ହକି ବିଶ୍ୱକପ: କଳିଙ୍ଗରେ କୋରିଆ ଉପରେ ଗୋଲ୍ ବର୍ଷା କଲା ଡିଫେଣ୍ଡିଂ ଚାମ୍ପିୟନ ବେଲଜିୟମ୍
କଳିଙ୍ଗରେ କୋରିଆକୁ କସିଲା ଡିଫେଣ୍ଡିଂ ଚାମ୍ପିୟନ । କୋରିଆ ଉପରେ ଗୋଲ୍ ବର୍ଷା କଲା ଗତଥରର ବିଜେତା ବେଲଜିୟମ୍ ।
ଭୁବନେଶ୍ୱର: କଳିଙ୍ଗରେ କୋରିଆକୁ କସିଲା ଡିଫେଣ୍ଡିଂ ଚାମ୍ପିୟନ । କୋରିଆ ଉପରେ ଗୋଲ୍ ବର୍ଷା କଲା ଗତଥରର ବିଜେତା ବେଲଜିୟମ୍ । ଆଜି ଚଳିତ ହକି ବିଶ୍ୱକପ 2023ରେ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଷଷ୍ଠ ମ୍ୟାଚରେ କୋରିଆନ ଦଳକୁ 5-0 ରେ ପରାସ୍ତ କରିଛି ଫେଣ୍ଡିଂ ଚାମ୍ପିୟନ ରେଡ୍ ଲାୟନ୍ସ ।

ତେବେ ଡିଫେଣ୍ଡିଂ ଚାମ୍ପିୟନ ଆକ୍ରାମଣାତ୍ମକ ଢଙ୍ଗରେ ଟୁର୍ଣ୍ଣାମେଣ୍ଟରେ ଯାତ୍ରା ଆରମ୍ଭ କରିଛି । ପ୍ରଥମ କ୍ୱାର୍ଟର ଗୋଲ ଲେସ୍ ରହିବା ସତ୍ତ୍ୱେ ସେମାନେ କୋରିଆମାନଙ୍କୁ 5-0 ଗୋଲରେ ପରାସ୍ତ କରିଛନ୍ତି । ଏହି ବିଜୟ ସହ ରେଡ୍ ରେଡ୍ ଲାୟନ୍ସ 3 ପଏଣ୍ଟ୍ ନିଜ ପକେଟ୍ ରେ ରଖିଛନ୍ତି । ମ୍ୟାଚର 32 ତମ ମିନିଟରେ ବେଲଜିୟମକୁ ବ୍ୟାକ୍-ଟୁ-ବ୍ୟାକ୍ ପେନାଲ୍ଟି କର୍ଣ୍ଣର ମିଳିଥିଲା । ଯାହାକୁ ଦଳ ଗୋଲରେ ରୂପାନ୍ତର କରିଥିଲା । ଆଲେକ୍ସଜାଣ୍ଡାର୍ ହେଣ୍ଡ୍ରିକ୍ସ କୋରିଆର ଗୋଲ୍ ପୋଷ୍ଟକୁ ହିଟ୍ କରି ବେଲଜିୟମକୁ 1-0 ରେ ଅଗ୍ରଣୀ କରାଇଥିଲେ ।
ଅନ୍ୟପଟେ କୋରିଆ ବେଲିଜିୟମକୁ ମଧ୍ୟ କାଉଣ୍ଟର ଆଟାକ୍ କରି 35 ମିନିଟରେ ଏକ ପେନାଲ୍ଟି କର୍ଣ୍ଣର ଅର୍ଜନ କରିଥିଲା । କିନ୍ତୁ ଏହାରୁ ଗୋଲ କରିବାରେ ସଫଳ ହୋଇ ପାରିଲା ନାହିଁ । ତେବେ ତୃତୀୟ କ୍ୱାର୍ଟର ଶେଷ ହେବାର ମାତ୍ର 3 ସେକେଣ୍ଡ ପୂର୍ବରୁ କୋରିଆ ଏକ ପେନାଲ୍ଟି କର୍ଣ୍ଣର ପାଇଥିଲା । ମାତ୍ର କୋରିଆକୁ ଏହି କର୍ଣ୍ଣକୁ ଗୋଲରେ ପରିଣତ କରାଇବାକୁ ଦେଇ ନଥିଲେ ବେଲଜିୟମ୍ ଡିଫେଣ୍ଡରମାନେ । ତୃତୀୟ କ୍ୱାର୍ଟର ଶେଷ ସୁଦ୍ଧା ବେଲଜିୟମ 2-0 ଅଗ୍ରଣୀ ହାସଲ କରି ସାରିଥିଲା ।
ପରେ ଫ୍ଲୋରେଣ୍ଟ ଭାନ ଆବେଲ 49 ତମ ମିନିଟରେ ବେଲଜିୟମ ପାଇଁ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ରୂପାନ୍ତର କରିଥିଲେ । ଯାହା ମ୍ୟାଚର ଶେଷ ୧୦ ମିନିଟ ପୂର୍ବରୁ ବେଲଜିୟମ ପାଇଁ ଏକ ଆରାମଦାୟକ ଅଗ୍ରଣୀ ହୋଇଥିଲା । ମାତ୍ର ଡିଫେଣ୍ଡିଂ ଚାମ୍ପିଆନର ମନ ଏତିକିରେ ମାନି ନଥିଲା । କୋରିଆନ୍ ଗୋଲ ପୋଷ୍ଟକୁ ସେମାନେ ଆଟାକ୍ ପରେ ଆଟାକ୍ କରି ଚାଲିଥିଲେ । ତେବେ ବେଲଜିୟମ ପାଇଁ 51 ତମ ମିନିଟରେ ସେବାଷ୍ଟିଆନ୍ ଡକିଅର୍ ଏକ ଫିଲ୍ଡ ଗୋଲ୍ ମାରିଥିଲେ । ଦୁଇ ମିନିଟର ବ୍ୟବଧାନରେ ଦଳ ଦୁଇଟି ଗୋଲ୍ ହିଟ୍ କରି ବଡ ଅଗ୍ରଣୀ ହାସଲ କରି ନେଇଥିଲା । ସେବେ ସୁଦ୍ଧା ମଧ୍ୟ କୋରିଆ ଗୋଲ ଶୂନ୍ୟ ରହିଥିଲା ।
ତେବେ ପୁଣି ମ୍ୟାଚରେ ରେଡ୍ ଲାୟନ୍ସ ପାଇଁ ହୋଇଥିଲା ପଞ୍ଚମ ଗୋଲ । ମ୍ୟାଚର 57 ତମ ମିନିଟରେ ଆର୍ଥର ଡି ସ୍ଲୋଭର ଏକ ଭଲ ଫିଲ୍ଡ ଗୋଲ ସ୍କୋର କରି ବେଲଜିୟମକୁ କୋରିଆ ବିପକ୍ଷରେ 5-0 ରେ ବୃହତ ବିଜୟ ପ୍ରଦାନ କରିଥିଲେ ।












Click it and Unblock the Notifications