IND vs ENG: ଆଜି ଦ୍ୱିତୀୟ ଟି୨୦; ଜାଣନ୍ତୁ କେବେ, କେଉଁଠି ଦେଖିପାରିବେ ମ୍ୟାଚ୍ ?
ଭାରତ ଓ ଇଂଲଣ୍ଡ ମଧ୍ୟରେ ଚଳିତ ସିରିଜର ଦ୍ୱିତୀୟ ଟି ୨୦ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ଶନିବାର ଏଠାରେ ଅନୁଷ୍ଠିତ ହେବ । ପ୍ରଥମ ଟି୨୦ରେ ଭାରତ ସମ୍ପୂର୍ଣ୍ଣ ପ୍ରାଧାନ୍ୟ ବିସ୍ତାର କରି ୭ ଉଇକେଟରେ ସହଜ ବିଜୟ ହାସଲ କରିଥିଲା। ଦ୍ୱିତୀୟ ଟି୨୦ରେ ମଧ୍ୟ ପ୍ରଦର୍ଶନ ଦୋହରାଇବା ଲକ୍ଷ୍ୟରେ ରହିବ ଘରୋଇ ଦଳ। ଏପରିସ୍ଥିତିରେ ଶାମି ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଉଛନ୍ତି କି ନାହିଁ ତା ଉପରେ ନଜର ରହିବ।
ଆହତ ସମସ୍ୟାରୁ ମୁକୁଳିବାପରେ ଜାତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିବା ଦ୍ରୁତ ବୋଲର ମହମ୍ମଦ ଶାମି ପ୍ରଥମ ମ୍ୟାଚରେ ସୁଯୋଗ ପାଇ ନ ଥିଲେ। ଫଳରେ ତାଙ୍କ ଫିଟ୍ନେସକୁ ନେଇ ପ୍ରଶ୍ନ ଉଠିଥିଲା। ୫ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୧-୦ରେ ଅଗ୍ରଣୀଲାଭ କରିଛି।
୩୪ ବର୍ଷୀୟ ଶାମି ନେଟ୍ସରେ ଯେପରି ଆକ୍ଟିଭ ଥିଲେ ପ୍ରଥମ ଟି୨୦ରେ ଖେଳିବେ ବୋଲି ଅନୁମାନ କରାଯାଉଥିଲା। ମାତ୍ର ତାହା ହୋଇ ନ ଥିଲା। କୋଲକାତା ମ୍ୟାଚରେ ଭାରତ ତାଙ୍କ ଅନୁପସ୍ଥିତି ମଧ୍ୟ ଅନୁଭବ କରି ନ ଥିଲା। ଅର୍ଶଦୀପ ସିଂ ଇଂଲଣ୍ଡର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିବାବେଳେ ମିଡିଲ ଅର୍ଡରରେ ବରୁଣ ଚକ୍ରବର୍ତ୍ତୀ ଚମତ୍କାର ବୋଲିଂ କରି ଇଂଲଣ୍ଡକୁ ବଡ଼ ସ୍କୋର କରିବାକୁ ଦେଇ ନ ଥିଲେ।

ଶାମି ଯଦି ସ୍ଥାନ ପାଆନ୍ତି ତେବେ ନୀତୀଶ କୁମାର ରେଡ୍ଡୀଙ୍କୁ ବାହାରେ ବସିବାକୁ ପଡ଼ିପାରେ। ଚେପକ୍ରେ ପିଚ୍ ସ୍ପିନରଙ୍କୁ ସୁହାଇବା ସମ୍ଭାବନା ରହିଛି। ଅତୀତରେ ମଧ୍ୟ ତାହା ହୋଇଛି। ଏପରିସ୍ଥଳେ ବରୁଣ, ଅକ୍ଷର ପଟେଲ ଓ ରବି ବିଷ୍ଣୋଇଙ୍କୁ ନେଇ ଭାରତୀୟ ଲାଇନ୍ଅପ୍ରେ କ୍ୱାଲିଟି ଏବଂ ଭେରାଇଟି ଥିବାରୁ ଇଂଲଣ୍ଡ ପୁଣି ଅସୁବିଧାରେ ପଡ଼ିପାରେ।
ଇଂଲଣ୍ଡ କ୍ଷେତ୍ରରେ ଭାରତୀୟ ବ୍ୟାଟରଙ୍କୁ ଅସୁବିଧାରେ ପକାଇବାପାଇଁ ହେଲେ ଅଭିଜ୍ଞ ଆଦିଲ ରଶିଦ ଓ ଲିଆମ ଲିଭିଂଷ୍ଟୋନଙ୍କୁ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡ଼ିବ। ପ୍ରଥମ ଟି୨୦ରେ ଜୋଫ୍ରା ଆର୍ଚରଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ଇଂଲଣ୍ଡ ଦ୍ରୁତ ବୋଲର ଅଭିଷେକ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ ଆଗରେ ପ୍ରଭାବୀ ହୋଇ ପାରି ନ ଥିଲେ। ଅଭିଷେକ ଶର୍ମା ଓ ସଞ୍ଜୁ ସାମସନ ପୁଣି ଇନିଂସ ଓପନ କରିବା ଏକପ୍ରକାର ନିଶ୍ଚିତ। ତେବେ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ଫର୍ମକୁ ଫେରିବା ଆବଶ୍ୟକ ହେଉଛି।
ଚେପକ୍ ପିଚ୍କୁ ଦୃଷ୍ଟିରେ ରଖି ଇଂଲଣ୍ଡ ଯୁବ ଲେଗ୍ ସ୍ପିନର ରେହନ ଅହମଦଙ୍କୁ ଦଳରେ ନେବାକୁ ଚିନ୍ତା କରିପାରେ। ଏହା ବ୍ୟତୀତ ଗସ୍ ଆଟକିନସନଙ୍କ ସ୍ଥାନରେ ଡାହାଣହାତୀ ପେସର ବ୍ରେଡନ କର୍ସଙ୍କୁ ଦଳରେ ସାମିଲ ସାମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ।
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ୭:୦୦ ଟାରେ ଆରମ୍ଭ ହେବ। ଟସ ଏହାର ଅଧ ଘଣ୍ଟା ପୂର୍ବରୁ ଅର୍ଥାତ୍ ସନ୍ଧ୍ୟା ୬:୩୦ରେ ହେବ। ଏହି ସିରିଜର ପ୍ରସାରଣ ଅଧିକାର ଷ୍ଟାର ସ୍ପୋର୍ଟସ ପାଖରେ ଅଛି। ସିରିଜର ପ୍ରଥମ ମ୍ୟାଚ୍ର ଲାଇଭ ଷ୍ଟ୍ରିମିଂ କେଉଁଠାରେ ଉପଲବ୍ଧ ହେବ। Disney+ Hostar ରେ ଅନଲାଇନରେ ଦେଖିପାରିବେ।












Click it and Unblock the Notifications