୪ର୍ଥ ଟେଷ୍ଟ, ୨ୟ ଦିନ: ପ୍ରଥମ ପାଳିରେ ବିଶାଳ ସ୍କୋର ଠିଆ କଲା ଅଷ୍ଟ୍ରେଲିଆ, ଭାରତ ୩୬/୦
ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜର ୪ର୍ଥ ମ୍ୟାଚରେ ନିଜର ପ୍ରଥମ ପାଳିରେ ଅତିଥି ଅଷ୍ଟ୍ରେଲିଆ ବିଶାଳ ସ୍କୋର ଠିଆ କରିଛି । ଉସମାନ୍ ଖ୍ୱାଜା ଓ କ୍ୟାମେରନ୍ ଗ୍ରୀନଙ୍କ ଶତକୀୟ ଇଂନିସ ସହ ୨ୟ ଦିନ ୪୮୦ ରନରେ ଅଲଆଉଟ୍ ହୋଇଛି ।

ଅହମ୍ମଦାବାଦ: ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜର ୪ର୍ଥ ମ୍ୟାଚରେ ନିଜର ପ୍ରଥମ ପାଳିରେ ଅତିଥି ଅଷ୍ଟ୍ରେଲିଆ ବିଶାଳ ସ୍କୋର ଠିଆ କରିଛି । ଉସମାନ୍ ଖ୍ୱାଜା ଓ କ୍ୟାମେରନ୍ ଗ୍ରୀନଙ୍କ ଶତକୀୟ ଇଂନିସ ସହ ୨ୟ ଦିନ ୪୮୦ ରନରେ ଅଲଆଉଟ୍ ହୋଇଛି । ଜବାବରେ ଭାରତ ତାର ପ୍ରଥମ ଇଂନିସ ଖେଳ ଆରମ୍ଭ କରିଛି । ଦ୍ବିତୀୟ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ଭାରତ ୩୬ ରନ କରିଥିବା ବେଳେ କୌଣସି ୱିକେଟ୍ ବ୍ୟୟ କରି ନାହିଁ । ରୋହିତ ଶର୍ମା ୧୭ ଓ ଗିଲ୍ ୧୮ ରନ କରି ଅପରାଜିତ ରହିଛନ୍ତି । ତେବେ ଭାରତ ପକ୍ଷରୁ ଅଶ୍ୱିନୀଙ୍କୁ ୬ ୱିକେଟ୍ ସଫଳତା ମିଳିଥିବା ବେଳେ ମହମ୍ମଦ ଶାମିଙ୍କୁ ୨ ୱିକେଟ୍, ଜାଡେଜା ଓ ଅକ୍ଷରଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଛି ।
ଆଜି ଅଷ୍ଟ୍ରେଲିଆ ଦଳୀୟ ସ୍କୋର ୨୫୫/୪ରୁ ନିଜର ଅଭିଯାନ ଆରମ୍ଭ କରିଥିଲା। ଦୁଇ ଅପରାଜିତ ବ୍ୟାଟର ଖ୍ୱାଜା ଓ ଗ୍ରୀନ ନିଜର ଦମ ଦେଖାଇବା ସହ ଲଞ୍ଚ ଯାଏ ଭାରତୀୟ ବୋଲରଙ୍କୁ ନିରାଶ କରିଥିଲେ। ଏଥିସହ ଖ୍ୱାଜା ନିଜର ଦେଢ଼ ଶହ ରନ ମଧ୍ୟ ପୂରା କରିଥିଲେ। ୪୯ ରନରୁ ଆଜି ବ୍ୟାଟିଂ ଆରମ୍ଭ କରିଥିବା ଗ୍ରୀନ ମଧ୍ୟ ଦ୍ରୁତ ଗତିରେ ରନ ସଂଗ୍ରହ କରିଥିଲେ। ଲଞ୍ଚ ସୁଦ୍ଧା ଅଷ୍ଟ୍ରେଲିଆ ୪ ୱିକେଟ ହରାଇ ୩୪୭ ରନ କରି ନେଇଥିଲା। ମଧ୍ୟାହ୍ନ ଭୋଜନ ପରେ ଗ୍ରୀନ ନିଜର ଶତକ ହାସଲ କରିଥିଲେ। ଏହା ତାଙ୍କ ଟେଷ୍ଟ କ୍ୟାରିୟରର ପ୍ରଥମ ଶତକ । ୧୭୦ ବଲରୁ ୧୧୪ ରନର ଶତକୀୟ ପାଳି ଖେଳିଥିଲେ ଗ୍ରୀନ । ଅନ୍ୟମାନଙ୍କ ମଧ୍ୟରେ କଙ୍ଗାରୁ ଦଳର ଅଧିନାୟକ ସ୍ମିଥ ୩୮, ହ୍ୟାଣ୍ଡସ୍କମ୍ବ ୧୭, ନାଥନ ଲାୟନ ୩୪ ଓ ଟଡ ମର୍ଫି ୪୧ ରନ ସଂଗ୍ରହ କରିଥିଲେ ।
ସୂଚନାଯୋଗ୍ୟ ଯେ, ଭାରତ ଏବେ ସିରିଜରେ ୨-୧ରେ ଆଗୁଆ ଅଛି । ଯଦି ଅଷ୍ଟ୍ରେଲିଆ ଏହି ମ୍ୟାଚ୍ ଜିତେ ତେବେ ସିରିଜ୍ ବରାବର ରହିବ । ଯଦି ଭାରତ ଏହି ମ୍ୟାଚ୍ ଜିତେ ତେବେ ଟିମ୍ ଇଣ୍ଡିଆ ୩-୧ରେ ସିରିଜ୍ ଜିତିବ । ଅନ୍ୟପଟେ ଯଦି ଏହି ମ୍ୟାଚ୍ ଡ୍ର ରୁହେ ତେବେ ମଧ୍ୟ ଭାରତ ବର୍ଡର-ଗାଭାସ୍କର ଟ୍ରଫି ନିଜ ପାଖରେ ରଖିବ । ସେହିପରି ଏହି ଶେଷ ମୁକାବିଲା ଭାରତ ପାଇଁ ନିର୍ଣ୍ଣାୟକ ରହିଛି । କାରଣ WTC ଫାଇନାଲରେ ପ୍ରବେଶ କରିବାକୁ ହେଲେ ଭାରତକୁ ଏହି ମ୍ୟାଚ୍ ଜିତିବାକୁ ହେବ । ଏହି ଟେଷ୍ଟ ଜିତିଲେ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ବିଶ୍ବ ଟେଷ୍ଟ ଚମ୍ପିୟନସିପ୍ ଖେଳିବାକୁ ଫାଇନାଲରେ ପ୍ରବେଶ କରି ପାରିବ । ପରାଜୟ କିମ୍ବା ଡ୍ର ରଖିଲେ ଶ୍ରୀଲଙ୍କା- ନ୍ୟୁଜିଲାଣ୍ଡ ମ୍ୟାଚର ଫଳାଫଳ ଉପରେ ଭାରତର ଭାଗ୍ୟ ନିର୍ଭର କରିବ ।












Click it and Unblock the Notifications