଼ା ପରୀକ୍ଷା ନେଇ ଆସିଛି । ଅନ୍ତର୍ଜାତୀୟ କ୍ରିକେଟ୍ ସହ ଘରୋଇ କ୍ରିକେଟର୍ ସବୁଠାରୁ ସମ୍ମାନଜନକ ପ୍ରତିଯୋଗିତା ରଣଜୀ ଟ୍ରଫିରେ ଉଭୟ ସଂପୂର୍ଣ୍ଣ ଫ୍ଲପ୍ ହେବା ସମର୍ଥକଙ୍କୁ ଚିନ୍ତାରେ ପକାଇଛି।

କୋହଲିଙ୍କ ପାଖରେ ସବୁଠାରୁ କମ୍ ପାଳି ଖେଳି ୧୪,୦୦୦ ଦିନିକିଆ ରନ୍ କରିବାର ମାଇଲ୍ଖୁଣ୍ଟ ଛୁଇଁବାର ସୁଯୋଗ ରହିବ। କାରଣ ଏହି ରେକର୍ଡଠାରୁ ମାତ୍ର ୯୪ ରନ୍ ଦୂରରେ ରହିଛନ୍ତି। କୋହଲିଙ୍କ ପୂର୍ବରୁ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ୩୫୦ ଏବଂ ଶ୍ରୀଲଙ୍କାର ପୂର୍ବତନ ୱିକେଟ୍ରକ୍ଷକ ଅଧିନାୟକ କୁମାର ସାଙ୍ଗାକାରା ୩୭୮ ପାଳି ଖେଳି ୧୪,୦୦୦ ଦିନିକିଆ ରନ୍ ଛୁଇଁଥିଲେ।
ପନ୍ତ ଓ ରାହୁଲଙ୍କୁ ନେଇ ଦ୍ବନ୍ଦ୍ବ
ଇଂଲଣ୍ଡ ଶୃଙ୍ଖଳା ସହ ଚାମ୍ପିଅନ୍ସ ଟ୍ରଫିରେ ଋଷଭ ପନ୍ତ କିମ୍ବା କେଏଲ୍ ରାହୁଲ ୱିକେଟ୍ରକ୍ଷକ ଭାବେ ଏହି ସ୍ଥାନରେ ଖେଳିବେ ସେ ଦ୍ବନ୍ଦ୍ବ ଭାରତୀୟ ଦଳ ଏପର୍ଯ୍ୟନ୍ତ ଦୂର କରିନି । କାର୍ ଦୁର୍ଘଟଣା ପାଇଁ ପନ୍ତ ଦଳରୁ ଦୂରେଇ ରହିବା ପରେ ରାହୁଲ ଟିମ୍ ଇଣ୍ଡିଆର ୱିକେଟ୍ରକ୍ଷକ ଦାୟିତ୍ବ ତୁଲାଇ ଆସିଛନ୍ତି। ଅଗଷ୍ଟ ୨୦୨୪ରେ ପନ୍ତ ଫେରିବା ପରେ ଶ୍ରୀଲଙ୍କା ବିପକ୍ଷରେ ଖେଳିଥିବା ଦୁଇଟି ମ୍ୟାଚ୍ରେ ରାହୁଲ ୱିକେଟ୍ରକ୍ଷକ ଭାବେ ଖେଳି ଯଥାକ୍ରମେ ୩୧, ୦ ରନ୍ କରିଥିଲେ। ପନ୍ତ ତୃତୀୟ ମ୍ୟାଚ୍କୁ ଫେରି ୬ ରନ୍ ଆଗକୁ ବଢ଼ି ପାରି ନଥିଲେ। ନିକଟ ଅତୀତରେ ପନ୍ତଙ୍କ ତୁଳନାରେ ରାହୁଲ ମଧ୍ୟ ଭଲ କରିଛନ୍ତି। ଏଣୁ ଏମାନଙ୍କ ଭିତରୁ କାହାକୁ ବାଛିବେ ସେ ନିଷ୍ପତ୍ତି ଅଧିନାୟକ ରୋହିତ ଶର୍ମାଙ୍କ ସହ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ଅଡ଼ୁଆରେ ପକାଇପାରେ ।।
ଇଂଲଣ୍ଡ: ବେନ୍ ଡକେଟ୍, ଫିଲ୍ ସଲ୍ଟ, ଜୋ ରୁଟ୍, ହ୍ୟାରି ବ୍ରୁକ୍, ଜୋସ୍ ବଟଲର (ଅଧିନାୟକ), ଲିଅମ ଲିଭିଂଷ୍ଟୋନ୍, ଜ୍ୟାକବ୍ ବେଥେଲ୍, ବ୍ରାଇଡନ୍ କାର୍ସ, ଜୋଫ୍ରା ଆର୍ଚର, ଆଦିଲ ରସିଦ, ସକିବ ମହମୁଦ।
ସମ୍ଭାବ୍ୟ ଭାରତ: ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ୍, ବିରାଟ କୋହଲି, ଶ୍ରେୟସ୍ ଆୟର, କେଏଲ୍ ରାହୁଲ/ଋଷଭ ପନ୍ତ, ହାର୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡ଼େଜା, ଅକ୍ଷର ପଟେଲ/ୱାସିଂଟନ୍ ସୁନ୍ଦର, କୁଲଦୀପ ୟାଦବ/ବରୁଣ ଚକ୍ରବର୍ତ୍ତୀ, ଅର୍ଶଦୀପ ସିଂହ, ମହମ୍ମଦ ସାମି












Click it and Unblock the Notifications