ଭୁବନେଶ୍ୱରକୁ ଫେରିବ ହକି: ଫେବୃଆରୀ ୧୫ରୁ କଳିଙ୍ଗରେ ପ୍ରୋ-ଲିଗ୍
ଭୁବନେଶ୍ୱର: ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ହକି ଇଣ୍ଡିଆ ଲିଗ୍ ଚାଲିଥିବାବେଳେ ଖୁବ୍ଶୀଘ୍ର ଭୁବନେଶ୍ୱରକୁ ଫେରିବାକୁ ଯାଉଛି ହକି ଫିଭର । କଳିଙ୍ଗ ଷ୍ଟାଡିୟମରେ ଫେବୃଆରୀ ୧୫ରୁ ଆରମ୍ଭ ହେବ l ଏଫ୍ଆଇଏଚ୍ ପ୍ରୋ ଲିଗ୍ ହକି। ଏଫ୍ଆଇଏଚ୍ ଓ୍ବେବ୍ସାଇଟ୍ରେ ଉପଲବ୍ଧ ତଥ୍ୟ ଅନୁସାରେ ପ୍ରୋ ଲିଗ୍ର ପ୍ରଥମ ଚରଣ ଅଷ୍ଟ୍ରେଲିଆର ସିଡ୍ନୀରେ ଫେବୃଆରୀ ୪ରୁ ଆରମ୍ଭ ହେବ।
ନେଦରଲାଣ୍ଡ୍ସ ଓ ସ୍ପେନ ମଧ୍ୟରେ ପ୍ରଥମ ମ୍ୟାଚ ସିଡ୍ନୀ ଅଲିମ୍ପିକ୍ ପାର୍କ ହକି ସେଣ୍ଟରରେ ଅନୁଷ୍ଠିତ ହେବ। ସେଠାରେ ପୁରୁଷ ବିଭାଗରେ ନେଦରଲାଣ୍ଡ୍ସ, ସ୍ପେନ, ଅଷ୍ଟ୍ରେଲିଆ ଓ ମହିଳାରେ ଚାଇନା, ସ୍ପେନ୍ ଓ ଅଷ୍ଟ୍ରେଲିଆ ୯ ତାରିଖ ପର୍ଯ୍ୟନ୍ତ ଖେଳିବେ। ଏହାପରେ ହକି ଆକ୍ସନ ଭୁବନେଶ୍ୱର ଫେରିବ। କଳିଙ୍ଗ ଷ୍ଟାଡିୟମରେ ଭାରତ, ଜର୍ମାନୀ, ସ୍ପେନ୍, ଇଂଲଣ୍ଡ, ନେଦରଲାଣ୍ଡ୍ସ ଓ ଆୟର୍ଲାଣ୍ଡ ଉଭୟ ମହିଳା ଓ ପୁରୁଷ ବିଭାଗରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ମହିଳା ବିଭାଗରେ ଭାରତ ଏହାର ପ୍ରଥମ ମ୍ୟାଚ ୧୫ ତାରିଖରେ ଇଂଲଣ୍ଡ ସହ ଖେଳିବ।

ସେହିଦିନ ପୁରୁଷ ବର୍ଗରେ ସ୍ପେନ୍ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ। ପ୍ରୋ ଲିଗ୍ର ପରବର୍ତ୍ତୀ ଚରଣ ଆର୍ଜେଣ୍ଟିନାର ସାଣ୍ଟିଆଗୋଠାରେ ୨୦ ତାରିଖରୁ ଆରମ୍ଭ ହେବ। ଭୁବନେଶ୍ୱର ଓ ସାଣ୍ଟିଆଗୋ ଚରଣ ଶେଷ ବେଳକୁ ପ୍ରତି ଦଳ ୮ଟି ଲେଖାଏ ମ୍ୟାଚ ଖେଳି ସାରିଥିବେ। ତେଣୁ ଟାଇଟଲ ଦୌଡ଼ରେ କେଉଁ ଦଳ ରହିଥିବେ ତାହା ଜଣାପଡ଼ିବ। ଗତ ସିଜନରେ ପୁରୁଷ ବିଭାଗରେ ଅଷ୍ଟ୍ରେଲିଆ ଓ ମହିଳାରେ ନେଦରଲାଣ୍ଡ୍ସ ଚାମ୍ପିୟନ ହୋଇଥିଲା।












Click it and Unblock the Notifications