IND vs ENG: ଗିଲ୍, ଜାଡ଼େଜା ଓ ସୁନ୍ଦରଙ୍କ ଶତକ, ଇଣ୍ଡିଆ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ ଡ୍ର
ଲଢ଼ିଲା ଭାରତ । ପ୍ରଥମ ପାଳିରେ ୩୧୧ ରନ୍ ପଛୁଆ ରହିବା ପରେ ଭାରତ ମାତ୍ର ୪ ୱିକେଟ୍ ହରାଇ ଓଲ୍ଡ ଟ୍ରାଫୋର୍ଡ ଟେଷ୍ଟ୍ ମ୍ୟାଚ୍କୁ ଡ୍ର' ରଖିଦେଇଛି। ଏଥି ସହ ଆଣ୍ଡରସନ୍-ତେନ୍ଦୁଲକର ଟ୍ରଫି ଶୃଙ୍ଖଳାକୁ ବି ଜୀବନ୍ତ କରି ଦେଇଛି।
ରବୀନ୍ଦ୍ର ଜାଡ଼େଜା (୧୦୭*) , ଶୁବମନ ଗିଲ୍ (୧୦୩) ଓ ୱାସିଂଟନ୍ ସୁନ୍ଦର (୧୦୧*)ଙ୍କ ଶତକ ଓ କେଏଲ୍ ରାହୁଲଙ୍କ ୯୦ ରନ ବଳରେ ଭାରତ ମ୍ୟାଚ୍ 'ଡ୍ର' ରଖିପାରିଛି । ଦ୍ବିତୀୟ ପାଳିର ଆହ୍ବାନ ଏବଂ ୧୪୨ ଓଭର ଭିତରେ ମାତ୍ର ୨ ୱିକେଟ୍ ହରାଇବା ଭାରତର ବ୍ୟାଟିଂ କ୍ଷମତା ଓ ସାହସିକ ସଂଜମତାକୁ ବି ପ୍ରତିଫଳିତ କରିଛି।
ତଥାପି ୫ ମ୍ୟାଚ୍ ଶୃଙ୍ଖଳାରେ ଇଂଲଣ୍ଡ ୨-୧ରେ ଆଗୁଆ ରହିଛି। ଜୁଲାଇ ୩୧ ତାରିଖରୁ ପଞ୍ଚମ ତଥା ଅନ୍ତିମ ଟେଷ୍ଟ୍ ଦ ଓଭାଲରେ ଖେଳାଯିବ। ଭାରତ କେବଳ ଶୃଙ୍ଖଳା ବରାବର କରିବାର ସୁଯୋଗ ପାଇବ।

ଚଳିତ ଗସ୍ତରେ ପ୍ରଥମ ଥର ପାଇଁ ୪ ଜଣ ବ୍ୟାଟର୍ ମୋଟ ୪୦୦+ ରନ୍ ସଂଗ୍ରହ କରିଛନ୍ତି। ସେମାନେ ହେଲେ ଶୁବମନ ଗିଲ୍ (୭୨୨), କେଏଲ୍ ରାହୁଲ୍ (୫୧୧), ଋଷଭ ପନ୍ତ୍ (୪୭୯) ଓ ରବୀନ୍ଦ୍ର ଜାଡ଼େଜା (୪୫୪)। ବିଶ୍ବର ପ୍ରଥମ ଦଳ ଭାବେ ଭାରତ ଗୋଟିଏ ଶୃଙ୍ଖଳାରେ ସର୍ବାଧିକ ୭ ଥର ୩୫୦+ ସ୍କୋର୍ କରି ରେକର୍ଡ କରିଛି। ସୁନ୍ଦରଙ୍କ ଶତକ ସହିତ ଭାରତ ମଧ୍ୟ ଚଳିତ ଗସ୍ତରେ ଏକାଦଶ ବ୍ୟକ୍ତିଗତ ଶତକ ପାଇଛି। ଯାହା ଯୁଗ୍ମ ସର୍ବାଧିକ। ୧୯୭୮-୭୯ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତ ମଧ୍ୟ ୧୧ ଶତକ ପାଇଥିଲା। ତୃତୀୟ କିମ୍ବା ଚତୁର୍ଥ ପାଳିରେ ଭାରତ ପ୍ରଥମ ଥର ପାଇଁ ୩ଟି ଶତକ ମଧ୍ୟ ପାଇଛି।
ଶନିବାର ଖାତା ଖୋଲିବା ପୂର୍ବରୁ ୨ ୱିକେଟ୍ (ଜୟସ୍ବାଲ ଓ ସୁଦର୍ଶନ)ଙ୍କୁ ହରାଇ ଟିମ୍ ଇଣ୍ଡିଆ ଗଭୀର ସଙ୍କଟରେ ପଡ଼ିଥିଲା। ତେବେ ୩୧୧ ରନ୍ ପଛୁଆ ରହିବାର ଚାପରେ ନ ପଡ଼ି କେଏଲ୍ ରାହୁଲ୍ ଓ ଶୁବମନ ଗିଲ୍ ୧୮୮ ରନ୍ ଭାଗୀଦାରି କରିବା ଆଶା ସଂଚାର କରିଥିଲା। ରବିବାର ରାହୁଲ ମାତ୍ର ୧୦ ରନ୍ ପାଇଁ ଚଳିତ ଗସ୍ତର ତୃତୀୟ ଶତକ ହରାଇଥିଲେ। ଗିଲ୍ କିନ୍ତୁ ଶୃଙ୍ଖଳାର ଚତୁର୍ଥ ଓ କ୍ୟାରିୟରର୍ ଅଷ୍ଟମ ଶତକ ହାସଲ କରି ନେଇଥିଲେ। ଗିଲ୍ଙ୍କ ୱିକେଟ୍ ସହ ଭାରତ ୨୨୨/୪ରେ ଥିବାରୁ ବିପଦ ସମ୍ପୂର୍ଣ୍ଣ ଭାବେ ଭାରତ ଉପରେ ଥିଲା।
ଏହି ସମୟରେ ଦୁଇ ବାମହାତୀ ବ୍ୟାଟର୍ ୱାସିଂଟନ୍ ସୁନ୍ଦର ଓ ରବୀନ୍ଦ୍ର ଜାଡ଼େଜା ଇଂଲିସ୍ ବୋଲରଙ୍କୁ କୌଣସି ସୁଯୋଗ ଦେଇ ନଥିଲେ। ଅସୀମ ଧୈର୍ଯ୍ୟ ଓ ସଂଜମତା ଦେଖାଇ ଦ୍ବିଶତକ (୬୫.୨ ଓଭରରେ ୨୦୩ ରନ୍) ଭାଗୀଦାରି କରି ଇଂଲଣ୍ଡ ଆଶାରେ ପାଣି ଭରି ଦେଇଥିଲେ। ଉଭୟ ନିଜ ଖେଳ ଜୀବନର ବହୁ ପ୍ରତୀକ୍ଷିତ ଶତକ ଅର୍ଜନ କରିବା ମାତ୍ରେ ଆଉ ଫଳାଫଳ ମିଳିବା ସମ୍ଭାବନା ନ ଥିବାରୁ ମ୍ୟାଚ୍କୁ ଡ୍ର' ପାଇଁ ସହମତ ହୋଇଯାଇଥିଲେ।
ସଂକ୍ଷିପ୍ତ ସ୍କୋର:ଭାରତ ପ୍ରଥମ ପାଳି: ୩୫୮ (ସାଇ ସୁଦର୍ଶନ-୬୧, ଯଶସ୍ବୀ ଜୟସ୍ବାଲ-୫୮, ଋଷଭ ପନ୍ତ୍-୫୪, ବେନ୍ ଷ୍ଟୋକ୍ସ-୫/୭୨, ଜୋଫ୍ରା ଆର୍ଚର-୩/୭୩)। ଇଂଲଣ୍ଡ ପ୍ରଥମ ପାଳି: ୬୬୯ (ଜୋ ରୁଟ୍-୧୫୦, ବେନ୍ ଷ୍ଟୋକ୍ସ-୧୪୧, ବେନ୍ ଡକେଟ୍-୯୪, ଜ୍ୟାକ୍ କ୍ରଲି-୮୪, ଓଲି ପୋପ୍-୭୧, ବ୍ରାଏଡନ୍ କାର୍ସ-୪୭, ରବୀନ୍ଦ୍ର ଜାଡ଼େଜା-୪/୧୪୩, ୱାସିଂଟନ୍ ସୁନ୍ଦର-୨/୧୦୭, ଯଶପ୍ରୀତ୍ ବୁମ୍ରା-୨/୧୧୨, ଅଂଶୁଲ କମ୍ବୋଜ-୧/୮୯, ମହମ୍ମଦ ସିରାଜ-୧/୧୪୦)। ଭାରତ ଦ୍ବିତୀୟ ପାଳି: ୧୪୩ ଓଭରରେ ୪୨୫/୪ (ରବୀନ୍ଦ୍ର ଜାଡ଼େଜା-୧୦୭*, ଶୁବମନ ଗିଲ୍-୧୦୩, ୱାସିଂଟନ୍ ସୁନ୍ଦର-୧୦୧*, କେଏଲ୍ ରାହୁଲ-୯୦, କ୍ରିସ୍ ୱକ୍ସ-୨/୬୭, ବେନ୍ ଷ୍ଟୋକ୍ସ-୧/୩୩, ଜୋଫ୍ରା ଆର୍ଚର-୧/୭୮)।
କିଂବଦନ୍ତିଙ୍କ କ୍ଲବ୍ରେ ଗିଲ୍
ଭାରତୀୟ ଟେଷ୍ଟ୍ ଦଳର ଯୁବ ଅଧିନାୟକ ଶୁବମନ ଗିଲ୍ ଏବେ ଦୁଇ ବ୍ୟାଟିଂ କିଂବଦନ୍ତି ସୁନୀଲ ଗାଭାସ୍କର ଓ ସାର୍ ଡନ୍ ବ୍ରାଡ୍ମ୍ୟାନ୍ଙ୍କ ରେକର୍ଡର ସମକକ୍ଷ ହୋଇ ବଡ଼ ଉପଲବ୍ଧି ହାସଲ କରିଛନ୍ତି। ଏପରିକି ଉଭୟଙ୍କୁ ପଛରେ ପକାଇଦେବାର ସମ୍ଭାବନା ସୃଷ୍ଟି କରିଛନ୍ତି। ଗୋଟିଏ ଶୃଙ୍ଖଳାରେ ଅଧିନାୟକ ଭାବେ ୪ ଶତକ ହାସଲ କରିଛନ୍ତି। ଯାହାକି ପୂର୍ବରୁ କେବଳ ଗାଭାସ୍କର ଓ ବ୍ରାଡ୍ମ୍ୟାନ୍ କରିଥିଲେ। ଭାରତୀୟ ପାଳିର ୮୩ତମ ଓଭରରେ କ୍ରିସ୍ ୱକ୍ସଙ୍କଠାରୁ ଏକ ରନ୍ ନେଇ ସେ ଏହି ମାଇଲ୍ଖୁଣ୍ଟ ଛୁଇଁଥିଲେ। ବ୍ରାଡ୍ମ୍ୟାନ୍ ୧୯୪୭-୪୮ରେ ଭାରତ ବିପକ୍ଷ ଘରୋଇ ଶୃଙ୍ଖଳାରେ ୪ ଶତକ ମାରିଥିବା ବେଳେ ଗାଭାସ୍କର ୧୯୭୮-୭୯ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଘରୋଇ ଶୃଙ୍ଖଳାରେ ମଧ୍ୟ ୪ ଥର ତିନି ଅଙ୍କ ଛୁଇଁଥିଲେ। ଗିଲ୍ କିନ୍ତୁ ତୃତୀୟ ଭାରତୀୟ ଭାବେ ଗୋଟିଏ ଶୃଙ୍ଖଳାରେ ୪ ଶତକ ହାସଲ କରିଛନ୍ତି। ଗାଭାସ୍କର ୧୯୭୧ ୱେଷ୍ଟଇଣ୍ଡିଜ୍ ଗସ୍ତ ଏବଂ ୧୯୭୮-୭୯ରେ ୱେଷ୍ଟଇଣ୍ଡିଜ୍ର ଭାରତ ଗସ୍ତ ବେଳେ ଦୁଇ ଥର ଏହା କରିପାରିଥିଲେ। ୨୦୧୪-୧୫ ଅଷ୍ଟ୍ରେଲିଆ ଗସ୍ତରେ ବିରାଟ କୋହଲି ମଧ୍ୟ ୪ ଶତକ ହାସଲ କରିଥିଲେ। ଏହି ଗସ୍ତ ଅଧାରୁ ମହେନ୍ଦ୍ର ସିଂହ ଧୋନିଙ୍କଠାରୁ ସେ ମଧ୍ୟ ନେତୃତ୍ବ ଭାର ସମ୍ଭାଳିଥିଲେ।
ଗିଲ୍ ହେଡିଂଲେରେ ତାଙ୍କ ନେତୃତ୍ବର ପ୍ରଥମ ଟେଷ୍ଟ୍ରେ ୧୪୭ ରନ୍ କରିଥିବା ବେଳେ ଲିଡ୍ସରେ ଉଭୟ ପାଳିରେ ଶତକ (୨୬୯ ଓ ୧୬୧) ହାସଲ କରିଥିଲେ। ରବିବାର ୧୦୩ ରନ୍ କରି ଜୋଫ୍ରା ଆର୍ଚରଙ୍କ ଅଫଷ୍ଟମ୍ପ୍ ବାହାର ବଲ୍କୁ ଛାଡ଼ି ନାପାରି ୱିକେଟ୍ରକ୍ଷକ ଜାମି ସ୍ମିଥ୍ଙ୍କ ଗ୍ଲୋଭ୍ସରେ ଧରାପଡ଼ିଯାଇଥିଲେ। ଗୋଟିଏ ଶୃଙ୍ଖଳାରେ ୭୦୦ରୁ ଊର୍ଧ୍ବ ରନ୍ ସଂଗ୍ରହ କରିବାରେ ମଧ୍ୟ ଗିଲ ଦ୍ବିତୀୟ ଭାରତୀୟ ହୋଇଛନ୍ତି। ସୁନୀଲ ଗାଭାସ୍କର ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଉଭୟ ଥର (୭୭୪ ରନ୍, ୧୯୭୧ ଏବଂ ୭୩୨ ରନ୍, ୧୯୭୮-୭୯) ଏହା ହାସଲ କରିଥିଲେ। ଆଉ ଗୋଟିଏ ଟେଷ୍ଟ୍ ଥିବାରୁ ଗାଭାସ୍କରଙ୍କ ୭୭୪ ରନ୍ ରେକର୍ଡକୁ ଟପିବା ଲାଗି ଗିଲ୍ଙ୍କୁ ଆଉ ୫୩ ରନ୍ ଆବଶ୍ୟକ ରହିଛି। ପଞ୍ଚମ ତଥା ଶେଷ ଟେଷ୍ଟ୍ ଜୁଲାଇ ୩୧ ତାରିଖରୁ ଦ ଓଭାଲ୍ରେ ଖେଳାଯିବ।
-
ଡାଲମାରୁ ବାହାରିଲା ସାପ, ଲୋକେ ଛାନିଆ, ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ୪୦ରୁ ଊର୍ଦ୍ଧ୍ବ ଲୋକଙ୍କ ଲମ୍ବା ଲାଇନ -
ଭାରତ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ଆଶଙ୍କା ,' ପ୍ରକାଶ କଲା ଆମେରିକାର ଗୁଇନ୍ଦା ରିପୋର୍ଟ -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ -
୨୪ ଘଣ୍ଟାରେ ବ୍ୟାକଫୁଟକୁ ଗଲେ ଟ୍ରମ୍ପ, ଏହି ଦେଶର ତୈଳ କିମ୍ବା ଗ୍ୟାସ ଉପରେ...... -
ଯୁଦ୍ଧ ଭିତରେ ବଡ ଦାବି କଲା ଇରାନ, କହିଲା ଯୁଦ୍ଧରେ ଆମେରିକାର ୨୦୦ ସହ ସୈନ୍ୟ ନିହତ ହେଲେଣି -
LPG ସିଲିଣ୍ଡରର ଅବୈଧ ଗଚ୍ଛିତ ଏବଂ କଳାବଜାରୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟସରକାରଙ୍କୁ କେନ୍ଦ୍ରର ନିର୍ଦ୍ଦେଶ -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
IPL 2026 : ଇଶାନ ସନରାଇଜର୍ସର ନୂଆ କ୍ୟାପ୍ଟେନ୍ -
ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି; ସୁବାସିନୀ ଜେନା -
ଇଦ ପାଇଁ ବନ୍ଦ ହେଲା ପାକିସ୍ତାନ ଓ ଆଫଗାନିସ୍ତାନ ଯୁଦ୍ଧ, ରହିଛି ଏହି ସର୍ତ୍ତ -
ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରୁ ଦେଇନାହାନ୍ତି ୯୯୩୦ ଛାତ୍ରଛାତ୍ରୀ -
ପ୍ରମିଳାଙ୍କୁ କଡ଼ା କାଉଣ୍ଟର କଲେ ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ, କହିଲେ ମିଛ ଡ୍ରାମା କରୁଛନ୍ତି ବିରୋଧୀ












Click it and Unblock the Notifications