ICC World CUP: ୧୯୮୩ ରୁ ୨୦୨୪... ଏହି ସବୁ ଟ୍ରଫି ହାତେଇଛି ଭାରତ
ICC World CUP: ଟି୨୦ ବିଶ୍ୱକପ୍ ଫାଇନାଲ୍ ଖେଳୁଛି ଭାରତ । ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ୧୧ ବର୍ଷର ଟ୍ରଫି ଆଶାକୁ ପୂରଣ କରିବାକୁ ପଡ଼ିଆକୁ ଓହ୍ଲାଇଛନ୍ତି । ଶେଷ ଥର ପାଇଁ ଭାରତୀୟ ଦଳ ୧୧ ବର୍ଷ ପୂର୍ବେ ୨୦୧୩ ରେ ଆଇସିସି ଟ୍ରଫି ହାତେଇଥିଲା । ମହେନ୍ଦ୍ର ସିଂ ଧୋନିଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଚାମ୍ପିଅନ୍ସ ଟ୍ରଫି ଜିତିବାରେ ସଫଳ ହୋଇଥିଲା । କିନ୍ତୁ ସେବେଠାରୁ ଭାରତୀୟ ଦଳ ଆଇସିସି ଟ୍ରଫି ଜିତିବାରେ ସକ୍ଷମ ହୋଇନାହିଁ ।

2023 ରେ ହରାଇଥିଲେ ସୁଯୋଗ
ଗତ ବର୍ଷ ଭାରତୀୟ ଦଳ ଦୁଇଟି ସୁଯୋଗ ପାଇଥିଲେ । କିନ୍ତୁ ଉଭୟ ଥର ଭାରତକୁ ଅଷ୍ଟ୍ରେଲିଆ ବିପକ୍ଷରେ ପରାଜୟର ସାମ୍ନା କରିବାକୁ ପଡିଥିଲା । ବିଶ୍ୱ ଟେଷ୍ଟ ଚାମ୍ପିଅନସିପରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ବିପକ୍ଷ ଫାଇନାଲ ମ୍ୟାଚ ଜିତିବାରେ ସଫଳ ହୋଇପାରିନଥିଲା । ଏହା ପରେ ଭାରତୀୟ ଦଳକୁ ମଧ୍ୟ ODI ବିଶ୍ୱକପ୍ ୨୦୨୩ ଫାଇନାଲ୍ ମ୍ୟାଚ୍ ରେ ପରାଜୟର ସମ୍ମୁଖୀନ ହେବାକୁ ପଡିଲା ।
୧୯୮୩ ରେ ମିଳିଥିଲା ପ୍ରଥଣ ବିଜୟ
ଭାରତୀୟ ଦଳ ଏପର୍ଯ୍ୟନ୍ତ ମୋଟ ପାଞ୍ଚଟି ଆଇସିସି ଟ୍ରଫି ଜିତିଛି । ୧୯୮୩ ମସିହାରେ ଭାରତ ପ୍ରଥମ ଥର ପାଇଁ ଦିନିକିଆ ବିଶ୍ୱକପ୍ ଟ୍ରଫି ହାସଲ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ବାସ୍ତବରେ, ୧୯୮୩ ମସିହାରେ, ଭାରତୀୟ ଦଳ ଏକ ଅଣ୍ଡରଡଗ୍ ଭାବରେ ବିବେଚନା କରାଯାଉଥିଲା । ଏହି ଦଳ ODI ବିଶ୍ୱକପ ଟାଇଟଲ ଜିତି ପାରିବ ବୋଲି କେହି ପୂର୍ବାନୁମାନ କରିନଥିଲେ । କିନ୍ତୁ କପିଲ ଦେବଙ୍କ ଅଧିନାୟକତ୍ୱରେ ଭାରତ ଇତିହାସ ସୃଷ୍ଟି କରି ଟ୍ରଫିକୁ କାବୁ କରିଥିଲା ।
ଗାଙ୍ଗୁଲିଙ୍କ ଅଧିନାୟକତ୍ୱରେ ଆସିଥିଲା ଚାମ୍ପିଅନ୍ସ ଟ୍ରଫି
୨୦୦୨ ମସିହାରେ ଦ୍ୱିତୀୟ ଆଇସିସି ଟ୍ରଫି ଜିତିବାରେ ଭାରତ ସଫଳ ହୋଇଥିଲା । ସୌରଭ ଗାଙ୍ଗୁଲିଙ୍କ ଅଧିନାୟକତ୍ୱରେ ଭାରତ ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା । ଫାଇନାଲରେ ଭାରତ ଶ୍ରୀଲଙ୍କାକୁ ଭେଟିବାକୁ ଥିଲା । ତେବେ ବର୍ଷା ହେତୁ ଫାଇନାଲ ମ୍ୟାଚ୍ ବାତିଲ ହୋଇଥିଲା । ତେଣୁ ଉଭୟ ଶ୍ରୀଲଙ୍କା ଏବଂ ଭାରତ ମିଳିତ ବିଜେତା ଘୋଷିତ ହୋଇଥିଲେ ।
ମନେ ରହିବ ୨୦୦୭ ଟ୍ରଫି
ମହେନ୍ଦ୍ର ସିଂ ଧୋନିଙ୍କ ଅଧିନାୟକତ୍ୱରେ ୨୦୦୭ ମସିହାରେ ଭାରତୀୟ ଦଳ ଟି -20 ବିଶ୍ୱକପ ଟ୍ରଫି ହାସଲ କରି ଇତିହାସ ସୃଷ୍ଟି କରିଥିଲା । ଭାରତୀୟ ଦଳ ଫାଇନାଲ ମ୍ୟାଚରେ ପାକିସ୍ତାନକୁ ୫ ରନରେ ପରାସ୍ତ କରି ଟି୨୦ ବିଶ୍ୱକପ ଜିତିବାରେ ସଫଳ ହୋଇଥିଲା ।
2011 ମସିହାରେ ଭାରତ ଜିତିଥିଲା
ପୁଣିଥରେ ମହେନ୍ଦ୍ର ସିଂ ଧୋନିଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଏକଦିବସୀୟ ବିଶ୍ୱକପ ଟାଇଟଲ ଜିତିବାରେ ସଫଳ ହୋଇଥିଲା । ୨୦୧୧ ODI ବିଶ୍ୱକପ୍ ରେ ଭାରତୀୟ ଦଳ ଫାଇନାଲ ମ୍ୟାଚରେ ଶ୍ରୀଲଙ୍କାକୁ ପରାସ୍ତ କରି ବିଶ୍ୱକପ ଟ୍ରଫି କବଜା କରିଥିଲା ।
୧୧ ବର୍ଷ ପୂର୍ବେ ଜିତିଥିଲେ ଆଇସିସି ଟ୍ରଫି
ଭାରତୀୟ ଦଳ ଶେଷ ଥର ପାଇଁ ୨୦୧୩ ରେ ଚାମ୍ପିଅନ୍ସ ଟ୍ରଫି ଟାଇଟଲ ଜିତିବାରେ ସଫଳ ହୋଇଥିଲା । ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୨୦୧୩ ରେ ଫାଇନାଲ୍ ମ୍ୟାଚ୍ ରେ ଭାରତୀୟ ଦଳ ଆଶ୍ଚର୍ଯ୍ୟଜନକ ପ୍ରଦର୍ଶନ କରି ଜିତିଥିଲା । ଏହି ମ୍ୟାଚ୍ କମ୍ ସ୍କୋରର ଥିଲେ ମଧ୍ୟ ଭାରତ ପାଞ୍ଚ ରନରେ ମ୍ୟାଚ୍ ଜିତିଥିଲା ।
ମହେନ୍ଦ୍ର ସିଂ ଧୋନିଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ତିନିଥର ଆଇସିସି ଟ୍ରଫି ଦଖଲ କରିଛି । ୨୦୦୭ ଟି୨୦ ବିଶ୍ୱକପ୍, ୨୦୧୧ ଦିନିକିଆ ବିଶ୍ୱକପ୍ ଏବଂ ୨୦୧୩ ଚାମ୍ପିଅନ୍ସ ଟ୍ରଫି ଜିତିବା ସମୟରେ ମହେନ୍ଦ୍ର ସିଂ ଧୋନି ଭାରତୀୟ ଦଳର ଅଧିନାୟକ ଥିଲେ ।












Click it and Unblock the Notifications