ଆଇସିସି ଟି-୨୦ ବିଶ୍ଵକପ୍ ୨୦୨୬ : ରୋହିତ ବ୍ରାଣ୍ଡ ଆମ୍ବାସଡର ନିଯୁକ୍ତ
ଆଇସିସି ଟି-୨୦ ବିଶ୍ଵକପ୍ ୨୦୨୬ ପାଇଁ ମଙ୍ଗଳବାର କ୍ରୀଡ଼ାସୂଚୀ ଘୋଷଣା କରିଛି। ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଆଇସିସି ଭାରତର ବରିଷ୍ଠ ଖେଳାଳି ରୋହିତ ଶର୍ମାଙ୍କୁ ବଡ଼ ଦାୟିତ୍ଵ ଦେଇଛି। ରୋହିତଙ୍କୁ ଟି-୨୦ ବିଶ୍ଵକପ୍ ପାଇଁ ବ୍ରାଣ୍ଡ ଆମ୍ବାସଡର ନିଯୁକ୍ତ କରାଯାଇଛି। ଟୁର୍ଣ୍ଣାମେଣ୍ଟର ଦଶମ ସଂସ୍କରଣ ଭାରତ ଓ ଶ୍ରୀଲଙ୍କାରେ ଖେଳାଯିବ। ଟୁର୍ଣ୍ଣାମେଣ୍ଟ ଫେବୃଆରୀ ୭ରୁ ଆରମ୍ଭ ହୋଇ ମାର୍ଚ୍ଚ ୮ ପର୍ଯ୍ୟନ୍ତ ଚାଲିବ।

ଆଇସିସି ଚେୟାରମ୍ୟାନ ଜୟ ଶାହ ମଙ୍ଗଳବାର ଟୁର୍ଣ୍ଣାମେଣ୍ଟର କାର୍ଯ୍ୟସୂଚୀ ଜାରି କରିବା ସହ ରୋହିତଙ୍କ ନିଯୁକ୍ତି ନେଇ ଘୋଷଣା କରିଛନ୍ତି। ରୋହିତଙ୍କ ନେତୃତ୍ଵରେ ଗବର୍ଷ ଭାରତ ଟି-୨୦ ବିଶ୍ଵକପ୍ ଜିତିଥିଲା। ରୋହିତ ଟି-୨୦ ଓ ଟେଷ୍ଟରୁ ସନ୍ନ୍ୟାସ ନେଇ ସାରିଥିବା ବେଳେ ଏବେ କେବଳ ଦିନିକିଆରେ ସକ୍ରିୟ ଅଛନ୍ତି।
ଆଇସିସି ପ୍ରଥମ ଥର କୌଣସି ସକ୍ରିୟ କ୍ରିକେଟରଙ୍କୁ ଟି-୨୦ ବିଶ୍ଵକପର ବ୍ରାଣ୍ଡ ଆମ୍ବାସଡର ଭାବେ ନିଯୁକ୍ତ କରିଛି। ରୋହିତ ଭାରତର ଦୁଇଟି ବିଶ୍ଵକପ୍ ବିଜେତା ଦଳର ସଦସ୍ୟ। ସେ ୨୦୦୭ ଟି-୨୦ ବିଶ୍ଵକପର ପଦାର୍ପଣ ଟୁର୍ଣ୍ଣାମେଣ୍ଟରେ ଚମତ୍କାର ପ୍ରଦର୍ଶନ କରିଥିଲେ। ଏହା ପରେ ୨୦୨୪ ଟୁର୍ଣ୍ଣାମେଣ୍ଟରେ ତାଙ୍କ ନେତୃତ୍ଵରେ ଭାରତ ଦ୍ଵିତୀୟ ଥର ଟି-୨୦ ବିଶ୍ଵକପ୍ ଜିତିବାରେ ସଫଳ ହୋଇଛି। ଭାରତ ଟି-୨୦ ଚାମ୍ପିଅନ ହେବା ପରେ ରୋହିତ ଟି-୨୦ ଫର୍ମାଟରୁ ସନ୍ନ୍ୟାସ ଘୋଷଣା କରିଥିଲେ। ଭାରତ ୧୧ ବର୍ଷ ପରେ ଆଇସିସି ଟ୍ରଫି ଜିତିଥିଲା। ରୋହିତ ଟି-୨୦ ଅନ୍ତର୍ଜାତୀୟରେ ଭାରତ ପାଇଁ ଦମଦାର ପ୍ରଦର୍ଶନ କରିଛନ୍ତି। ସେ ୩୨.୦୧ ହାରରେ ଏବଂ ୧୪୦.୮୯ ଷ୍ଟ୍ରାଇକ ରେଟରେ ୪ ହଜାର ୨୩୧ ରନ କରିଛନ୍ତି। ହିଟମ୍ୟାନ ନାଁରେ ପ୍ରସିଦ୍ଧ ରୋହିତ ୨୦୨୫ରେ ଟେଷ୍ଟରୁ ଅବସର ନେଇଥିଲେ।
ଜୟ ଶାହ ଏକ୍ସରେ ଲେଖିଛନ୍ତି, ଏହି ଘୋଷଣା କରି ମୁଁ ଗର୍ବିତ ଯେ, ରୋହିତ ଶର୍ମା ଭାରତ ଓ ଶ୍ରୀଲଙ୍କାରେ ହେବାକୁ ଥିବା ଟି-୨୦ ବିଶ୍ଵକପର ବ୍ରାଣ୍ଡ ଆମ୍ବାସଡର ହୋଇଛନ୍ତି। ଏହି ଟୁର୍ଣ୍ଣାମେଣ୍ଟର ପ୍ରତିନିଧିତ୍ଵ ଭାବେ ୨୦୨୪ର ଟି-୨୦ ବିଶ୍ଵକପ୍ ବିଜେତା ଅଧିନାୟକ ଏବଂ ଏ ପର୍ଯ୍ୟନ୍ତ ସମସ୍ତ ନଅ ସଂସ୍କରଣ ଖେଳିଥିବା ଖେଳାଳିଙ୍କଠୁ ଭଲ ବିକଳ୍ପ ଆଉ ହୋଇ ପାରିବ ନାହିଁ।
ଭାରତର ଗ୍ରୁପ୍ ମ୍ୟାଚ୍
ଫେବ୍ରୁଆରି ୭ - ମୁମ୍ବାଇ: ଭାରତ ବନାମ ଆମେରିକା (ଟୁର୍ନାମେଣ୍ଟର ପ୍ରଥମ ଦିନ )
ଫେବ୍ରୁଆରି ୧୨ - ଦିଲ୍ଲୀ: ଭାରତ ବନାମ ନାମ୍ବିଆ
ଫେବ୍ରୁଆରି ୧୫ - କଲମ୍ବୋ: ଭାରତ ବନାମ ପାକିସ୍ତାନ
ଫେବ୍ରୁଆରି ୧୮ - ଅହମଦାବାଦ: ଭାରତ ବନାମ ନେଦରଲ୍ୟାଣ୍ଡସ୍
ଟୁର୍ଣ୍ଣାମେଣ୍ଟର ଫର୍ମାଟ
ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୨୦ ଟି ଦଳ ଅଂଶଗ୍ରହଣ କରିବେ। ଟୁର୍ଣ୍ଣାମେଣ୍ଟରେ ପାଞ୍ଚଟି ଗ୍ରୁପ୍ ରହିବ, ପ୍ରତ୍ୟେକ ଗ୍ରୁପ୍ରେ ଚାରିଟି ଦଳ ରହିବେ। ପ୍ରତ୍ୟେକ ଗ୍ରୁପ୍ରୁ ଦୁଇଟି ଦଳ ସୁପର ୮ କୁ ଯିବେ। ତା'ପରେ ସୁପର ୮ କୁ ପୁଣି ଗ୍ରୁପିଂ କରାଯିବ। ତା'ପରେ ଶ୍ରେଷ୍ଠ ଚାରିଟି ଦଳ ସେମିଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ କରିବେ। ତା'ପରେ ଫାଇନାଲ୍ ମ୍ୟାଚ୍ ହେବ।
ସୁପର ୮ ଦଳଗୁଡ଼ିକର ଚୟନ
ପାକିସ୍ତାନର ସମସ୍ତ ମ୍ୟାଚ୍ କଲମ୍ବୋ କିମ୍ବା କାଣ୍ଡିରେ ଅନୁଷ୍ଠିତ ହେବାର ଯୋଜନା ରହିଛି। ଭାରତର ସମ୍ଭାବ୍ୟ ସୁପର ୮ ଏବଂ ନକଆଉଟ୍ ମ୍ୟାଚ୍ ବିଷୟରେ କହିବାକୁ ଗଲେ, ଯଦି ଭାରତ ଗ୍ରୁପ୍ ପର୍ଯ୍ୟାୟ ଅତିକ୍ରମ କରେ, ତେବେ ଏହାର ତିନୋଟି ସୁପର ୮ ମ୍ୟାଚ୍ ଅହମଦାବାଦ, ଚେନ୍ନାଇ ଏବଂ କୋଲକାତାରେ ଅନୁଷ୍ଠିତ ହେବ। ଭାରତର ସେମିଫାଇନାଲ୍ ମୁମ୍ବାଇରେ ହେବ।
ଶ୍ରୀଲଙ୍କା କିମ୍ବା ପାକିସ୍ତାନ ସୁପର-୮ ରୁ ଆଗକୁ ବଢ଼ିବା ଉପରେ ନିର୍ଭର କରି ଆଇସିସି ଦ୍ୱାରା ଦ୍ୱିତୀୟ ସେମିଫାଇନାଲ କଲମ୍ବୋ କିମ୍ବା କୋଲକାତା ପାଇଁ ସଂକ୍ଷିପ୍ତ ତାଲିକାଭୁକ୍ତ କରାଯାଇଛି ଏବଂ ଫାଇନାଲ୍ ଅହମଦାବାଦରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। କିନ୍ତୁ ଯଦି ପାକିସ୍ତାନ ଫାଇନାଲରେ ପ୍ରବେଶ କରେ, ତେବେ ମ୍ୟାଚ୍ କଲମ୍ବୋକୁ ସ୍ଥାନାନ୍ତରିତ କରାଯିବ।
ଟୁର୍ଣ୍ଣାମେଣ୍ଟରେ ୨୦ ଦଳ
ଭାରତ, ଶ୍ରୀଲଙ୍କା, ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ବାଂଲାଦେଶ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ଆମେରିକା, ୱେଷ୍ଟଇଣ୍ଡିଜ୍, ନ୍ୟୁଜିଲ୍ୟାଣ୍ଡ, ପାକିସ୍ତାନ, ଆୟର୍ଲାଣ୍ଡ, କାନାଡା, ଇଟାଲି, ନେଦରଲ୍ୟାଣ୍ଡସ୍, ନାମ୍ବିଆ, ଜିମ୍ବାୱେ, ନେପାଳ, ଓମାନ ଏବଂ ୟୁଏଇ।












Click it and Unblock the Notifications