ଆଜି କଳିଙ୍ଗରେ ଭାରତ ବନାମ ୱେଲ୍ସ ଲଢ଼େଇ, ସିଧାସଳଖ କ୍ବାର୍ଟର ଟିକେଟ୍ ପାଇଁ ଭାରତକୁ ଆବଶ୍ୟକ ବୃତହ ବିଜୟ
ଚଳିତ ପୁରୁଷ ହକି ବିଶ୍ବକପରେ ଆୟୋଜକ ଭାରତ ଗୁରୁବାର କଳିଙ୍ଗ ଷ୍ଟାଡ଼ିୟମରେ ପୁଲ-ଡି ର ଅନ୍ତିମ ଲିଗ୍ ମ୍ୟାଚ ନବାଗତ ୱେଲ୍ସ ବିପକ୍ଷରେ ଖେଳିବ। ଉଭୟ ଦଳ ବିଶ୍ବକପରେ ପ୍ରଥମ ଥର ପାଇଁ ପରସ୍ପରକୁ ଭେଟିବାକୁ ଯାଉଛନ୍ତି ।
ଭୁବନେଶ୍ବର: ଚଳିତ ପୁରୁଷ ହକି ବିଶ୍ବକପରେ ଆୟୋଜକ ଭାରତ ଗୁରୁବାର କଳିଙ୍ଗ ଷ୍ଟାଡ଼ିୟମରେ ପୁଲ-ଡି ର ଅନ୍ତିମ ଲିଗ୍ ମ୍ୟାଚ ନବାଗତ ୱେଲ୍ସ ବିପକ୍ଷରେ ଖେଳିବ। ଉଭୟ ଦଳ ବିଶ୍ବକପରେ ପ୍ରଥମ ଥର ପାଇଁ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ବିଭିନ୍ନ ଦୃଷ୍ଟିକୋଣରୁ ଏହି ମ୍ୟାଚ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ବ ବହନ କରୁଛି । ଭାରତ ଉକ୍ତ ମ୍ୟାଚକୁ ବଡ ବ୍ୟବଧାନରେ ଜିତି ସିଧାସଳଖ କ୍ବାର୍ଟର ଫାଇନାଲକୁ ଉନ୍ନୀତ ହେବାକୁ ଲକ୍ଷ୍ୟ ରଖିଛି ।

ରାଉରକେଲାରେ ଖେଳିଥିବା ଦୁଇଟି ମ୍ୟାଚ୍ରେ ଘରୋଇ ଦଳ ଗୋଟିଏ ବିଜୟ ସ୍ପେନ୍ (୨-୦) ବିପକ୍ଷରେ ପାଇଥିଲା ବେଳେ ଇଂଲଣ୍ଡ ସହ ଗୋଲ୍ଶୂନ୍ୟ ଅମୀମାଂସିତ ରଖିଥିଲା। ଫଳରେ ଦଳ ଏବେ ଇଂଲଣ୍ଡ ସହ ସମାନ ୪ ପଏଣ୍ଟ ପାଇଥିଲେ ମଧ୍ୟ ଗୋଲ୍ ବ୍ୟବଧାନରେ ପଛରେ ରହିଛି । ଭାରତର ଗୋଲ୍ ବ୍ୟବଧାନ +୨ ଥିବା ବେଳେ ଇଂଲଣ୍ଡର +୫ ରହିଛି । ତେଣୁ ସିଧାସଳଖ କ୍ବାର୍ଟରଫାଇନାଲ୍ ସ୍ଥାନ ପକ୍କା କରିବାକୁ ହେଲେ ପୁଲ୍'ର ଶୀର୍ଷ ସ୍ଥାନ ଦଖଲ କରିବାକୁ ହେବ।
ଭାରତ-ୱେଲ୍ସ ମ୍ୟାଚ୍ ପୂର୍ବରୁ ଇଂଲଣ୍ଡ-ସ୍ପେନ୍ର ମ୍ୟାଚ୍ ରହିଛି। ଏହି ମ୍ୟାଚ୍ ପରେ ଭାରତକୁ ଟାର୍ଗେଟ୍ ମିଳିଯିବ । ଇଂଲଣ୍ଡ ଯେତିକି ବ୍ୟବଧାନରେ ସ୍ପେନ୍କୁ ହରାଇବ ଭାରତ ତା'ଠୁ ୪ ଗୋଲ୍ ଅଧିକରେ ଜିତିଲେ ସିଧାସଳଖ କ୍ବାର୍ଟରଫାଇନାଲ୍ ନିଶ୍ଚିତ କରିବ। ଯଦି ସ୍ପେନ୍ ଜିତିନିଏ ୱେଲ୍ସ ବିପକ୍ଷରେ ଭାରତ କେବଳ ବିଜୟୀ ହେଲେ ପୁଲ୍ର ଶୀର୍ଷ ସ୍ଥାନ ଦଖଲ କରିବ। ଏମିତି ବି ଭାରତ ଗୋଟିଏ ବିଜୟ ଓ ଡ୍ର' ପାଇଥିବାରୁ ନକ୍ଆଉଟ୍ ହେବାର ନାହିଁ। ଯଦି ପୁଲ୍'ର ଶୀର୍ଷ ସ୍ଥାନ ନପାଏ ତେବେ କ୍ରସ୍ ଓଭର ଖେଳି କ୍ବାର୍ଟରଫାଇନାଲ୍ରେ ପହଞ୍ଚିବାର ସୁଯୋଗ ରହିବ।
ରେକର୍ଡ ଓ ସାଂପ୍ରତିକ ଫର୍ମ ଅନୁସାରେ ୱେଲ୍ସ ବିପକ୍ଷରେ ଭାରତର ବିଜୟ ୧୦୦ ପ୍ରତିଶତ ରହିଛି । ଉଭୟ ଦଳ ଏପର୍ଯ୍ୟନ୍ତ ୫ ଥର ମୁହାଁମୁହିଁ ହୋଇଛନ୍ତି । ଭାରତ ୫ଟି ଯାକ ମ୍ୟାଚରେ ବିଜୟୀ ହୋଇଛି । ଶେଷଥର ୨୦୨୨ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେଦୁଇ ଦଳ ମୁହଁାମୁହିଁ ହୋଇଥିଲେ। ଏଥିରେ ଭାରତ ୪-୧ ଗୋଲରେ ୱେଲ୍ସକୁ ପରାସ୍ତ କରିଥିଲା। ୱେଲ୍ସ ବିଶ୍ବ ମାନ୍ୟତାରେ ୧୫ଶ ଓ ଭାରତ ୬ଷ୍ଠ ସ୍ଥାନରେ ରହିଛି ।
ସେପଟେ କଳିଙ୍ଗ ଷ୍ଟାଡିୟମରେ ଚଳିତ ବିଶ୍ବକପ୍ର ପ୍ରଥମ ମ୍ୟାଚ୍ ଖେଳିବାକୁ ଯାଉଥିବା ଭାରତ ପାଇଁ ବଡ଼ ଚିନ୍ତାର ବିଷୟ ହେଉଛି ମିଡ୍ଫିଲ୍ଡର ହାର୍ଦିକ ସିଂହଙ୍କ ଆଘାତ ସମସ୍ୟା। ପ୍ରଥମ ମ୍ୟାଚ୍ରେ ଭାରତକୁ ଜିତାଇବାରେ ପ୍ରମୁଖ ଭୂମିକା ତୁଲାଇଥିବା ହାର୍ଦିକ ଇଂଲଣ୍ଡ ବିପକ୍ଷ ମ୍ୟାଚ୍ରେ ଆହତ ହୋଇଥିଲେ । ଫଳରେ ୱେଲ୍ସ ବିପକ୍ଷରେ ହାର୍ଦିକ ଖେଳିବାର ସମ୍ଭାବନା ନାହିଁ ।












Click it and Unblock the Notifications