ପ୍ରଥମ ଦିନିକିଆ: କେଏଲ ରାହୁଲଙ୍କ ଲଢୁଆ ପାଳି, ଅଷ୍ଟ୍ରେଲିଆକୁ ୫ ୱିକେଟରେ ମାତ୍ ଦେଲା ଭାରତ
ୱାଙ୍ଖଡେ ଷ୍ଟାଡିୟମରେ ଆଜି ଖେଳା ଯାଉଥିବା ପ୍ରଥମ ଦିନିକିଆରେ ୫ ୱିକେଟରେ ଭାରତ ବିଜୟ ହୋଇଛି । ଏଥି ସହିତ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରେ ଭାରତ ୧-୦ରେ ଆଗୁଆ ହୋଇଛି ।

ମୁମ୍ବାଇ: ସ୍ଥାନୀୟ ୱାଙ୍ଖଡେ ଷ୍ଟାଡିୟମରେ ଆଜି ଖେଳା ଯାଉଥିବା ପ୍ରଥମ ଦିନିକିଆରେ ୫ ୱିକେଟରେ ଭାରତ ବିଜୟ ହୋଇଛି । ଏଥି ସହିତ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରେ ଭାରତ ୧-୦ରେ ଆଗୁଆ ହୋଇଛି । ତେବେ ଭାରତ ବ୍ୟାଟିଂ ବିପର୍ଜୟ ବେଳେ ଳଢୁଆ ଇଂନିସ ଖେଳି ଭାରତକୁ ବିଜୟ ଭେଟି ଦେଇଛନ୍ତି କେଏଲ ରାହୁଲ ।
ଆଜିର ମ୍ୟାଚରେ ଟସ୍ ଜିତି ଭାରତ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରୁଥିବା ଅଷ୍ଟ୍ରେଲିଆ ଭାରତ ଆଗରେ ୧୮୯ ରନର ବିଜୟ ଲକ୍ଷ୍ୟ ରଖିଥିଲା । ଯାହାକୁ ଭାରତ ୩୯.୫ ତମ ଓଭରରେ ହାସଲ କରି ନେଇଛି । ଲୋକେଶ ରାହୁଲ ଦଳ ପକ୍ଷରୁ ସର୍ବାଧିକ ୭୫ ରନ କରିଥିବା ବେଳେ ରବୀନ୍ଦ୍ର ଜାଦେଜାଙ୍କ ୪୫ ରନର ଲଢୁଆ ପାଳି ଖେଳିଥିଲେ । ସେହିପରି ଏହି ମ୍ୟାଚ ପାଇଁ ଅଧିନାୟକ ଭାର ସମ୍ଭାଳୁ ଥିବା ହାର୍ଦ୍ଦିକ ପାଣ୍ଡ୍ୟା ବି ୨୫ ରନର ଯୋଗଦାନ ଦେଇଥିଲେ ।
ଆରମ୍ଭରୁ ଭାରତ ନିୟମିତ ବ୍ୟବଧାନରେ ୱିକେଟ ହରାଇ ସଂକଟରେ ପଡ଼ିଥିଲା । ପ୍ରଥମେ ଓପନର ଇଶାନ କିଷନ ଦଳୀୟ ସ୍କୋର ୫ ରନ୍ ଥିବା ବେଳେ ଆଉଟ ହୋଇଥିଲେ । ଏହା ପରେ ବିରାଟ କୋହଲି ମଧ୍ୟ ମାତ୍ର ୩ ରନ୍ କରି ଦଳୀୟ ସ୍କୋର ୧୬ ଥିବା ବେଳେ ଆଉଟ ହୋଇଥିଲେ । ପରେ ପରେ ସବୁଠୁ ବଡ଼ ଝଟକା ଭାବେ ସୂର୍ଯ୍ୟକୁମାର ଯାଦବ ଗୋଲ୍ଡେନ ଡକ୍ ହୋଇ ପାଭିନିୟନ ଫେରିଥିଲେ ।

ତେବେ ସୂର୍ଯ୍ୟ ପରେ ପଡିଆକୁ ଆସିଥିବା କେଏଲ ରାହୁଲ ଓପନର ଶୁବମାନ ଗିଲଙ୍କ ସାଥ୍ ଦେଇ ଦଳକୁ ଆଗକୁ ନେଉଥିବା ବେଳେ ଦଳୀୟ ସ୍କୋର ୩୯ ଥିବା ସମୟରେ ଶୁବମାନ ଗିଲ ଆଉଟ ହୋଇ ଯାଇଥିଲେ । ସେହିପରି ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ସହ ମିଶି ଦଳକୁ ୮୩ରନ୍ ଯାଏଁ ନେବା ପରେ ପାଣ୍ଡ୍ୟା ୨୫ ରନ୍ରେ ଆଉଟ ହୋଇଥିଲେ। ଏହାପରେ ଆସିଥିଲେ ରବୀନ୍ଦ୍ର ଜାଡେଜା । ରାହୁଲ-ଜାଡେଜା ଲଢୁଆ ଇଂନିସ ଖେଳି ଦଳକୁ ବିଜୟ ଭେଟି ଦେଇଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଷ୍ଟାର୍କ ୩ଟି ୱିକେଟ ନେଇଥିବା ବେଳେ ଷ୍ଟୋଇନିସ ୨ଟି ସଫଳତା ପାଇଛନ୍ତି ।
ସେପଟେ ପ୍ରଥମେ ବ୍ୟାଟିଂ କରୁଥିବା ଅଷ୍ଟ୍ରେଲିଆ ଆରମ୍ଭରୁ ଟ୍ରାଭିସ ହେଡଙ୍କୁ ହରାଇ ଝଟକା ପାଇଥିଲା । ତେବେ ମିଚେଲ ମାର୍ସ ଓ ଷ୍ଟିଭେନ ସ୍ମିଥ ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ମାର୍ସ ୮୧ ରନ କରି ରବୀନ୍ଦ୍ର ଜାଦେଜାଙ୍କ ବଲରେ ଆଉଟ ହୋଇଥିଲେ । ସ୍ମିଥ ୨୨ରନ କରିଥିଲେ । କିନ୍ତୁ ଏହା ପରେ ଦଳର ବ୍ୟାଟିଂ ବିପର୍ଯ୍ୟୟ ଆରମ୍ଭ ହୋଇଥିଲା । ଦଳର ମଧ୍ୟକ୍ରମ ବ୍ଯାଟରମାନେ ସଂପୂର୍ଣ୍ଣ ବିଫଳ ହୋଇଥିଲେ । କେବଳ ଇଙ୍ଗଲିସ୍ ୨୬ ରନ କରିଥିବା ବେଳେ ଲାବୁସଚେନ ୧୫ ରନ କରିଥିଲେ । ଗ୍ଲେନ ମାକ୍ସଓ୍ବେଲ ମାତ୍ର ୮ ରନ କରି ଆଉଟ ହୋଇଥିଲେ ।
ଯାହା ଫଳରେ ଭ୍ରମଣକାରୀ ଅଷ୍ଟ୍ରେଲିଆ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୧୮୮ ରନରେ ଅଲଆଉଟ ହୋଇ ଯାଇଥିଲା । ଭାରତ ପକ୍ଷରୁ ମହମ୍ମଦ ସମ୍ମି ଓ ମହମ୍ମଦ ସିରାଜ ୩ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ରବୀନ୍ଦ୍ର ଜାଦେଜା ୨ଟି ଓ୍ବିକେଟ୍ ନେଇଥିବାବେଳେ କୁଳଦୀପ ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।












Click it and Unblock the Notifications