ହକି ବିଶ୍ୱକପ ୨୦୨୩: କ୍ରସ୍ ଓଭର ମ୍ୟାଚ କ’ଣ ?
ଆପଣଙ୍କ ମନରେ ଏବେ ପ୍ରଶ୍ନ ଉଠୁଥିବ, କଣ ଏହି କ୍ରସ୍ ଓଭର ମ୍ୟାଚ ? କଣ ରହିଛି କ୍ରସ୍ ଓଭର ମ୍ୟାଚର ନିୟମ ?
ଭୁବନେଶ୍ୱର: ଚଳିତ ଏଫ୍ଆଇଏଚ୍ ଓଡିଶା ପୁରୁଷ ହକି ବିଶ୍ୱକପ ୨୦୨୩ରେ ଶେଷ ପର୍ଯ୍ୟାୟରେ ଲିଗ୍ ଷ୍ଟେଜ୍ ମ୍ୟାଚ ଖେଳାଯାଉଛି । ଏହାପରେ ଖେଳାଯିବ କ୍ୱାର୍ଟର ଫାଇନାଲ ଲଢେଇ । ମାତ୍ର କ୍ୱାର୍ଟର ଫାଇଟ୍ ପୂର୍ବରୁ ଖେଳାଯିବ ଏକ କ୍ରସ୍ ଓଭର ମ୍ୟାଚ ।

ଗତକାଲି ଶେଷ ହୋଇଛି ପୁଲ- ସି ଓ ପୁଲ୍-ଡି ରେ ଲିଗ୍ ପର୍ଯ୍ୟାୟ ମ୍ୟାଚ । ଏହି ଦୁଇ ପୁଲରେ ଶୀର୍ଷ ସ୍ଥାନ ଅଧିକାର କରି ଯଥାକ୍ରମେ ନେଦରଲାଣ୍ଡ୍ସ ଓ ଇଂଲଣ୍ଡ ସିଧାସଳଖ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ୨ୟ ଓ ୩ୟ ସ୍ଥାନୀୟ ଦଳ କ୍ରସ୍ ଓଭର ମଧ୍ୟଦେଇ କ୍ୱାର୍ଟର ଫାଇନାଲକୁ ଯୋଗ୍ୟତା ପାଇବେ। ତେବେ ଆପଣଙ୍କ ମନରେ ଏବେ ପ୍ରଶ୍ନ ଉଠୁଥିବ, କଣ ଏହି କ୍ରସ୍ ଓଭର ମ୍ୟାଚ ? କଣ ରହିଛି କ୍ରସ୍ ଓଭର ମ୍ୟାଚର ନିୟମ ?
ନିୟମ ଅନୁସାରେ ୪ଟି ଯାକ ପୁଲର ଶ୍ରେଷ୍ଠ ଦଳ ସିଧାସଳଖ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବେ । ଅବଶିଷ୍ଟ ୪ଟି କ୍ୱାର୍ଟର ଫାଇନାଲ ସ୍ଥାନ ପାଇଁ କ୍ରସ୍ ଓଭର ମ୍ୟାଚ ଖେଳାଯିବ। ଅର୍ଥାତ୍ ୪ ପୁଲର ଦ୍ୱିତୀୟ ଓ ତୃତୀୟ ସ୍ଥାନ ପାଇଥିବା ୮ ଦଳ ମଧ୍ୟରେ କ୍ରସ୍ ଓଭର ଅନୁଷ୍ଠିତ ହେବ। ତେବେ ପୁଲ-ଡି ର ଦ୍ୱିତୀୟ ସ୍ଥାନରେ ଥିବା ଦଳ ପୁଲ-ସି ର ତୃତୀୟ ସ୍ଥାନରେ ଥିବା ଦଳ ସହ ଫାଇଟ୍ କରି କ୍ୱାର୍ଟର ଫାଇନାଲ ସ୍ଥାନ ପାଇଁ ଯୋଗ୍ୟତା ଅର୍ଜନ କରିବେ । ଯାହାକୁ କ୍ରସ୍ ଓଭର କୁହାଯିବ। ଏହି ମ୍ୟାଚର ବିଜେତା କ୍ୱାର୍ଟର ଫାଇନାଲ ଯୋଗ୍ୟତା ପାଇବ।
ତେବେ ଏହି କ୍ରମରେ ପୁଲ-ଡି ରେ ଦ୍ୱିତୀୟ ସ୍ଥାନରେ ଥିବା ଭାରତ ପୁଲ-ସି ର ତୃତୀୟ ସ୍ଥାନରେ ଥିବା ନ୍ୟୁଜିଲାଣ୍ଡକୁ ଭେଟିବ । ସେହିପରି ପୁଲ-ସି ର ୨ୟ ଓ ପୁଲ-ଡିର ୩ୟ, ପୁଲ-ଏର ୨ୟ ଓ ପୁଲ-ବିର ୩ୟ ଏବଂ ପୁଲ-ଏର ୩ୟ ଓ ପୁଲ-ବିର ୨ୟ ଦଳ ମଧ୍ୟରେ କ୍ରସ୍ ଓଭର ମ୍ୟାଚ ହୋଇ ଅବଶିଷ୍ଟ କ୍ୱାର୍ଟର ଫାଇନାଲ ସ୍ଥାନ ପୂରଣ ହେବ । ଏହି କ୍ରମରେ ସ୍ପେନ୍ ଓ ମାଲେସିଆ ମଧ୍ୟରେ କ୍ରସ୍ ଓଭର ମ୍ୟାଚ ଅନୁଷ୍ଠିତ ହେବ । ଏହି କ୍ରସ୍ ଓଭର ମ୍ୟାଚ ୨ଟି ୨୨ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ସେହିପରି ଅନ୍ୟ ଦୁଇଟି ମ୍ୟାଚ ୨୩ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ମଧ୍ୟ ଖେଳାଯିବ ।












Click it and Unblock the Notifications