ICC Champions Trophy 2025: ଚାମ୍ପିଅନ୍ସ ଟ୍ରଫିରେ ଆତଙ୍କୀଙ୍କ କଳା ନଜର, ସଜାରି ହେଲା ହାଇଆଲର୍ଟ
ପାକିସ୍ତାନ ଓ ୟୁଏଇରେ ଚାଲିଥିବା ଆଇସିସି ଚାମ୍ପିୟନ୍ସ ଟ୍ରଫି ଉପରେ ଆତଙ୍କବାଦୀଙ୍କ କଳାବାଦଲ । ଭାରତର ମ୍ୟାଚ୍ଗୁଡ଼ିକୁ ଛାଡ଼ି ଦେଲେ ଟୁର୍ଣ୍ଣାମେଣ୍ଟର ବାକି ସବୁ ଲଢ଼େଇ ପାକିସ୍ତାନରେ ଚାଲିଛି। ଏସବୁ ଭିତରେ ଆତଙ୍କବାଦୀମାନେ ଆଇସିସି ଚାମ୍ପିୟନ୍ସ ଟ୍ରଫିକୁ ଭଣ୍ଡୁର କରିବାକୁ ଯୋଜନା କରୁଛନ୍ତି। ପାକିସ୍ତାନରେ ଅଧିକାଂଶ ମ୍ୟାଚ୍ ରହିଥିବାରୁ ବିଭିନ୍ନ ଦେଶର ନାଗରିକ ସେଠାକୁ ଯାଉଛନ୍ତି।
ବିଭିନ୍ନ ଦେଶରୁ ଲକ୍ଷ ଲକ୍ଷ କ୍ରୀଡାପ୍ରେମୀ ନିଜ ଦେଶକୁ ଚିୟରଅଫ କରିବା ପାଇଁ ପାକ୍ ଆସିଛନ୍ତି । ଏହାରି ମଧ୍ୟରେ ଚାମ୍ପିଅନ୍ସ ଟ୍ରଫି ଉପରେ ଆତଙ୍କୀଙ୍କ କଳା ନଜର ପଡିଛି । ବିଦେଶୀ ନାଗରିକଙ୍କୁ ଅପହରଣ କରିବାକୁ ଆତଙ୍କବାଦୀ ସଂଗଠନ ଇସଲାମିକ୍ ଷ୍ଟେଟ୍ ଖୋରାସନ ପ୍ରୋଭିନ୍ସ (ISKP) ଯୋଜନା କରୁଛି । ଏନେଇ ଚେତାଇ ଦେଇଛି ପାକିସ୍ତାନର ଗୁଇନ୍ଦା ସଂସ୍ଥା ।

ସତର୍କ କରାଇଲା ପାକିସ୍ତାନୀ ଗୁଇନ୍ଦା ସଂସ୍ଥା:
ଗୁଇନ୍ଦା ବିଭାଗର କହିବା କଥା ଯେ ତେହରିକ-ଇ-ତାଲିବାନ ପାକିସ୍ତାନ(ଟିଟିପି), ଆଇଏସଆଇଏସ ଓ ବାଲୋଚିସ୍ତାନ ଭିତ୍ତିକ ଅନ୍ୟ ଆତଙ୍କବାଦୀ ସଂଗଠନ ଗୁଡ଼ିକ ଆଇସିସି ଚାମ୍ପିୟନ୍ସ ଟ୍ରଫିର ବିଦେଶୀ ଅତିଥିଙ୍କୁ ଟାର୍ଗେଟ କରିବାର ଆଶଙ୍କା ରହିଛି। ସେମାନେ କିଛି ବଦେଶୀ ଖେଳାଳିଙ୍କୁ ମଧ୍ୟ ଟାର୍ଗେଟ କରିପାରନ୍ତି। ଅପହରଣ ପରେ ଆତଙ୍କ ଖେଳାଇ ପୂରା ବିଶ୍ୱ ଉପରେ ଚାପ ପକାଇବା ଓ ଟଙ୍କା ଆଦାୟ କରିବା ପାଇଁ ସେମାନେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି।
2009ରେ ଲାହୋରରେ ଶ୍ରୀଲଙ୍କା ଦଳ ବସ୍ ଉପରେ ଆତଙ୍କୀ ଆକ୍ରମଣ:
ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଆୟୋଜକ ପାକିସ୍ତାନ ଅନେକ ବିବାଦକୁ ମୁଣ୍ଡାଇଛି । ପ୍ରଥମେ ଭାରତର ଜାତୀୟ ପତାକା ଷ୍ଟାଡିୟମରେ ନଲଗାଇବା । ପରେ ଇଂଲଣ୍ଡ ବନାମ ଅଷ୍ଟ୍ରେଲିଆ ମ୍ୟାଚ ସମୟରେ ଭୁଲରେ ଭାରତୀୟ ଜାତୀୟ ସଙ୍ଗୀତ ବାଜିବା । ଆଉ ଏବେ ସମ୍ଭାବ୍ୟ ଆତଙ୍କବାଦୀ ବିପଦ ବିଷୟରେ ଗୁଇନ୍ଦା ସଂସ୍ଥାର ଚେତାବନୀ । 2009 ମସିହାରେ ଲାହୋରରେ ଶ୍ରୀଲଙ୍କା ଦଳ ବସ୍ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଏବେବି ତାଜା ଅଛି । ଏହାକୁ ଦୃଷ୍ଟିରେ ରଖି ପାକିସ୍ତାନ ଚଳିତ ICC ଇଭେଣ୍ଟ ପାଇଁ କଡା ସୁରକ୍ଷା ବ୍ୟବସ୍ଥା କରିଛି । ଏହାକୁ ଶେଷ କରିବା ଏକ ଚ୍ୟାଲେଞ୍ଜ ହୋଇଛି ।












Click it and Unblock the Notifications