ଭାରତୀୟ କ୍ରିକେଟ୍ ଦଳର ନୂଆ କୋଚ୍ ଗୌତମ ଗମ୍ଭୀର, ଜାଣନ୍ତୁ କେମିତି ଥିଲା ତାଙ୍କ କ୍ରିକେଟ୍ କ୍ୟାରିୟର
Gautam Gambhir Indian Cricket team head coach: ଭାରତୀୟ କ୍ରିକେଟ୍ ଦଳକୁ ମିଳିଛି ନୂଆ କୋଚ୍ । ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀରଙ୍କୁ ମିଳିଛି ଏହି ନୂଆ ଦାୟିତ୍ୱ । ବିସିସିଆଇ ମଙ୍ଗଳବାର ଦିନ ଗୌତମ ଗମ୍ଭୀରଙ୍କୁ ଭାରତୀୟ କ୍ରିକେଟ୍ ଦଳର ନୂତନ ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରିବାକୁ ଘୋଷଣା କରିଛି । ବିସିସିଆଇ ଅଧ୍ୟକ୍ଷ ଜୟ ଶାହା ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି ।
ଗୌତମ ଗମ୍ଭୀର ଆଇପିଏଲରେ କୋଲକାତା ନାଇଟ୍ ରାଇଡର୍ସର ପରାମର୍ଶଦାତା ଥିଲେ । ସେ ବର୍ତ୍ତମାନ ଭାରତୀୟ ଦଳରେ ରାହୁଲ ଦ୍ରାବିଡଙ୍କ ସ୍ଥାନ ନେବେ । ସେ ଜୁଲାଇ ଶେଷ ସୁଦ୍ଧା ଶ୍ରୀଲଙ୍କା ଗସତ୍ ଠାରୁ ଟିମ୍ ଇଣ୍ଡିଆର କୋଚିଂ କମାଣ ସମ୍ଭାଳିବେ ।
ଗୌତମ ଗମ୍ଭୀର ଭାରତୀୟ କ୍ରିକେଟର ଏକ ଜଣାଶୁଣା ଚେହେରା । ସେ ଭାରତୀୟ ଦଳ ପାଇଁ ଅନେକ ବର୍ଷ ଖେଲିବା ସହ ଦଳର ସମ୍ମାନ ବଢାଇଛନ୍ତି । ତେବେ ଆସନ୍ତୁ ତାଙ୍କ କ୍ରିକେଟ୍ କ୍ୟାରିୟର ଉପରେ ପକାଇବା ନଜର...

ଟେଷ୍ଟ କ୍ରିକେଟ୍ କ୍ୟାରିୟର
ନଭେମ୍ବର 2004 ରେ ଅଷ୍ଟ୍ରେଲିଆ ବିପକ୍ଷରେ ଗୌତମ ଗମ୍ଭୀର ତାଙ୍କର ଟେଷ୍ଟ କ୍ରିକେଟ୍ ଡେବ୍ୟୁ କରିଥିଲେ। ତାଙ୍କ କ୍ୟାରିଅର୍ ସମୟରେ ସେ 58 ଟି ଟେଷ୍ଟ ମ୍ୟାଚ୍ ଖେଳି 104 ଇନିଂସରେ 4154 ରନ୍ ସ୍କୋର କରିଥିଲେ । ତାଙ୍କର ବ୍ୟାଟିଂ ହାରାହାରି 41.95 ଏବଂ ଷ୍ଟ୍ରାଇକ୍ ହାର 51.49 ଥିଲା । ଏହି ଫର୍ମାଟରେ ସେ 22 ଅର୍ଦ୍ଧ ଶତକ ଏବଂ 9 ଶତକ ସ୍କୋର କରିବାରେ ସଫଳ ହୋଇଥିଲେ । ଏହି ସମୟ ମଧ୍ୟରେ ତାଙ୍କର ସର୍ବାଧିକ ସ୍କୋର 206 ରନ୍ ଥିଲା ।
ଦିନିକିଆରେ ଜବରଦସ୍ତ ପ୍ରଦର୍ଶନ
ଗୌତମ ଗମ୍ଭୀର ତାଙ୍କର ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ 11 ଅପ୍ରେଲ 2003 ରେ ବାଂଲାଦେଶ ବିପକ୍ଷରେ ଖେଳିଥିଲେ । ତାଙ୍କର ପୁରା ODI କ୍ୟାରିୟରରେ ସେ ମୋଟ 147 ମ୍ୟାଚ୍ ଖେଳି 143 ଇନିଂସରେ 5238 ରନ୍ ସଂଗ୍ରହ କରିଥିଲେ । ତାଙ୍କର ହାରାହାରି 39.68 ଏବଂ ଷ୍ଟ୍ରାଇକ୍ ହାର 85.25 ଥିଲା । ଏହି ଅବଧିରେ ସେ 11 ଶତକ ଏବଂ 34 ଅର୍ଦ୍ଧଶତକ ହାସଲ କରିଥିଲେ, ଯେଉଁଥିରେ ତାଙ୍କର ସର୍ବାଧିକ ସ୍କୋର 150 ଅପରାଜିତ ଥିଲା ।
T-20 ର ରେକର୍ଡ
ଗୌତମ ଗମ୍ଭୀର 13 ସେପ୍ଟେମ୍ବର 2007 ରେ ସ୍କଟଲ୍ୟାଣ୍ଡ ବିପକ୍ଷରେ ଟି -20 ଇଣ୍ଟରନ୍ୟାସନାଲରେ ଡେବ୍ୟୁ କରିଥିଲେ । ସେ 36 ଟି ଇନିଂସରେ 932 ରନ୍ ସ୍କୋର କରିଥିଲେ । ତାଙ୍କର ହାରାହାରି 27.41 ଏବଂ ଷ୍ଟ୍ରାଇକ୍ ହାର 119.02 ଥିଲା, ଯେଉଁଥିରେ ସାତ ଅର୍ଦ୍ଧଶତକ ଏବଂ ସର୍ବାଧିକ ସ୍କୋର 75 ରନ୍ ଥିଲା ।
15 ବର୍ଷର କ୍ରିକେଟ୍ କ୍ୟାରିୟର
ଗୌତମ ଗମ୍ଭୀରଙ୍କ କ୍ରିକେଟ୍ କ୍ୟାରିୟର 15 ବର୍ଷ ରହିଛି । 11 ଏପ୍ରିଲ 2003 ରେ ଢାକାରେ ବାଂଲାଦେଶ ବିପକ୍ଷ ଡେବ୍ୟୁରୁ ଆରମ୍ଭ ହୋଇଥିଲା । ତାଙ୍କର ଶେଷ ODI ମ୍ୟାଚ୍ 27 ଜାନୁୟାରୀ 2013 ରେ ଇଂଲଣ୍ଡ ବିପକ୍ଷରେ ହୋଇଥିଲା । ତାଙ୍କ କ୍ୟାରିଅରରେ ସେ ଅନେକ ସ୍ମରଣୀୟ ଇନିଂସ ଖେଳିଥିଲେ । ବିଶେଷକରି ଟି -20 ବିଶ୍ୱକପ 2007 ଏବଂ ODI ବିଶ୍ୱକପ 2011 ର ଫାଇନାଲରେ ସେ ଆଶ୍ଚର୍ଯ୍ୟଜନକ ପ୍ରଦର୍ଶନ କରିଥିଲେ ।
ବିଶ୍ୱକପ୍ରେ ଦେଇଥିଲେ ଚମତ୍କାର ପ୍ରଦର୍ଶନ
ଟି -20 ବିଶ୍ୱକପ 2007 ର ଫାଇନାଲରେ ଗୌତମ ଗମ୍ଭୀର ପାକିସ୍ତାନ ବିପକ୍ଷରେ 54 ବଲରେ 75 ରନର ଚମତ୍କାର ଇନିଂସ ଖେଳିଥିଲେ । 2011 ମସିହାରେ ହୋଇଥିବା ଏକଦିବସୀୟ ବିଶ୍ୱକପ ଫାଇନାଲ ବେଳେ ଗମ୍ଭୀର ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ଶ୍ରୀଲଙ୍କା ବିପକ୍ଷରେ 97 ରନର ଏକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ ।












Click it and Unblock the Notifications