IND vs ENG: ଇଂଲଣ୍ଡ ସାମ୍ନାରେ ୩୭୪ ରନର ବିଜୟ ଲକ୍ଷ୍ୟ ରଖିଲା ଭାରତ
ଇଂଲଣ୍ଡକୁ ୩୭୪ ରନ୍ ବିଜୟ ଲକ୍ଷ୍ୟ ଦେଇଛି ଭାରତ । ଭାରତ ଦ୍ବିତୀୟ ପାଳିରେ ୩୯୬ ରନ୍ ସଂଗ୍ରହ କରିଥିବାରୁ ଘରୋଇ ଦଳ ସମ୍ମୁଖରେ ଏବେ ଶୃଙ୍ଖଳା ବିଜୟ ପାଇଁ ଏହି ଲକ୍ଷ୍ୟରେ ପହଞ୍ଚିବାକୁ ହେବ।
ଭାରତକୁ ସିରିଜ ଡ୍ର ରଖିବା ପାଇଁ ଇଂଲଣ୍ଡ ଦ୍ବିତୀୟ ପାଳିର ୧୦ ୱିକେଟ୍ ଆବଶ୍ୟକ ହେଉଛି। ୩୭୪ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଇଂଲଣ୍ଡ ତୃତୀୟ ଦିନ ଷ୍ଟମ୍ପ୍ସ ସୁଦ୍ଧା ୧୩.୫ ଓଭର୍ରେ ୧ ୱିକେଟ୍ ହରାଇ ୫୦ ରନ୍ ସଂଗ୍ରହ କରିଛି। କ୍ରଲି (୧୪)ଙ୍କୁ ସିରାଜ୍ ବୋଲ୍ଡ କରିବା ସହ ଖେଳ ବନ୍ଦ ରହିଥିଲା। ଡେକଟ୍ (୩୪*) ବ୍ୟାଟିଂ କରୁଥିଲେ।

ଯଶସ୍ବୀ ଜୟସ୍ବାଲଙ୍କ ଷଷ୍ଠ ଶତକ (୧୧୮) ଏବଂ ନାଇଟ୍ ୱାଚ୍ମ୍ୟାନ୍ ଆକାଶ ଦୀପ (୬୬)ଙ୍କ ସହ ୧୦୭ ରନ୍ ଭାଗୀଦାରି ପରେ ରବୀନ୍ଦ୍ର ଜାଡ଼େଜା (୫୩, ୭୭ ବଲ୍, ୫ ଚୌକା) ଓ ୱାସିଂଟନ୍ ସୁନ୍ଦର (୫୩, ୪୬ ବଲ୍, ୪ ଚୌକା, ୪ ଛକା)ଙ୍କ ମନୋରଂଜନଭରା ଅର୍ଦ୍ଧଶତକ ଇଂଲଣ୍ଡ ସମ୍ମୁଖରେ ଏହି ଆହ୍ବାନଭରା ଲକ୍ଷ୍ୟ ରଖିଛି।
ଇଂଲଣ୍ଡ ଦ୍ବିତୀୟ ନୂଆ ବଲ୍ ନେବା ପରେ ଭାରତ ୮ ଓଭର ଭିତରେ ଶେଷ ୪ ୱିକେଟ୍ ହରାଇଥିଲା। କିନ୍ତୁ ଅନ୍ତିମ ୱିକେଟ୍ରେ ପ୍ରସିଦ୍ଧ କୃଷ୍ଣ (୦*, ୨ ବଲ୍)ଙ୍କୁ ନେଇ ୱାସିଂଟନ୍ ସୁନ୍ଦର ଛକା ଓ ଚୌକା ବର୍ଷା କରି ୩୯ ରନ୍ ଯୋଡ଼ିବା ଆଶା ଦେଖାଇଛି। ଇଂଲଣ୍ଡ ପାଇଁ ଜୋସ୍ ଟଙ୍ଗ୍ ତାଙ୍କ ଦ୍ବିତୀୟ ୫ ୱିକେଟ୍ ଦଖଲ କରିଛନ୍ତି।
ସଂକ୍ଷିପ୍ତ ସ୍କୋର: ଭାରତ ପ୍ରଥମ ପାଳି: ୨୨୪ (କରୁଣ ନାୟର-୫୭, ସାଇ ସୁଦର୍ଶନ-୩୮, ୱାସିଂଟନ୍ ସୁନ୍ଦର-୨୬, ଗସ୍ ଆଟ୍କିନ୍ସନ୍-୫/୩୩, ଜୋସ୍ ଟଙ୍ଗ୍-୩/୫୭)। ଇଂଲଣ୍ଡ ପ୍ରଥମ ପାଳି: ୨୪୭ (ଜ୍ୟାକ୍ କ୍ରଲି-୬୪, ହ୍ୟାରି ବ୍ରୁକ୍-୫୩, ପ୍ରସିଦ୍ଧ କୃଷ୍ଣ-୪/୬୨, ମହମ୍ମଦ ସିରାଜ-୪/୮୬, ଆକାଶ ଦୀପ-୧/୮୦)। ଭାରତ ଦ୍ବିତୀୟ ପାଳି: ୮୮ ଓଭରରେ ୩୯୬/୧୦ (ଯଶସ୍ବୀ ଜୟସ୍ବାଲ-୧୧୮, ଆକାଶ ଦୀପ-୬୬, ରବୀନ୍ଦ୍ର ଜାଡ଼େଜା-୫୩, ୱାସିଂଟନ୍ ସୁନ୍ଦର-୫୩, ଧ୍ରୁବ ଜୁରେଲ-୩୪, କରୁଣ ନାୟର-୧୭, ଶୁବମନ ଗିଲ୍-୧୧, ଜୋସ୍ ଟଙ୍ଗ୍-୫/୧୨୫, ଗସ୍ ଆଟ୍କିନ୍ସନ୍-୩/୧୨୭, ଜାମି ଓଭର୍ଟନ୍-୨/୯୮)।
ଆକାଶ ଦୀପଙ୍କ ରେକର୍ଡ
ଅନେକ ସଂଘର୍ଷ ଭିତରୁ ଉଭା ହୋଇଥିବା ଆକାଶ ଦୀପ ଶନିବାର ଟେଷ୍ଟ୍ କ୍ରିକେଟ୍ରେ ଏକ ରେକର୍ଡ ସୃଷ୍ଟି କରିଛନ୍ତି। ନାଇଟ୍ୱାଚ୍ମ୍ୟାନ୍ ଭାବେ ବ୍ୟାଟିଂ କରି ସେ ଯଶସ୍ବୀ ଜୟସ୍ବାଲଙ୍କ ସହ ଶତକୀୟ ଭାଗୀଦାରି (୧୦୭ ରନ୍) କରିବା ସହ ନିଜ ଟେଷ୍ଟ୍ ଜୀବନର ପ୍ରଥମ ଅର୍ଦ୍ଧଶତକ (୬୬ ରନ୍, ୯୪ ବଲ୍, ୧୨ ଚୌକା) ହାସଲ କରିଛନ୍ତି। ଚଳିତ ଶୃଙ୍ଖଳାରେ ଏହା ୧୮ତମ ଶତକୀୟ ଭାଗୀଦାରି ହୋଇଥିବାରୁ ଆକାଶ ଦୀପ ଏକ ରେକର୍ଡର ଅଂଶବିଶେଷ ହୋଇଛନ୍ତି। ପୂର୍ବରୁ ଗୋଟିଏ ଟେଷ୍ଟ୍ ଶୃଙ୍ଖଳା (୨୦୦୩-୦୪ ବର୍ଡର ଗାଭାସ୍କର ଟ୍ରଫି)ରେ ସର୍ବାଧିକ ୧୭ ଥର ଶତକୀୟ ଭାଗୀଦାରି ଦେଖିବାକୁ ମିଳିଥିଲା। ନାଇଟ୍ ୱାଚ୍ମ୍ୟାନ୍ ଭାବେ ଦ୍ବିତୀୟ ସର୍ବାଧିକ ଏବଂ ୧୪ ବର୍ଷ ପରେ ପ୍ରଥମ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ୨୦୧୧ରେ ଅମିତ ମିଶ୍ର ସେହି ଓଭାଲ୍ ଓ ସମାନ ପ୍ରତିଦ୍ବନ୍ଦ୍ବୀ ଇଂଲଣ୍ଡ ବିପକ୍ଷରେ ୮୪ ରନ୍ କରିଥିଲେ। ସବୁଠାରୁ ବଡ଼ କଥା ହେଉଛି ଇଂଲଣ୍ଡ ମାଟିରେ ଶିଖର ଧାୱନ (୧୪ ପାଳି), ରବିଚନ୍ଦ୍ରନ ଅଶ୍ବିନ (୧୪ ପାଳି), ଗୌତମ ଗମ୍ଭୀର (୧୦ ପାଳି)ଙ୍କୁ ପଛରେ ପକାଇଛନ୍ତି। ଏହି ୩ ପ୍ରତିଷ୍ଠିତ ଭାରତୀୟ କେବେ ବି ଇଂଲଣ୍ଡରେ ଅର୍ଦ୍ଧଶତକ ହାସଲ କରିନାହାନ୍ତି।












Click it and Unblock the Notifications