କେକେଆର୍ ବିପକ୍ଷ ମ୍ୟାଚ୍ରେ ୩୭ ବଲ୍ରେ ଶତକ ମାରିଲେ କ୍ଲାସେନ୍; 110 ରନରେ ଜିତିଲା SRH
ସନରାଇଜର୍ସ ହାଇଦ୍ରାବାଦର ହେନରିଚ୍ କ୍ଲାସେନ୍ ଆଇପିଏଲର ଚଳିତ ସିଜିନରେ ଇତିହାସ ରଚିଛନ୍ତି। କ୍ଲାସେନ କୋଲକାତା ନାଇଟ୍ ରାଇଡର୍ସ (କେକେଆର) ବିପକ୍ଷରେ ୩୭ ବଲରେ ଶତକ ହାସଲ କରିଥିଲେ। ଏହି ଶତକ ସହିତ, କ୍ଲାସେନ୍ ଏସ୍ଆର୍ଏଚ୍ ପାଇଁ ଦ୍ରୁତତମ ୧୦୦ ସ୍କୋର କରିଥିବା ଖେଳାଳି ହୋଇପାରିଛନ୍ତି।
କେକେଆର୍ ବିପକ୍ଷରେ ହେନରିଚ୍ କ୍ଲାସେନଙ୍କ ଏହି ଶତକ ଆଇପିଏଲ୍ ଇତିହାସର ତୃତୀୟ ଦ୍ରୁତତମ ଶତକ।
ଦ୍ରୁତତମ ଶତକ ହାସଲ କରିବାରେ, କ୍ଲାସେନ କେବଳ ରାଜସ୍ଥାନ ରୟାଲ୍ସ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବଂ କ୍ରିସ୍ ଗେଲ୍ଙ୍କ ପଛରେ ଅଛନ୍ତି। କ୍ରିସ୍ ଗେଲ୍ ହେଉଛନ୍ତି ଆଇପିଏଲରେ ଏପର୍ଯ୍ୟନ୍ତ ସବୁଠାରୁ ଦ୍ରୁତତମ ଶତକ ମାରିଥିବା ଖେଳାଳି।

୨୦୧୩ରେ, ବାଙ୍ଗାଲୋର ପାଇଁ ବ୍ୟାଟିଂ କରୁଥିବା ସମୟରେ, କ୍ରିସ୍ ଗେଲ୍ ପୁନେ ୱାରିୟର୍ସ ବିପକ୍ଷରେ ୩୦ ବଲରେ ଶତକ ହାସଲ କରିଥିଲେ। ଏହି ପରିପ୍ରେକ୍ଷୀରେ ଚଳିତ ସିଜିନ୍ ଆଇପିଏଲ୍ ୨୦୨୫ରେ, ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ୩୫ ବଲରେ ଶତକ ହାସଲ କରିଥିଲେ। ଏବେ ହେନରିଚ୍ କ୍ଲାସେନ୍ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ୩୭ ବଲରେ ଶତକ ହାସଲ କରି ଆଇପିଏଲର ଏହି ରେକର୍ଡ ତାଲିକାରେ ନିଜ ନାମ ପଞ୍ଜିକୃତ କରିଛନ୍ତି।
ରବିବାର ଦିନ ସନରାଇଜର୍ସ ହାଇଦ୍ରାବାଦ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ IPL 2025ର 68ତମ ମ୍ୟାଚ୍ ଖେଳାଯାଇଥିଲା । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ହାଇଦ୍ରାବାଦ । 20 ଓଭରରେ 3 ୱିକେଟ୍ ହରାଇ 278 ରନ୍ କରିଥିଲା ହାଇଦ୍ରାବାଦ । ଦଳର ଷ୍ଟାର ବ୍ୟାଟସମ୍ୟାନ ହେନରିଚ୍ କ୍ଲାସେନ୍ 39 ବଲରେ ଅପରାଜିତ 105 ରନ କରିଥିଲେ । ସେହିପରି ଟ୍ରାଭିସ୍ ହେଡ୍ 40 ବଲରେ 76 ରନ୍ କରି ଆଉଟ୍ ହୋଇଥିଲେ । କେକେଆର ପକ୍ଷରୁ ସୁନୀଲ ନାରିନ ଦୁଇଟି ଏବଂ ବୈଭବ ଆରୋରା ଗୋଟିଏ ୱିକେଟ ନେଇଥିଲେ । ହେନରିଚ୍ କ୍ଲାସେନଙ୍କ ଶତକ ଏବଂ ଟ୍ରାଭିସ୍ ହେଡଙ୍କ ଅର୍ଦ୍ଧଶତକ ବଳରେ ସନରାଇଜର୍ସ ହାଇଦ୍ରାବାଦ କୋଲକାତା ନାଇଟ୍ ରାଇଡର୍ସ ପାଇଁ 279 ରନର ଟାର୍ଗେଟ ରଖିଥିଲା ।
ଏହି ମ୍ୟାଚ୍ରେ ଅଭିଷେକ ଶର୍ମା ଏବଂ ଟ୍ରାଭିସ୍ ହେଡ୍ ସନରାଇଜର୍ସ ହାଇଦ୍ରାବାଦକୁ ଏକ ଭଲ ଆରମ୍ଭ ଦେଇଥିଲେ । ପ୍ରଥମ ୱିକେଟ ପାଇଁ ଦୁହିଁଙ୍କ ମଧ୍ୟରେ 92 ରନର ଭାଗୀଦାରି ହୋଇଥିଲା । ସୁନୀଲ ନାରିନ, ଅଭିଷେକଙ୍କୁ ନିଜର ଶିକାର କରିଥିଲେ । 16 ବଲ୍ରେ 4 ଚୌକା ଏବଂ 2ଟି ଛକା ସହାୟତାରେ 32 ରନ୍ କରିବା ପରେ ଆଉଟ୍ ହୋଇଥିଲେ ଅଭିଷେକ । ଏହା ପରେ ନାରିନ ଟ୍ରାଭିସ୍ ହେଡ୍ଙ୍କୁ ପାଭିଲିୟନ୍ ଯିବାର ରାସ୍ତା ଦେଖାଇଥିଲେ । ସେ 6ଟି ଚୌକା ଏବଂ 6 ଛକା ସହାୟତାରେ 76 ରନ କରି ଆଉଟ ହୋଇଥିଲେ । ସେ 26 ବଲ୍ରେ ତାଙ୍କର ଅର୍ଦ୍ଧଶତକ ପୂରଣ କରିଥିଲେ ।
279 ରନର ଟାର୍ଗେଟକୁ ପିଛା କରୁଥିବା କୋଲକାତା ନାଇଟ୍ ରାଇଡର୍ସ ଚତୁର୍ଥ ଓଭରରେ ପ୍ରଥମ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ସୁନୀଲ ନାରିନ 16 ବଲ୍ରେ 31 ରନ୍ କରି ଆଉଟ୍ ହୋଇଥିଲେ । ଅଧିନାୟକ ଅଜିଙ୍କ୍ୟ ରାହାଣେ 8 ବଲରେ ମାତ୍ର 15 ରନ୍ କରିଥିଲେ । କ୍ୱିଣ୍ଟନ୍ ଡି'କକ୍ 13 ବଲ୍ରେ 9 ରନ୍ କରି ଆଉଟ୍ ହୋଇଥିଲେ । ହର୍ଷ ଦୁବେ, ରିଙ୍କୁ ସିଂହ (9) ଏବଂ ଆଣ୍ଡ୍ରେ ରସେଲ (0)ଙ୍କୁ ଆଉଟ୍ କରିଥିଲେ । ରଘୁବଂଶୀ 18 ବଲ୍ରେ ମାତ୍ର 14 ରନ୍ କରିପାରିଥିଲେ । ଧିରେଧିରେ କେକେଆରର ଗୋଟିଏ ପରେ ଗୋଟିଏ ୱିକେଟର ପତନ ଘଟିଥିଲା । 18.4 ଓଭଲରେ 168 ରନ କରି ଆଲଆଉଟ ହୋଇଥିଲା କୋଲକାତା । ଫଳରେ ହାଇଦ୍ରାବାଦଠାରୁ 110 ରନରେ ପରାଜିତ ହୋଇଛି କେକେଆର ।












Click it and Unblock the Notifications