IND vs BAN: ସାକିବଙ୍କୁ ସ୍ୱତନ୍ତ୍ର ଉପହାର ଦେଲେ ବିରାଟ, ଫଟୋ ଭାଇରାଲ, ସମସ୍ତେ କଲେ ପ୍ରଶଂସା
ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟକୁ ଭାରତ ୭ ୱିକେଟରେ ଜିତି ସିରିଜକୁ ୨-୦ରେ କ୍ଲିନ ସୁଇପ କରିଛି। ଏହି ଟେଷ୍ଟ ପୂର୍ବରୁ ବାଂଲାଦେଶର କିମ୍ବଦନ୍ତୀ କ୍ରିକେଟର ନିଜର ଅବସର ନେଇ ବଡ଼ ଘୋଷଣା କରିଥିଲେ।
ମୀରପୁରରେ ଅନୁଷ୍ଠିତ ହେବାକୁ ଥିବା ଦକ୍ଷିଣ ଆଫ୍ରିକା ଟେଷ୍ଟ ପରେ ସେ ଟେଷ୍ଟ କ୍ରିକେଟରୁ ବିଦାୟ ନେବେ । କିନ୍ତୁ ଏଥିରେ ତାଙ୍କ ଯୋଗଦାନକୁ ନେଇ ସସପେନ୍ସ ରହିଛି। କାରଣ ବାଂଲାଦେଶରେ ଏବେ ରାଜନୀତିକ ଅସ୍ଥିରତା ଲାଗି ରହିଛି । ସାକିବଙ୍କ ନାଁରେ ମଧ୍ୟ ଏକାଧିକ ହତ୍ୟା ମାମଲା ରୁଜୁ ହୋଇଛି । ତେଣୁ ବାଂଲାଦେଶରେ ଖେଳିବା ସାକିବଙ୍କ ପକ୍ଷରେ ସମ୍ଭବ ହୋଇ ନପାରେ ।
ଏହାର ଅର୍ଥ ଭାରତ ବିପକ୍ଷରେ ସାକିବ ସମ୍ଭବତଃ ତାଙ୍କ ଟେଷ୍ଟ କ୍ୟାରିୟର ଶେଷ ମ୍ୟାଚ୍ ଖେଳିଛନ୍ତି । ଏଥିପାଇଁ ଆଜିର ମ୍ୟାଚ୍ ପରେ ବିରାଟ କୋହଲି ତାଙ୍କୁ ସ୍ୱତନ୍ତ୍ର ଉପହାର ଦେଇଛନ୍ତି । ସେ ନିଜର ବ୍ୟାଟରେ ଦସ୍ତଖତ କରି ସାକିବଙ୍କୁ ଉପହାର ଆକାରରେ ପ୍ରଦାନ କରିଛନ୍ତି । ଏହାର ଫଟୋ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଭାରତ ମ୍ୟାଚ୍ ଜିତିବା ପରେ ବିରାଟ ସ୍ୱତନ୍ତ୍ର ଭାବେ ସାକିବଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହାପରେ ତାଙ୍କ ସହ କଥା ହେବା ସହ ନିଜ ବ୍ୟାଟକୁ ଉପହାର ଆକାରରେ ଦେଇଥିଲେ। ଏହାକୁ ସୋଶାଲ ମିଡିଆରେ ଅନେକ ପ୍ରଶଂସା କରିଛନ୍ତି। ସାକିବ ମଧ୍ୟ ବ୍ୟାଟ ପାଇ ବିରାଟଙ୍କୁ କୃତଜ୍ଞତା ଜଣାଇଛନ୍ତି।
କାନପୁରର ଗ୍ରୀନ ପାର୍କ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚରେ ବର୍ଷା ସାଜିଥିଲା ବାଧକ। ପ୍ରଥମ ଦିନ ଖେଳ ପରେ ଅଢେଇ ଦିନ ବର୍ଷା ଲାଗି ରହିଥିଲା। ବାଂଲାଦେଶ ପ୍ରଥମେ ପାଳି ଆରମ୍ଭ କରି ପ୍ରଥମ ଦିନରେ ୧୦୭ ରନ୍ କରିଥିଲା। ଏହାପରେ ବର୍ଷା ଛାଡିବା ପରେ ଚତୁର୍ଥ ଦିନରେ ପୁନର୍ବାର ମ୍ୟାଚ୍ ଆରମ୍ଭ ହୋଇଥିଲା।
ପ୍ରଥମ ଇନିଂସରେ ବାଂଲାଦେଶ ୨୩୩ ରନ୍ କରି ଥିବାବେଳେ ଭାରତ ୨୮୫ ରନ୍ କରିଥିଲା। ବାଂଲାଦେଶ ଦ୍ୱିତୀୟ ଇନିଂସ ଖେଳି ୯୫ ରନ୍ ଟାର୍ଗେଟ ଦେଇଥିଲା। ଭାରତ ଏହାକୁ ସହଜରେ ଜିତି ନେଇଛି। ଯଶସ୍ୱୀ ଜୈସ୍ୱାଲ ୫୧ ରନ୍ କରି ଥିବାବେଳେ ବିରାଟ କୋହଲି ଏବଂ ଋଷବ ପନ୍ତ ଅପରାଜିତ ରହି ଯଥାକ୍ରମେ ୨୯ ଏବଂ ୪ ରନ୍ କରିଥିଲେ।
ସେହିପରି ରୋହିତ ଶର୍ମା ୮ ଏବଂ ଶୁବମନ ଗିଲ୍ ୬ ରନ୍ କରିଥିଲେ। ଭାରତ ୧୭.୨ ଓଭରରେ ଏହି ମ୍ୟାଚ୍ ସହ ସିରିଜ୍ ବିଜୟୀ ହୋଇଛି।












Click it and Unblock the Notifications