'ନ୍ୟୁଜିଲାଣ୍ଡ ପାଖରେ ହରାଇବାରେ କିଛି ନାହିଁ, ମାତ୍ର ଭାରତ ହାରିଲେ ଅନେକ କିଛି ହରାଇବ'
ଘରୋଇ ପରିବେଶରେ ବିଶ୍ୱକପ ଖେଳୁଥିବାରୁ ଭାରତ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ପ୍ରତିଶ୍ରୁତିବଦ୍ଧ । ତେଣୁ ନ୍ୟୁଜିଲାଣ୍ଡ ଅପେକ୍ଷା ଭାରତ ଉପରେ ଚାପ ଅଧିକ ରହିବ ବୋଲି କହିଛନ୍ତି ଭାରତୀୟ ଦଳର ମୁଖ୍ୟ କୋଚ୍ ଗ୍ରାହାମ ରିଡ୍ ।
ଭୁବନେଶ୍ବର: ଆଜି(ରବିବାର) ସନ୍ଧ୍ୟାରେ ଚଳିତ ଏଫ୍ଆଇଏଚ୍ ଓଡିଶା ପୁରୁଷ ହକି ବିଶ୍ୱକପ ୨୦୨୩ରେ ଆୟୋଜକ ଭାରତୀୟ ଦଳ ଖେଳିବ କ୍ରସ୍ ଓଭର ମ୍ୟାଚ । ନ୍ୟୁଜିଲାଣ୍ଡ ବିପକ୍ଷ ଏହି ମ୍ୟାଚରେ ବିଜୟ ପାଇଲେ ହିଁ ଭାରତ କ୍ୱାର୍ଟର ଫାଇନାଲରେ ପ୍ରବେଶ କରି ପାରିବ । ଅନ୍ୟପଟେ ପରାଜୟ ଦେଖାଇବ ଟୁର୍ଣ୍ଣାମେଣ୍ଟରୁ ବାହାରକୁ ରାସ୍ତା । ଏହି ମ୍ୟାଚ୍ ପାଇଁ ନ୍ୟୁଜିଲାଣ୍ଡ ୪୦ ବର୍ଷ ପରେ କ୍ବାର୍ଟର ଫାଇନାଲରେ ପ୍ରବେଶ କରିବା ଲକ୍ଷ୍ୟ ରଖିଥିଲା ବେଳେ ଘରୋଇ ଦଳ ଉପରେ ଅଧିକ ଚାପ ରହିବ ।

ବିଶ୍ୱ ର଼୍ୟାଙ୍କିଙ୍ଗରେ ଭାରତ ୬ ଓ ନ୍ୟୁଜିଲାଣ୍ଡ ୧୨ ନମ୍ବରରେ ରହିଛି । ଘରୋଇ ପରିବେଶରେ ବିଶ୍ୱକପ ଖେଳୁଥିବାରୁ ଭାରତ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ପ୍ରତିଶ୍ରୁତିବଦ୍ଧ । ତେଣୁ ନ୍ୟୁଜିଲାଣ୍ଡ ଅପେକ୍ଷା ଭାରତ ଉପରେ ଚାପ ଅଧିକ ରହିବ ବୋଲି କହିଛନ୍ତି ଭାରତୀୟ ଦଳର ମୁଖ୍ୟ କୋଚ୍ ଗ୍ରାହାମ ରିଡ୍ । ସେ କହିଛନ୍ତି "ନ୍ୟୁଜିଲାଣ୍ଡ ହାରିଲେ ବିଶେଷ କିଛି ହରାଇବାର ନାହିଁ, ମାତ୍ର ଭାରତ ହାରିଲେ ଘରୋଇ ପରିବେଶରେ ଅନେକ କିଛି ହରାଇବ । ତେଣୁ ଆମ ଉପରେ ଚାପ ରହିବ" ବୋଲି ଶନିବାର ଅନୁଷ୍ଠିତ ମ୍ୟାଚ ପୂର୍ବ ଖବରଦାତା ସମ୍ମିଳନୀରେ ରିଡ୍ ପ୍ରକାଶ କରିଛନ୍ତି । ୱେଲ୍ସ ବିପକ୍ଷ ଅନ୍ତିମ ଲିଗ୍ ମ୍ୟାଚରେ ଭାରତ ଦକ୍ଷତା ଅନୁରୂପ ପ୍ରଦର୍ଶନ କରିପାରି ନ ଥିଲା । ମାତ୍ର ଆଗାମୀ ମ୍ୟାଚରେ ଏହାର ପୁନରାବୃତ୍ତି ହେବନାହିଁ ବୋଲି ରିଡ୍ ଆଶା କରିଛନ୍ତି। "ଜଣେ ଅଷ୍ଟ୍ରେଲୀୟ ଭାବେ ମୁଁ ଜାଣିଛି ଯେ ନ୍ୟୁଜିଲାଣ୍ଡ ସବୁବେଳେ ଏକ କଷ୍ଟସାଧ୍ୟ ପ୍ରତିଦ୍ୱନ୍ଦ୍ୱୀ । ଆମେ ଏହି ଦଳକୁ ସମ୍ମାନ କରିବା ଉଚିତ । ମାତ୍ର ଆମେ ଯେଉଁଦିନ ଶ୍ରେଷ୍ଠ ପ୍ରଦର୍ଶନ କରିବୁ ବିଶ୍ୱର ଯେ କୌଣସି ଦଳକୁ ହରାଇ ପାରିବୁ" ବୋଲି ରିଡ୍ କହିଛନ୍ତି ।
ପ୍ରତିଯୋଗିତାରେ ଅନ୍ୟତମ ଫେଭରିଟ୍ ଦଳ ଭାରତ ଗତ ସଂସ୍କରଣରେ କ୍ବାର୍ଟରଫାଇନାଲ୍ରେ ପରାଜିତ ହୋଇଥିଲା । କିନ୍ତୁ ଏଥର ଦଳକୁ କ୍ବାର୍ଟର ବାଧା ପାର୍ କରିବା ପାଇଁ ଏହାଠୁ ଭଲ ସୁଯୋଗ ଆଉ ମିଳିବନି। ତେଣୁ ଏଥିପୂର୍ବରୁ ଅପେକ୍ଷାକୃତ ଦୁର୍ବଳ ନ୍ୟୁଜିଲାଣ୍ଡକୁ ପ୍ରଥମ ନକ୍ଆଉଟ୍ରେ ହରାଇବା ପାଇଁ ଭାରତ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଥିବା ମୁଖ୍ୟ ପ୍ରଶିକ୍ଷକ ଗ୍ରାହମ ରିଡ୍ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
ଉଲ୍ଲେଖଥାଉ କି, ହରମନପ୍ରୀତ ସିଂହଙ୍କ ନେତୃତ୍ବାଧିନ ଭାରତ ପ୍ରଥମ ମ୍ୟାଚରେ ସ୍ପେନକୁ ୨-୦ ଗୋଲରେ ପରାଜିତ କରିଥିବା ବେଳେ ଦ୍ବିତୀୟ ମ୍ୟାଚ ଇଂଲଣ୍ଡ ସହ ଗୋଲଶୂନ୍ୟ ଡ୍ର ରଖିଥିଲା । ଅନ୍ତିମ ଲିଗ୍ ମ୍ୟାଚରେ ଦଳ ୱେଲ୍ସକୁ ୪-୨ ଗୋଲରେ ପରାସ୍ତ କରି ପୁଲ୍ର ୨ୟ ସ୍ଥାନ ହାସଲ କରିଥିଲା ।
ଅନ୍ୟପଟେ ଏଫ୍ଆଇଏଚ୍ ମାନ୍ୟତାର ୧୨ତମ ସ୍ଥାନରେ ଥିବା ନ୍ୟୁଜିଲାଣ୍ଡ ପୁଲ୍-ସି ରେ ସ୍ଥାନ ପାଇଥିଲା । ଚିଲିକୁ ୩-୧ ଗୋଲରେ ନ୍ୟୁଜିଲାଣ୍ଡ ପରାସ୍ତ କରିଥିବା ବେଳେ ନେଦରଲାଣ୍ଡସ ଠାରୁ ୦-୪ ଓ ମାଲେସିଆ ନିକଟରୁ ୩-୨ ଗୋଲରେ ପରାସ୍ତା ହୋଇଥିଲା । ନ୍ୟୁଜିଲାଣ୍ଡ ପୁଲର ୩ୟ ସ୍ଥାନରେ ରହି କ୍ରସ୍ ଓଭର ମ୍ୟାଚ ଖେଳିବାକୁ ଉନ୍ନୀତ ହୋଇଛି । ନ୍ୟୁଜିଲାଣ୍ଡ ୫ଟି ଗୋଲ ଦେଇଥିବା ବେଳେ ୮ ଟି ଗୋଲ ବରଣ କରିଛି ।












Click it and Unblock the Notifications