ICC Champions Trophy 2025: ଚାମ୍ପିଅନ୍ସ ଟ୍ରଫିରେ ଆଜି ଭାରତ ବନାମ ବାଂଲାଦେଶ; ଆଗରେ ଭାରତ
ଆଇସିସି ଚମ୍ପିଆନ୍ସ ଟ୍ରଫିରେ ଆଜି ଭାରତ ବନାମ ବାଂଲାଦେଶ । ଆଠ ବର୍ଷର ବ୍ୟବଧାନ ପରେ ଫେରିଛି 'ଚାମ୍ପିଅନ୍ସ ଟ୍ରଫି' ।ଭାରତୀୟ ସମୟ ଦିବା ୨:୩୦ ରୁ ମ୍ୟାଚ୍ ଆରମ୍ଭ ହେବ । ୩୭ବର୍ଷର ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ଇତିହାସ ସତ୍ତ୍ବେ ଉଭୟ ଦେଶ ଚାମ୍ପିଅନ୍ସ ଟ୍ରଫିରେ ମାତ୍ର ଦ୍ବିତୀୟ ଥର ପାଇଁ ପରସ୍ପରର ମୁକାବିଲା କରିବେ।
୨୦୧୭ରେ ଭାରତ ପ୍ରଥମ ଥର ପାଇଁ ଚାମ୍ପିଅନ୍ସ ଟ୍ରଫିରେ ବାଂଲାଦେଶକୁ ଭେଟିଥିଲା। ସେହି ମ୍ୟାଚ୍କୁ ସହଜରେ ଜିତି ବି ଯାଇଥିଲା। ତେଣୁ ଭାରତର ପଲ୍ଲା ଭାରି ।ଅନ୍ୟପକ୍ଷରେ ବାଂଲାଦେଶ ନିଜ ଚାମ୍ପିଅନ୍ସ ଟ୍ରଫି ଇତିହାସରେ ପ୍ରଥମ ଥର ପାଇଁ ଭାରତକୁ ହରାଇବାର ବିରଳ ସଫଳତା ଲାଭ କରିବା ଆଶାରେ ଅଛି।
ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମ୍ରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ଲାଗି ସାରା ବିଶ୍ବର କ୍ରିକେଟ୍ପ୍ରେମୀ ବେଶ୍ ଉତ୍ସାହିତ ଅଛନ୍ତି। ୨୦୨୩ ଏକଦିବସୀୟ ବିଶ୍ବକପ୍ ପରେ ଭାରତ-ବାଂଲାଦେଶ ପ୍ରଥମ ଥର ଲାଗି ଭେଟାଭେଟି ହେବାକୁ ଯାଉଛନ୍ତି।
୨୦୨୩ ଦିନିକିଆ ବିଶ୍ବକପ୍ ପରେ ଭାରତ ମାତ୍ର ଦୁଇଟି ଦିନିକିଆ ଶୃଙ୍ଖଳା ଖେଳି ଚାମ୍ପିଅନ୍ସ ଟ୍ରଫିକୁ ଯାଇଛି। ଗତବର୍ଷ ଶ୍ରୀଲଙ୍କାଠାରୁ ୦-୨ରେ ହାରିଥିଲା ଭାରତ। ଚଳିତବର୍ଷ ପ୍ରାରମ୍ଭରେ ଖେଳିଥିବା ଇଂଲଣ୍ଡ ବିପକ୍ଷ ଘରୋଇ ଶୃଙ୍ଖଳାକୁ ୩-୦ରେ ଜିତି ନେଇଥିଲା। ଅନ୍ୟପକ୍ଷରେ ୨୦୨୪ ଆରମ୍ଭ ହେବା ପରଠାରୁ ବାଂଲାଦେଶ ୯ଟି ଦିନିକିଆ ଖେଳିଛି। ସେଥିମଧ୍ୟରୁ ମାତ୍ର ତିନିଟି ଜିତିଛି।
ଉଭୟ ଦଳ ୪୨ ଅନ୍ତର୍ଜାତୀୟ ଦିନିକିଆରେ ଲଢ଼ିଛନ୍ତି। ସେଥିରୁ ଭାରତ ୩୩ ଏବଂ ବାଂଲାଦେଶ ମାତ୍ର ୮ଟିରେ ବିଜୟୀ ହୋଇଛି। ଚାମ୍ପିଅନ୍ସ ଟ୍ରଫିରେ ଭାରତକୁ ଥରେ ଭେଟି ପରାଜିତ ହୋଇଛି । ଭାରତ ବିପକ୍ଷରେ ବାଂଲାଦେଶ ଯେଉଁ ୮ଟି ବିଜୟ ହାସଲ କରିଛି, ସେଥିମଧ୍ୟରୁ ତିନିଟି ଶେଷ ୫ ମ୍ୟାଚ୍ରୁ ଆସିଛି। ଭାରତୀୟ ଦଳକୁ ଘରୋଇ ପରିବେଶରେ ୨-୧ରେ ହରାଇଥିଲା ବେଳେ ୨୦୨୩ ଏସିଆ କପ୍ ସୁପର ସିକ୍ସ ମୁକାବିଲାକୁ ୬ ରନ୍ରେ ଜିତିଥିଲା। ଉଭୟ ଦଳ ଶେଷ ଥର ଲାଗି ୨୦୨୩ ବିଶ୍ବକପ୍ରେ ଲଢ଼ିଥିଲେ, ଯାହାକୁ ଭାରତ ୭ ୱିକେଟ୍ରେ ଜିତି ନେଇଥିଲେ।

କେମିତି ରହିବ ପାଣିପାଗ?
ଏହି ପିଚ୍ ପ୍ରାରମ୍ଭିକ ସମୟରେ ଦ୍ରୁତ ବୋଲରଙ୍କୁ ସୁହାଇବ । ମଝି ଓ ଶେଷ ଓଭରଗୁଡ଼ିକରେ ସ୍ପିନର୍ ଏଥିରୁ ଫାଇଦା ଉଠାଇ ପାରିବେ। ଗୁରୁବାର ଦୁବାଇ ଆକାଶ ଆଂଶିକ ମେଘାଚ୍ଛନ୍ନ ରହିବ। ଅପରାହ୍ଣ ଓ ରାତିରେ ମୁଖ୍ୟତଃ ଶୁଖିଲା ଓ ଉଷ୍ମ ଜଳବାୟୁ ଅନୁଭୂତ ହେବ। ରାତିରେ କାକର ପଡ଼ିବାର ଆଶଙ୍କା ଥିବାରୁ ଦ୍ବିତୀୟ ଭାଗରେ ବୋଲିଂ କରିବାରେ ଦଳ କିଛିଟା ସମସ୍ୟାର ସମ୍ମୁଖୀନ ହେବ।
ସମ୍ଭାବ୍ୟ ଭାରତ: ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ୍, ବିରାଟ କୋହଲି, ଶ୍ରେୟସ୍ ଆୟର, କେଏଲ୍ ରାହୁଲ, ହାର୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ରବୀନ୍ଦ୍ର ଜାଡ଼େଜା, କୁଲଦୀପ ୟାଦବ, ମହମ୍ମଦ ସାମି, ଅର୍ଶଦୀପ ସିଂହ।
ସମ୍ଭାବ୍ୟ ବାଂଲାଦେଶ: ନଜମୁଲ ହୁସେନ ସାଣ୍ଟୋ (ଅଧିନାୟକ), ସୌମ୍ୟ ସରକାର, ତଂଜିଦ ହାସନ, ମୁସ୍ଫିକର ରହିମ, ମହମଦୁଲ୍ଲା, ଜାକିର ଅଲୀ ଆନିକ, ମେହିଦି ହାସନ ମିରାଜ, ରିସଦ ହୁସେନ, ତସ୍କିନ ଅହମଦ, ମୁସ୍ତାଫିଜୁର ରହମାନ, ନାହିଦ ରାଣା।












Click it and Unblock the Notifications