ବାରବାଟୀରୁ ବାଜିବ ହକି ବିଶ୍ୱକପ ବିଗୁଲ: କାଲି ଉଦଘାଟନୀ ସମାରୋହ, ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଦୁଲୁକିବ ଷ୍ଟାଡିୟମ
ଆରମ୍ଭ ହେଲା ହକି କାଉଣ୍ଟଡାଉନ୍ । ଆଜି ରାତି ପାଇ ସଞ୍ଜ ହେଲେ ଦୁଲକିବ ସିଲଭର୍ ସିଟି । ଐତିହାକିସ ବାରବାଟୀରୁ ବାଜିବ ହକି ବିଶ୍ୱକପ ବିଗୁଲ । ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଦେଖିବ ସାରା ବିଶ୍ୱ । ଏନେଇ ସମସ୍ତ ପ୍ରସ୍ତୁତି ମଧ୍ୟ ଶେଷ ପର୍ଯ୍ୟାୟରେ ।
କଟକ: ଆରମ୍ଭ ହେଲା ହକି କାଉଣ୍ଟଡାଉନ୍ । ଆଜି ରାତି ପାଇ ସଞ୍ଜ ହେଲେ ଦୁଲକିବ ସିଲଭର୍ ସିଟି । ଐତିହାକିସ ବାରବାଟୀରୁ ବାଜିବ ହକି ବିଶ୍ୱକପ ବିଗୁଲ । ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଦେଖିବ ସାରା ବିଶ୍ୱ । ଏନେଇ ସମସ୍ତ ପ୍ରସ୍ତୁତି ମଧ୍ୟ ଶେଷ ପର୍ଯ୍ୟାୟରେ ।

ମୁଖ୍ୟ ଆକର୍ଷଣ ପାଲଟିବେ ବଲିଉଡ ଷ୍ଟାର । ହକି ବିଶ୍ୱକପ ଉଦଘାଟନୀ ସମାରୋହରେ ଧମାଲ କରିବେ ରଣବୀର ସିଂ ଓ ଦିଶା ପଟାନୀ । କିଛି ଦିନ ହେଲା କଳାକାର ମାନେ ନିଜର ଅଭ୍ୟାସ ଜାରି ରଖିଛନ୍ତି । ଶତାଧିକ ନୃତ୍ୟଶିଳ୍ପୀ ନିଜ ନିଜର ଅଭ୍ୟାସ କରୁଛନ୍ତି । ସେହିଭଳି ପ୍ରୀତମଙ୍କ ସଙ୍ଗୀତର ଯାଦୁରେ ଝୁମିବେ ଦର୍ଶକ । ତେବେ ଉଦଘାଟନୀ ଉତ୍ସବରେ ୩୦ ହଜାର ଦର୍ଶକଙ୍କ ପାଇଁ ବ୍ୟବସ୍ଥା କରାଯାଇଛି । ଅତ୍ୟାଧୁନିକ ବିଶାଳ ମଞ୍ଚ କରାଯାଇଛି ।
ସୁରକ୍ଷା ବ୍ୟବସ୍ଥା କଡାକଡି଼
ହକି ବିଶ୍ୱକପ ଉଦଘାଟନୀ ସମାରୋହ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଦିନ ସାଢ଼େ ୧୨ଟାରୁ କଟକ ସହରର ବିଭିନ୍ନ ଅଞ୍ଚଳରେ ଟ୍ରାଫିକ କଟକଣା ଲାଗୁ ହେବ। ଯାହା ଉଦଘାଟନୀ ସମାରୋହ ଶେଷ ପର୍ଯ୍ୟନ୍ତ ବଳତ୍ତର ରହିବ ବୋଲି ଜଣାପଡ଼ିଛି। ଉଦଘାଟନୀ ସମାରୋହ ବେଳେ ଷ୍ଟାଡିୟମ୍ ଓ ଏହାର ଆଖପାଖ ଅଞ୍ଚଳରେ ପ୍ରାୟ ୫୦ ପ୍ଲାଟ୍ନ୍ ଫୋର୍ସଙ୍କୁ ନିୟୋଜିତ କରାଯିବ । ସୁରକ୍ଷା ଦାୟିତ୍ୱ ତଦାରଖ କରିବା ପାଇଁ ୪୦ ଜଣ ଡିଏସପି ସ୍ତରୀୟ ଅଧିକାରୀ, ୫୫ ଜଣ ଇନ୍ସପେକ୍ଟର ସ୍ତରୀୟ ଅଧିକାରୀ, ୩୦୦ ଜଣ ଏସ୍ଆଇ ଓ ଏଏସ୍ଆଇଙ୍କ ସମେତ ୮୪ ଜଣ ହାବିଲଦାର, ୩୦୦ରୁ ଅଧିକ କନଷ୍ଟେବଳ, ୫୦୦ରୁ ଅଧିକ ହୋମଗାର୍ଡଙ୍କୁ ନିୟୋଜିତ କରାଯାଉଛି ।
ବିଶ୍ବକପ ହକି ପାଇଁ ଏସସିବି ପ୍ରସ୍ତୁତ
ବିଶ୍ବକପ୍ ହକି ପାଇଁ ଏସସିବି ମେଡିକାଲରେ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଛି। ଏଥିପାଇଁ ଏସ୍ସିବି ପକ୍ଷରୁ ସ୍ବତନ୍ତ୍ର ବିଶେଷଜ୍ଞ ଟିମ୍ ଗଠନ କରାଯିବା ସହ ୧୪ଟି ଆଇସିୟୁ ବେଡ୍, ୫୦ଟି ସାଧାରଣ ବେଡ୍ ପ୍ରସ୍ତୁତ ରଖାଯାଇଛି। ଏଥିସହ ଷ୍ଟାଡିୟମ୍ ପାଖରେ ଏଏଲ୍ଏସ୍ ଆମ୍ବୁଲାନ୍ସ ପ୍ରସ୍ତୁତ ରଖାଯାଇଥିବା ବେଳେ ଏଥିରେ ଏକ ଡାକ୍ତରି ଟିମ୍ ପ୍ରସ୍ତୁତ ହୋଇ ରହିବେ।
ସେହିପରି ଏସ୍ସିବି ଟ୍ରମା କାଜୁଆଲିଟିରେ ୧୪ଟି ଆଇସିୟୁ ବେଡ୍ ପ୍ରସ୍ତୁତ ରଖାଯାଇଛି। ଚକ୍ଷୁ ବିଭାଗର ୩ୟ ଓ ୪ର୍ଥ ମହଲାରେ ଥିବା ୫୦ଟି ବେଡ୍ ଏଥିପାଇଁ ପ୍ରସ୍ତୁତ ରଖାଯାଇଛି। ନିଶ୍ଚେତକ, ମେଡିସିନ୍, ସର୍ଜରି, ଅର୍ଥୋପେଡିକ୍, କାର୍ଡିଓଲୋଜି ବିଭାଗ ଡାକ୍ତରଙ୍କୁ ନେଇ ଟିମ୍ ଗଠନ କରାଯାଇଛି। ଟ୍ରମା କାଜୁଆଲିଟିରେ ଉକ୍ତ ଟିମ୍ ପ୍ରସ୍ତୁତ ରହିବେ ବୋଲି ଏସ୍ସିବି ଜରୁରିକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି ।
ସ୍ୱତନ୍ତ୍ର ଟେଷ୍ଟିଂ ବ୍ୟବସ୍ଥା
ଅନ୍ୟପଟେ ବିଶ୍ୱକପ୍ ହକିକୁ ଦେଖି ରାଉରକେଲା ଓ ଭୁବନେଶ୍ୱରରେ କୋଭିଡ ପାଇଁ ସ୍ୱତନ୍ତ୍ର ଟେଷ୍ଟିଂ ବ୍ୟବସ୍ଥା କରାଯାଇଛି । ମୋବାଇଲ ହେଲଥ ୟୁନିଟ, ସ୍ୱତନ୍ତ୍ର ଡାକ୍ତର ଟିମ୍ ନିୟୋଜିତ କରାଯିବା ସହିତ ଇମରଜେନ୍ସି ଆମ୍ବୁଲାନ୍ସ ସେବା କରାଯାଇଛି । ହକି ବିଶ୍ୱକପ ପାଇଁ ଝାରସୁଗୁଡ଼ାରେ ସ୍ୱାସ୍ଥ୍ୟ ସେବାର ସମୀକ୍ଷା କରିଛନ୍ତି ମନ୍ତ୍ରୀ ନବ ଦାସ ।
ବାଲିଯାତ୍ରା ପଡିଆରେ ବିଶାଳକାୟ ବାଲୁକା କଳା
ସେହିପରି ହକି ବିଶ୍ୱକପକୁ ନେଇ କଟକ ବାଲିଯାତ୍ରା ପଡିଆରେ ଏକ ବିଶାଳକାୟ ବାଲୁକା କଳା ତିଆରି କରିଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ୧୦୦ଫୁଟ ଲମ୍ବର ହକି ଷ୍ଟିକ୍ ତିଆରି ପାଇଁ ୫ ହଜାର ବଲ୍ ବ୍ୟବହାର କରାଯାଇଛି ।
ହକି ପାଇଁ ସାରା ରାଜ୍ୟରେ ସ୍କୁଲ ଛୁଟି
ବୁଧବାର ସାରା ରାଜ୍ୟରେ ସ୍କୁଲ ଛୁଟି । ହକି ବିଶ୍ୱକପ ପାଇଁ ଆସନ୍ତାକାଲି ରାଜ୍ୟ ତମାମ୍ ଦିନ ୧ଟାରୁ ବନ୍ଦ ରହିବ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ । ପୂର୍ବରୁ କେବଳ କଟକ ଜିଲ୍ଲା ପାଇଁ ଦିନ ଦୁଇଟାରୁ ଶିକ୍ଷାନୁଷ୍ଠାନ ବନ୍ଦ ପାଇଁ ଘୋଷଣା ହୋଇଥିବା ବେଳେ ଏବେ ସାରା ରାଜ୍ୟରେ ଦିନ ଗୋଟାଏରୁ ସ୍କୁଲ ଛୁଟି ହେବା ନେଇ ଘୋଷଣା କରିଛନ୍ତି ରାଜ୍ୟ ସରକାର । ତେବେ ପିଲାମାନେ କାର୍ଯ୍ୟକ୍ରମର ସିଧା ପ୍ରସାରଣ ଦେଖିବାକୁ ସ୍କୁଲ ଛୁଟି କରାଯାଇଥିବା କୁହାଯାଇଛି ।
ଉଲ୍ଲେଖଥାଉ କି, ବିଶ୍ୱକପ୍ ହକି ଜାନୁଆରୀ ୧୩ରୁ ୨୯ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡ଼ିୟମ ଓ ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡ଼ିୟମରେ ଖେଳାଯିବ।












Click it and Unblock the Notifications