ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ: ଓଭାଲରେ ବର୍ଷା ସାଜିପାରେ ବାଧକ, କିଏ ଜିତିବ ମ୍ୟାଚ ?
India vs Australia WTC Final 2023: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ ମ୍ୟାଚ୍ ଲଣ୍ଡନର ଓଭାଲରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି । ଆଜି (ରବିବାର) ଫାଇନାଲ ମ୍ୟାଚର ପଞ୍ଚମ ତଥା ଶେଷ ଦିନ । ତେବେ ଯଦି ଆଜି ବର୍ଷା ହେଲା... ତେବେ କିଏ ଜିତିବ ମ୍ୟାଚ୍ ? ଭାରତ ନା ଅଷ୍ଟ୍ରେଲିଆ ? ଏନେଇ ଫ୍ୟାନ୍ସଙ୍କ ମନରେ ଏବେ ଦ୍ବନ୍ଦ୍ୱ ଲାଗି ରହିଛି ।
କାରଣ ମିଳିଥିବା ସୂଚନାନୁସାରେ, ବିଶ୍ୱ ଟେଷ୍ଟ ଚମ୍ପିଆନସିପର ପଞ୍ଚମ ଦିନ ଅର୍ଥାତ ରବିବାର ଦିନ ଓଭଲ ଗ୍ରାଉଣ୍ଡରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଛି । ଏନେଇ ଇଂଲଣ୍ଡ ପାଣିପାଗ ବିଭାଗ ପୂର୍ବାନୁମାନ ଜାରି କରିଛି । ପାଣିପାଗ ବିଭାଗ ମୁତାବିକ, ପାଣିପାଗରେ ପରିବର୍ତ୍ତନ ହେବା ସହ ଅପରାହ୍ନ ସମୟରେ ୩୦ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟରେ ବର୍ଷା ସହ ଘଡିଘଡି ଆଶଙ୍କା ନେଇ ୟୁକୋ ମେଟ୍ରୋଲୋଜି ଡିପାର୍ଟମେଣ୍ଟ ପକ୍ଷରୁ ୟେଲୋ ଆଲର୍ଟ ଜାରି କରାଯାଇଛି । ତେଣୁ ଆଜି ମ୍ୟାଚରେ ବର୍ଷା ହେଲେ କଣ ହେବ ମ୍ୟାଚର ଫଳାଫଳ ?

ଆଇସିସିର ନିୟମ ଅନୁଯାୟୀ, ଯଦି ଫାଇନାଲ ମ୍ୟାଚରେ କୌଣସି ବି ଦିନ ବର୍ଷା ହୁଏ । ତେବେ ସେହି ଦିନ ପାଇଁ ରିଜର୍ଭ ଡେ ରଖାଯାଇଛି । ଯଦି ବର୍ଷା ପାଇଁ ଘଣ୍ଟାଏରୁ ଅଧିକ ସମୟ ବିଳମ୍ବ ହୁଏ ତେବେ ରିଜର୍ଭ ଡେ'ରେ ମ୍ୟାଚ୍ ଖେଳାଯିବ । ଅଥାର୍ତ ରବିବାର ମ୍ୟାଚ୍ ହୋଇ ନ ପାରିଲେ ସୋମବାର ମଧ୍ୟ ମ୍ୟାଚ୍ ଖେଳାଯାଇପାରିବ । ତେବେ ରିଜର୍ଭ ଡେ'ରେ ଯଦି ମ୍ୟାଚ୍ ହୋଇ ନପାରିଲା ତେବେ ଫଳାଫଳ ଡ୍ରରେ ଶେଷ ହେବ । ଏଭଳି ସ୍ଥିତିରେ ଉଭୟ ଭାରତ-ଅଷ୍ଟ୍ରେଲିଆକୁ ଯୁଗ୍ମ ବିଜେତା ଘୋଷଣା କରାଯିବ ।
ତେବେ ମ୍ୟାଚ ବିଷୟରେ କହିବାକୁ ଗଲେ, ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଜିତିବାକୁ ହେଲେ ଭାରତକୁ ଶେଷ ଦିନରେ ଦରକାର ୨୮୦ ରନ ଦରକାର ଥିବା ବେଳେ ହାତରେ ରହିଛି ମାତ୍ର ୭ ୱିକେଟ୍ । ଭାରତ ତାର ଦ୍ବିତୀୟ ପାଳିରେ ୧୬୪ ରନ କରିଥିବା ବେଳେ ୩ ୱିକେଟ୍ ହରାଇ ସାରିଛି । ୪ର୍ଥ ଦିନର ଷ୍ଟମ୍ପ ଅପସାରଣ ବେଳକୁ ବିରାଟ କୋହଲି ୪୪ ରନ ଓ ଆଜିଙ୍କ୍ୟ ରାହାଣେ ୨୦ ରନ କରି ଅପରାଜିତ ରହିଛନ୍ତି । ଏହି ଦୁଇ ଖେଳାଳିଙ୍କ ଉପରେ ଏବେ ଭାରତର ଜିତିବା ଓ ହାରିବା ନିର୍ଭର କରୁଛି ।
କହିରଖୁ କି, ଭାରତ ଲଗାତାର ଦ୍ୱିତୀୟ ଥର ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଫାଇନାଲ ମୁକାବିଲା ଖେଳୁଛି । ୨୦୨୧ରେ ଖେଳାଯାଇଥିବା ଫାଇନାଲ ମୁକାବିଲାରେ ନ୍ୟୁଜିଲାଣ୍ଡ ଠାରୁ ୮ ୱିକେଟରେ ପରାଜିତ ହୋଇଥିଲା ଟିମ୍ ଇଣ୍ଡିଆ ।












Click it and Unblock the Notifications