Champions Trophy 2025: ମଙ୍ଗଳବାର ପ୍ରଥମ ସେମି ଫାଇନାଲ ଭାରତ ବନାମ ଅଷ୍ଟ୍ରେଲିଆ
ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ମଙ୍ଗଳବାର ପ୍ରଥମ ସେମି ଫାଇନାଲ । ଦୁବାଇରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ ।
ରବିବାର ଶେଷ ଲିଗ୍ ମ୍ୟାଚରେ ଇଣ୍ଡିଆ-ନ୍ୟୁଜିଲାଣ୍ଡ ମଧ୍ୟରେ ଟକ୍କର ହୋଇଥିଲା । ପ୍ରଥମ ବ୍ୟାଟିଂ କରି ୨୫୦ ରନ୍ର ଟାର୍ଗେଟ୍ ଦେଇଥିଲା ଭାରତୀୟ ଦଳ । ଏହି ଲକ୍ଷ୍ୟ ପିଛା କରି ବରୁଣ ଚକ୍ରବର୍ତ୍ତୀଙ୍କ ସ୍ପିନ୍ ଜାଲରେ ଫସିଥିଲା ଟିମ୍ ସାଣ୍ଟନର । ଆଉ ୨୦୫ କରି ଅଲଆଉଟ୍ ହୋଇଥିଲା । ଫଳରେ ଏହି ମ୍ୟାଚକୁ ୪୪ ରନ୍ରେ ଜିତି ନେଇଛି ଭାରତୀୟ ଦଳ ।
ଏହି ବିଜୟ ସହିତ ସେମି ଫାଇନାଲ୍ ଲାଇନ୍ ଚୂଡ଼ାନ୍ତ ହୋଇଛି । ପ୍ରଥମ ସେମି ଫାଇନାଲ ଆସନ୍ତା ୪ ତାରିଖରେ ଭାରତ ଓ ଅଷ୍ଟ୍ରେଲିଆ ଏବଂ ଦ୍ୱିତୀୟ ସେମି ଫାଇନାଲ ୫ ତାରିଖରେ ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ।

ଭାରତ ପୂର୍ବ ମ୍ୟାଚ୍ ଭଳି ସେମି ଫାଇନାଲ ମଧ୍ୟ ଦୁବାଇରେ ଖେଳିବ । କିନ୍ତୁ ଦ୍ୱିତୀୟ ସେମି ଫାଇନାଲ ଲାହୋରରେ ଆୟୋଜିତ ହେବ । ଉଭୟ ମ୍ୟାଚ୍ ଦିବାରାତ୍ର ହେବ । ଯଦି ଭାରତ ଫାଇନାଲକୁ ଉନ୍ନୀତ ହୁଏ ତେବେ ଫାଇନାଲ ମ୍ୟାଚ୍ ଆସନ୍ତା ୯ ତାରିଖରେ ଦୁବାଇରେ ଖେଳାଯିବ । ଟିମ୍ ଇଣ୍ଡିଆ ଏଥିରୁ ବାଦ ପଡ଼ିଲେ ପାକିସ୍ତାନର ଗଦ୍ଦାଫୀ ଷ୍ଟାଡିୟମରେ ଫାଇନାଲ ମୁକାବିଲା ହେବ । ଗ୍ରୁପ୍ ବି'ରେ ଦକ୍ଷିଣ ଆଫ୍ରିକା ୫ ପଏଣ୍ଟ ସହ ଟେବୁଲରେ ପ୍ରଥମ ଏବଂ ଅଷ୍ଟ୍ରେଲିଆ ୪ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହି ସେମି ଫାଇନାଲରେ ପ୍ରବେଶ କରିଥିଲା । ଗ୍ରୁପ୍ ଏ'ରେ ନ୍ୟୁଜିଲାଣ୍ଡ ୨ଟି ମ୍ୟାଚ୍ ଜିତି ୪ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛି ।
କୋହଲିଙ୍କ ୩୦୦ତମ ମ୍ୟାଚ୍ କୀର୍ତ୍ତିମାନର ଜୀବନ୍ତ ସାକ୍ଷୀ ପାଲଟିଥିଲେ ପତ୍ନୀ ଅନୁଷ୍କା ଶର୍ମା ଏବଂ ବଡ଼ ଭାଇ ବିକାଶ କୋହଲି। ଉଭୟ ମ୍ୟାଚ୍ ଆରମ୍ଭରୁ ନିଜନିଜ ଆସନ ଗ୍ରହଣ କରି ନେଇଥିଲେ। ତୃତୀୟ ଓଭରରେ ଯୁବ ଓପନର୍ ଶୁବମନ୍ ଗିଲ୍ ଆଉଟ୍ ହେବା ପରେ କ୍ରିଜ୍କୁ ଆସିଥିବା କୋହଲିଙ୍କୁ ଉଭୟ ବରାବର ଉତ୍ସାହିତ କରିଥିଲେ। ତେବେ କୋହଲିଙ୍କ ପାଳି ମାତ୍ର ୧୧ ରନ୍ରେ ଅଟକି ଯାଇଥିଲା। ମ୍ୟାଟ୍ ହେନରିଙ୍କ ଅଫ୍ ଷ୍ଟମ୍ପ ବାହାରେ ଥିବା ବଲ୍କୁ କୋହଲି ବ୍ୟାକୱାର୍ଡ ପଏଣ୍ଟ୍କୁ ଖେଳିବା ପରେ ସେଠାରେ ଫିଲ୍ଡିଂ କରୁଥିବା ଗ୍ଲେନ୍ ଫିଲିପ୍ସ ନିଜ ବାମପଟକୁ ଫୁଲ୍ ଲେନ୍ଥରେ ଡାଇଭ୍ କରି ଗୋଟିଏ ହାତରେ ଅବିଶ୍ବସନୀୟ କ୍ୟାଚ୍ ନେବା ସହ କୋହଲିଙ୍କ ପାଳିରେ ପୂର୍ଣ୍ଣଛେଦ ଟାଣି ଦେଇଥିଲେ। ଅନୁଷ୍କା ଏହାକୁ ବିଶ୍ବାସ କରିପାରି ନଥିଲେ। ଏପରିକି ଫିଲିପ୍ସ କ୍ୟାଚ୍ ପୂରଣ କରିବା ପରେ ନିଜ ମୁଣ୍ଡରେ ହାତ ଦେଇ ନିରାଶା ଜାହିର କରିଥିଲେ ଅନୁଷ୍କା। ବିକାଶ ମଧ୍ୟ ବେଶ୍ ଦୁଃଖିତ ହୋଇଯାଇଥିଲେ। କୋହଲି ନିଜ ୧୪ ବଲ୍ ପାଳି ଭିତରେ ଦୁଇଟି ଦର୍ଶନୀୟ ଚୌକା ମାରିଥିଲେ। ତେବେ ପଡ଼ିଆ ଭିତରେ ମାତ୍ର ୧୮ ମିନିଟ୍ ରହି ପ୍ୟାଭିଲିୟନ ଫେରିବାକୁ ବାଧ୍ୟ ହୋଇଥିଲେ।












Click it and Unblock the Notifications