Anshuman Gaikwad passed away: ଆଖି ବୁଜିଲେ କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡ
ଆଖି ବୁଜିଲେ କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡ । ୭୧ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ଦୀର୍ଘ ଦିନ ଧରି କର୍କଟ ରୋଗରେ ଆକ୍ରାନ୍ତ ଥିବା ପୂର୍ବତନ ଭାରତୀୟ କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କର ବୁଧବାର ପରଲୋକ ଘଟିଛି । ଲଣ୍ଡନର କିଙ୍ଗସ କଲେଜ ହସ୍ପିଟାଲରେ ଚିକିତ୍ସା ପରେ ଗତ ମାସରେ ସେ ଭାରତ ଫେରିଥିଲେ। ଏମିତିକି ତାଙ୍କ ଚିକିତ୍ସା ପାଇଁ ବିସିସିଆଇ ପକ୍ଷରୁ ମଧ୍ୟ ୧ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଥିଲା।
ଭାରତ ପାଇଁ ୪୦ ଟେଷ୍ଟ ଓ ୧୫ ଦିନିକିଆ ଖେଳିଥିବା ଗାଏକୱାଡ ଗତ ମାସରେ ଭାରତ ଫେରିବା ପୂର୍ବରୁ ଲଣ୍ଡନର କିଙ୍ଗସ କଲେଜ ହସ୍ପିଟାଲରେ ରକ୍ତ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ ।
୧୯୮୩ ଦିନିକିଆ ବିଶ୍ୱକପ୍ ବିଜୟୀ ଭାରତୀୟ ଦଳର ସଦସ୍ୟ ହେଉଛନ୍ତି ଗାଏକ୍ୱାଡ। ୧୯୭୫ ମସିହାଠାରୁ ୧୯୮୭ ମସିହା ପର୍ଯ୍ୟନ୍ତ ସେ ୪୦ ଟେଷ୍ଟ, ୧୫ ଦିନିକିଆ ମ୍ୟାଚ ଖେଳିଛନ୍ତି। ସେ ୧୯୭୫ ଓ ୧୯୭୯ ମସିହାରେ ଅନୁଷ୍ଠିତ ବିଶ୍ୱକପ୍ ଭାରତୀୟ ଦଳର ସଦସ୍ୟ ଭାବେ ମଧ୍ୟ ଖେଳିଥିଲେ।

୧୯୯୭ ମସିହାରେ ତାଙ୍କୁ ଭାରତୀୟ ଦଳର ପ୍ରଶିକ୍ଷକ ଭାବେ ନିଯୁକ୍ତ କରାଯାଇଥିଲା । ତାଙ୍କ ସମୟରେ ପୂର୍ବତନ କ୍ରିକେଟର ଅନୀଲ କୁମ୍ବଲେ ପାକିସ୍ତାନ ବିପକ୍ଷରେ ଗୋଟିଏ ପାଳିରେ ସମସ୍ତ ୱିକେଟ ଅକ୍ତିଆର କରି ଚର୍ଚ୍ଚାକୁ ଆସିଥିଲେ । ଗାଏକ୍ୱାଡଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବିସିସିଆଇ ସମ୍ପାଦକ ଜୟ ଶାହ ଓ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।
ଗାଏକୱାଡଙ୍କ କ୍ରିକେଟ କ୍ୟାରିୟରରେ ୨୨ ବର୍ଷର ୨୦୫ ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଅନ୍ତର୍ଭୁକ୍ତ ଥିଲା । ପରବର୍ତ୍ତୀ ସମୟରେ ସେ ଭାରତୀୟ ଜାତୀୟ ଦଳର ପ୍ରଶିକ୍ଷକ ଦାୟିତ୍ୱ ଗ୍ରହଣ କରି ଉଲ୍ଲେଖନୀୟ ସଫଳତା ହାସଲ କରିଥିଲେ। ତାଙ୍କ ପ୍ରଶିକ୍ଷଣରେ ଭାରତୀୟ ଦଳ ୨୦୦୦ ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ଉପ ବିଜେତା ହୋଇଥିଲା।
କୋଚ୍ ଭାବରେ ଗାଏକୱାଡଙ୍କ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ମଧ୍ୟରେ ୧୯୯୮ରେ ଶାରଜାରେ ବିଜୟ ଏବଂ ୧୯୯୯ରେ ଫିରୋଜଶାହ କୋଟଲାରେ ଟେଷ୍ଟ ମ୍ୟାଚ୍ ଥିଲା, ଯେଉଁଠାରେ ଅନିଲ କୁମ୍ବଲେ ପାକିସ୍ତାନ ବିପକ୍ଷ ଇନିଂସରେ ସମସ୍ତ ୧୦ ୱିକେଟ୍ ନେଇଥିଲେ।।












Click it and Unblock the Notifications