ଆଜି ନିର୍ଣ୍ଣାୟକ ଲଢେଇ
ଭାରତ ବନାମ ଅଷ୍ଟ୍ରେଲିଆ ମଧ୍ୟରେ ଆଜି ଖେଳାଯିବ ଟି-୨୦ ସିରିଜର ନିର୍ଣ୍ଣାୟକ ମ୍ୟାଚ । ସିରିଜ ୧-୧ରେ ବରାବର ଥିବା ବେଳେ ହାଇଦ୍ରାବାଦର ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଷ୍ଟାଡିୟମରେ ଦୁଇ ଦେଶ ଟ୍ରଫି ପାଇଁ ଟକ୍କର କରିବେ।
ହାଇଦ୍ରାବାଦ: ଭାରତ ବନାମ ଅଷ୍ଟ୍ରେଲିଆ ମଧ୍ୟରେ ଆଜି ଖେଳାଯିବ ଟି-୨୦ ସିରିଜର ନିର୍ଣ୍ଣାୟକ ମ୍ୟାଚ । ସିରିଜ ୧-୧ରେ ବରାବର ଥିବା ବେଳେ ହାଇଦ୍ରାବାଦର ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଷ୍ଟାଡିୟମରେ ଦୁଇ ଦେଶ ଟ୍ରଫି ପାଇଁ ଟକ୍କର କରିବେ । ମୋହଲି ଓ ନାଗପୁରରେ ବୋଲରଙ୍କ ପ୍ରବଳ ଧୂଲେଇ ହୋଇଥିଲା । ହାଇଦ୍ରାବାଦ ପିଚ୍ ମଧ୍ୟ ବ୍ୟାଟରଙ୍କୁ ସୁହାଇବ ବୋଲି କୁହାଯାଉଛି ।

ଏହି ମ୍ୟାଚ୍ରେ ଘରୋଇ ଭାରତୀୟ ଦଳର ଦୁଇ ଗୁରୁତ୍ୱପୂର୍ଣ୍ଣ ବୋଲର୍ ହର୍ଷଲ୍ ପଟେଲ୍ ଓ ୟୁଜବେନ୍ଦ୍ର ଚହଲ୍ ଫର୍ମକୁ ଫେରିବା ଆଶା ରହିଛି । ଏହି ଦୁଇ ବୋଲର୍ ଚଳିତ ସିରିଜ୍ରେ ଯଥେଷ୍ଟ ରନ୍ ବ୍ୟୟ କରିସାରିଛନ୍ତି । ସିରିଜ୍ର ଦ୍ୱିତୀୟ ମ୍ୟାଚ୍ରେ ଭାରତ ବିଜୟୀ ହୋଇଥିଲେ ହେଁ ହର୍ଷଲ୍ ଓ ଚହଲ୍ ବେଶ୍ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି । ତେଣୁ ଅନ୍ତିମ ଟି-୨୦ରେ ଉଭୟ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନଙ୍କ ଉପରେ ଭାରୀ ପଡ଼ିବେ ବୋଲି ଦର୍ଶକମାନେ ଆଶା ରଖିଛନ୍ତି । ମୋହଲି ଟି-୨୦ରେ ଭାରତ ୨୦୦ରୁ ଅଧିକ ରନ କରି ମଧ୍ୟ ହାରିଥିଲା। ତେବେ ନାଗପୁରେ ଦଳ କମବ୍ୟାକ କରିଛି। ତେଣୁ ହାଇଦ୍ରାବାଦ ମ୍ୟାଚ ଉପରେ ସମସ୍ତଙ୍କ ନଜର ରହିଛି ।
ନାଗପୁରର ମ୍ୟାଚ ୮ ଓଭର ବିଶିଷ୍ଟ ହୋଇଥିବାରୁ ଭାରତ ଭୁବନେଶ୍ୱର କୁମାରଙ୍କୁ ବାଦ ଦେଇ ଅତିରିକ୍ତ ବ୍ୟାଟର ଭାବେ ଋଷଭ ପନ୍ତଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରିଥିଲା। ହେଲେ ଆଜି ଦଳ ୫ ଜଣ ସ୍ପେଶାଲିଷ୍ଟ ବୋଲର ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ମୈଦାନକୁ ଓହ୍ଲାଇବ। ଏପରି ହେଲେ ପନ୍ତ ପୁଣି ବେଞ୍ଚକୁ ଫେରିବ ଓ ଭୁବନେଶ୍ୱର କୁମାର ଚୂଡ଼ାନ୍ତ ଏକାଦଶରେ ସାମିଲ ହେବେ ।
ବିଶେଷକରି ଆଗକୁ ଟି-୨୦ ବିଶ୍ୱକପ୍ ଥିବାରୁ ଏହି ଦୁଇ ବୋଲର୍ ଫର୍ମକୁ ଫେରିବାର ନିହାତି ଆବଶ୍ୟକତା ରହିଛି । ଶୁକ୍ରବାର ମ୍ୟାଚ୍ରେ ଅକ୍ଷର ପଟେଲ୍ ପ୍ରଭାବଶାଳୀ ବୋଲିଂ କରି ୩ଟି ୱିକେଟ୍ ନେଇଥିଲେ ହେଁ ଅନ୍ତିମ ଓଭର୍ ଆଡ଼କୁ ହର୍ଷଲ୍ ଓ ଚହଲ୍ଙ୍କୁ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ ନିର୍ଘାତ ପ୍ରହାର କରିଥିଲେ । ଅବଶ୍ୟ ଦଳକୁ ପ୍ରମୁଖ ପେସର୍ ଜସପ୍ରୀତ୍ ବୁମରା ଫେରିଥିବାରୁ ଏହା ବୋଲିଂ ଲାଇନ୍କୁ ସାମାନ୍ୟ ଶକ୍ତିଶାଳୀ କରିଛି । କିନ୍ତୁ ଭୁବନେଶ୍ୱର କୁମାର ଡେଥ୍ ଓଭର୍ରେ ଆଶାତୀତ ମହଙ୍ଗା ସାବ୍ୟସ୍ତ ହେବା ଅଧିନାୟକ ରୋହିତ ଶର୍ମାଙ୍କୁ ଚିନ୍ତାରେ ପକାଇଛି । ଦ୍ୱିତୀୟ ଟି-୨୦ରେ ଭୁବିଙ୍କୁ ବାଦ୍ ଦେଇ ଡେଥ୍ ଓଭର୍ ସ୍ପେଶାଲିଷ୍ଟ୍ ହର୍ଷଲଙ୍କୁ ରୋହିତ ଚୂଡ଼ାନ୍ତ ଏକାଦଶରେ ସାମିଲ୍ କରିଥିଲେ ମଧ୍ୟ ସେ ଭରସାଯୋଗ୍ୟ ସାବ୍ୟସ୍ତ ହୋଇପାରିନାହାନ୍ତି ।
ଅନ୍ୟପକ୍ଷରେ ଏସିଆ କପରେ ଫର୍ମକୁ ଫେରିବାର ସଙ୍କେତ ଦେଇ ଶତକ ହାସଲ କରିଥିବା ବିରାଟ କୋହଲି ୨ଟି ଯାକ ମ୍ୟାଚ୍ରେ ଆଖି ଦୃଶିଆ ପ୍ରଦର୍ଶନ କରିପାରି ନାହାନ୍ତି। ହେଲେ ହାଇଦ୍ରାବାଦରେ ତାଙ୍କ ରେକର୍ଡ ଭଲ। ହାଇଦ୍ରାବାଦ ପିଚ୍ କଥା ବିଚାରକୁ ନେଲେ ୩ ବର୍ଷ ହେଲା ଏଠାରେ କୌଣସି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳାଯାଇ ନାହିଁ। ସେହିପରି ୨୦୧୯ ପରଠାରୁ ଏଠାରେ ଆଇପିଏଲର କୌଣସି ମ୍ୟାଚ୍ ଆୟୋଜନ ହୋଇନି। ଶେଷଥର ଭାରତ ଓ ୱେଷ୍ଟଇଣ୍ଡିଜ୍ ଏଠାରେ ମୁହାଁମୁହିଁ ହୋଇଥିଲେ। ଏହି ମ୍ୟାଚରେ ପ୍ରବଳ ରନ ହୋଇଥିଲା।
ସେହିପରି ଅଷ୍ଟ୍ରେଲିଆ ପକ୍ଷରୁ ନାଥନ୍ ଏଲିସ୍ଙ୍କ ଅନୁପସ୍ଥିତିରେ ପ୍ୟାଟ୍ କମିନ୍ସ, ଜୋଶ୍ ହେଜଲଉଡ୍ ଓ ଡାନିଏଲ୍ ସାମ୍ସ ଓଭର୍ ପିଛା ୧୧ ରନ୍ରୁ ଅଧିକ ବ୍ୟୟ କରିଛନ୍ତି । ଅଲ୍ରାଉଣ୍ଡର୍ କ୍ୟାମେରନ୍ ଗ୍ରୀନ୍ ମଧ୍ୟ ବାଦ୍ ପଡ଼ିନାହାନ୍ତି । ସେହିପରି ବ୍ୟାଟିଂରେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଗ୍ଲେନ୍ ମ୍ୟାକ୍ସୱେଲ୍ଙ୍କୁ ବିଶ୍ୱକପ୍ ପୂର୍ବରୁ ଭଲ ଖେଳିବାକୁ ପଡ଼ିବ । ବିଶେଷକରି ଦଳ ଟାଇଟଲ୍ ବଜାୟ ରଖିବାର ଚାପ ମଧ୍ୟରେ ରହିଥିବାରୁ ମ୍ୟାକ୍ସୱେଲ୍ଙ୍କ ଫର୍ମର ଯଥେଷ୍ଟ ଗୁରୁତ୍ୱ ରହିଛି । ସେ ଅଦ୍ୟାବଧି ସିରିଜ୍ରେ ମାତ୍ର ୧ ରନ୍ କରି ଫର୍ମହୀନ ସାବ୍ୟସ୍ତ ହୋଇଛନ୍ତି ।
ଅନ୍ୟପକ୍ଷରେ ଜବରଦସ୍ତ ଫର୍ମରେ ଥିବା ଅଷ୍ଟ୍ରେଲିଆର ମାଥ୍ୟୁ ୱେଡ ଭାରତର ସବୁ ଯୋଜନାରେ ପାଣି ପକାଇ ଦେବାର ଆଶଙ୍କା ରହିଛି। ସେ ନିଜର ଟି-୨୦ କ୍ୟାରିୟରରେ ସର୍ବାଧିକ ରନ ଭାରତୀୟ ବୋଲରଙ୍କ ବିରୋଧରେ ହାସଲ କରିଛନ୍ତି। ଏହାର ପ୍ରମାଣ ସେ ଶେଷ ୨ ଟି-୨୦ରେ ମଧ୍ୟ ଦେଇଛନ୍ତି। ଭାରତ ବିରୋଧରେ ୱେଡ ଏଯାଏ ୩୫୮ ରନ କରିଛନ୍ତି। ତାଙ୍କ ବ୍ୟାଟିଂ ହାର ୫୯.୬୬ ରହିଛି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ୩ଟିକିଆ ଟି-୨୦ ସିରିଜ୍ରେ ୱେଡ ଏଯାଏ ଆଉଟ ହୋଇନାହାନ୍ତି। ପ୍ରଥମ ଟି-୨୦ ଭଳି ଦ୍ୱିତୀୟ ଟି-୨୦ରେ ମଧ୍ୟ ସେ ଅପରାଜିତ ରହିଥିଲେ। ତେଣୁ ଆଜି ତାଙ୍କ ୱିକେଟ ଦଖଲ କରିବା ଭାରତୀୟ ବୋଲରଙ୍କ ଆଗରେ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିବ।
ଭାରତ ଓ ଅଷ୍ଟ୍ରେଲିଆ ଏଯାଏ ୨୫ଟି ଟି-୨୦ରେ ମୁହାଁମୁହିଁ ହୋଇଛନ୍ତି। ଏଥିରୁ ଭାରତ ୧୪ଟିରେ ଜିତିଥିବା ବେଳେ ଅଷ୍ଟ୍ରେଲିଆ ୧୦ଟିରେ ବାଜିମାତ କରିଛି। ଗୋଟିଏ ମ୍ୟାଚ୍ ବର୍ଷା ଯୋଗୁ ଧୋଇ ହୋଇଯାଇଛି। ଭାରତରେ ଉଭୟ ଦଳ ୯ଟି ମ୍ୟାଚ୍ରେ ମୁହାଁମୁହିଁ ହୋଇଛନ୍ତି। ଏଥିରୁ ଭାରତ ୫ ଓ ଅଷ୍ଟ୍ରେଲିଆ ୪ଟିରେ ଜିତିଛି।












Click it and Unblock the Notifications