୧୧୭ ରନରେ ଅଲଆଉଟ୍ ହୋଇଗଲା ଭାରତ
ଟସ୍ ହାରି ଦ୍ୱିତୀୟ ଦିନିକିଆରେ ପ୍ରଥମେ ବ୍ୟାଟିଂ କରୁଥିବା ଟିମ ଇଣ୍ଡିଆ ବ୍ୟାଟରଙ୍କ ଦୟନୀୟ ପ୍ରଦର୍ଶନ ଯୋଗୁଁ ଭାରତ ୨୬ ଓଭରରେ ମାତ୍ର ୧୧୭ ରନରେ ଅଲଆଉଟ୍ ହୋଇଛି ।

ବିଶାଖାପାଟଣା: ଭାରତ ବନାମ ଅଷ୍ଟ୍ରେଲିଆ ଦିନିକିଆ ସିରିଜର ଆଜି ଦ୍ବିତୀୟ ମ୍ୟାଚରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ଦେଖିବାକୁ ମିଳିଛି । ଅଷ୍ଟ୍ରେଲିଆ ଦ୍ରୁତ ବୋଲରଙ୍କ ଘାତକ ବୋଲିଂ ଆଗରେ ଆତ୍ମ ସମର୍ପଣ କରିଛି ଘରୋଇ ଦଳ । ଟସ୍ ହାରି ଦ୍ୱିତୀୟ ଦିନିକିଆରେ ପ୍ରଥମେ ବ୍ୟାଟିଂ କରୁଥିବା ଟିମ ଇଣ୍ଡିଆ ବ୍ୟାଟରଙ୍କ ଦୟନୀୟ ପ୍ରଦର୍ଶନ ଯୋଗୁଁ ଭାରତ ୨୬ ଓଭରରେ ମାତ୍ର ୧୧୭ ରନରେ ଅଲଆଉଟ୍ ହୋଇଛି ।
ଅଷ୍ଟ୍ରେଲିଆ ପକ୍ଷରୁ ଷ୍ଟାର୍କ ୫ଟି ୱିକେଟ ନେଇଥିବା ବେଳେ ସେନ ଆବୋଟ ୩ଟି ଓ ଏଲିସ ୨ଟି ସଫଳତା ପାଇଛନ୍ତି । ଭାରତ ପକ୍ଷରୁ ବିରାଟ କୋହଲି ସର୍ବାଧିକ ୩୧ ରନ ଓ ଅକ୍ଷର ପଟେଲ ଅପରାଜି ୨୯ ରନ କରିବାକୁ ସକ୍ଷମ ହୋଇଛନ୍ତି । ସେହିପରି ରବୀନ୍ଦ୍ର ଜାଡେଜା ୧୬ ଓ ରୋହିତ ଶର୍ମା କେବଳ ୧୩ ରନ କରିଛନ୍ତି । ଏହି ୪ ଜଣ ବ୍ୟାଟରଙ୍କୁ ଛାଡ଼ି ଦେଲେ ଭାରତର ଆଉ କୌଣସି ଖେଳାଳି ଦୁଇ ଅଙ୍କ ଛୁଇଁବାକୁ ସକ୍ଷମ ହୋଇ ନାହାନ୍ତି । ଅଷ୍ଟ୍ରେଲିଆକୁ ମ୍ୟାଚ୍ ଜିତି ସିରିଜ୍ ବରାବର କରିବା ପାଇଁ ରହିଛି ୧୧୮ ରନର ସହଜ ବିଜୟ ଲକ୍ଷ୍ୟ।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବାକୁ କ୍ରିଜକୁ ଓହ୍ଲାଇଥିବା ଭାରତ ପ୍ରଥମ ୮ ଓଭରେ ୩ ୱିକେଟ ହରାଇ ୪୭ ରନ କରିପାରିଥିଲା । ତେବେ ଭାରତର ଯୁବ ଓପନର ଶୁଭମନ୍ ଗିଲ୍ ମାର୍ଣ୍ଣସ୍ ଲେବୁସେନ୍ଙ୍କ ଶୀକାର ହୋଇତିଲେ । ସେହିପରି ସୂର୍ଯ୍ୟକୁମାର ଯାଦବ ମଧ୍ୟ ମିସେଲ୍ ଷ୍ଟାର୍କଙ୍କ ବଲରେ ଏଲ୍ବିଡବ୍ଲୁ ଆଉଟ୍ ହୋଇଛନ୍ତି । ଅନ୍ୟପଟେ ପ୍ରଥମ ଦିନିକିଆ ପରେ ଦଳକୁ ଫେରିଥିବା ଅଧିନାୟକ ହିଟମ୍ୟାନ୍ ରୋହିତ ଶର୍ମା ୧୫ ବଲରେ ମାତ୍ର ୧୩ ରନ ସଂଗ୍ରହ କରିପାରି ଥିଲେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସୂର୍ଯ୍ୟ କୁମାର ଯାଦବ ଆଜି ମଧ୍ୟ ସେ ସାମ୍ନା କରିଥିବା ପ୍ରଥମ ବଲରେ ଖାତା ଖୋଲିବା ପୂର୍ବରୁ ଷ୍ଟାର୍କଙ୍କ ଦ୍ୱାରା ଏଲବିଡ୍ଲ୍ୟୁ ହୋଇଛନ୍ତି। ପ୍ରଥମ ଦିନିକିଆରେ ମଧ୍ୟ ସେ ଗୋଟିଏ ବଲର ସମ୍ମୁଖୀନ ହୋଇ ଷ୍ଟାର୍କଙ୍କ ଦ୍ୱାରା ଏଲବିଡ୍ଲ୍ୟୁ ହୋଇଥିଲେ ।
ସେହିପରି ଗତ ମ୍ୟାଚ୍ର ହିରୋ କେଏଲ ରାହୁଲ(୯) ମଧ୍ୟ ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା(୧) କିଛି ଖାସ୍ କରି ପାରିନଥିଲେ। ପ୍ରଥମ ଦିନିକିଆରେ ଭାରତର ବିଜୟରେ ବିନ୍ଧାଣି ସାଜିଥିବା ରବୀନ୍ଦ୍ର ଜାଡେଜା(୧୬) କ୍ରିଜରେ ଜମି ଆସୁଥିଲେ ମଧ୍ୟ ଆଉଟ୍ ହୋଇଥିଲେ। ଅକ୍ଷର ପଟେଲ୍ ନିମ୍ନ ଭାଗରେ ୨୯ ରନର ଅପରାଜିତ ଇନିଂସ ଖେଳିବାରୁ ଭାରତ ୧୧୭ ରନ ସ୍କୋରରେ ପହଞ୍ଚି ପାରିଥିଲା। କୁଲଦୀପ ଯାଦବ((୪), ମହମ୍ମଦ ଶାମି(୦) ଏବଂ ମହମ୍ମଦ ସିରାଜ(୦) ରନ କରି ଆଉଟ୍ ହୋଇଥିଲେ ।












Click it and Unblock the Notifications