ବୀରମିତ୍ରପୁର ପୂର୍ବତନ ବିଧାୟକ ଜର୍ଜ ତିର୍କୀଙ୍କ ପରଲୋକ, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ
ବୀରମିତ୍ରପୁର ପୂର୍ବତନ ବିଧାୟକ ଜର୍ଜ ତିର୍କୀଙ୍କ ପରଲୋକ । ୬୭ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଗତ କିଛିମାସ ହେବ ସେ ଅସୁସ୍ଥ ଥିଲେ। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।
ଶୁକ୍ରବାର ଅପରାହ୍ଣରେ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ରାଉରକେଲା ଇସ୍ପାତ୍ ଜେନେରାଲ୍ ହସ୍ପିଟାଲ୍କୁ ନିଆ ଯାଇଥିଲା। ଅବସ୍ଥା ସଂକଟାପନ୍ନ ଥିବାରୁ ସେଠାରୁ ଅପରାହ୍ଣ ୪ଟାରେ ଭୁବନେଶ୍ଵର ଆପୋଲୋ ହସ୍ପିଟାଲ୍କୁ ପଠା ଯାଇଥିଲା । ତେବେ ଆପୋଲୋ ହସ୍ପିଟାଲ୍ରେ ବିଳମ୍ବିତ ରାତିରେ ତାଙ୍କର ପରଲୋକ ହୋଇଛି। ଶେଷ ଶଯ୍ୟା ନିକଟରେ ତାଙ୍କ ପୁଅ ତଥା ବୀରମିତ୍ରପୁର ବିଧାୟକ ରୋହିତ ଯୋସେଫ ତିର୍କି ଏବଂ ପରିବାରର ଅନ୍ୟ ସଦସ୍ୟଗଣ ଉପସ୍ଥିତ ଥିଲେ | ଶନିବାର ଅପରାହ୍ଣରେ ପୈତୃକ ଗ୍ରାମ ସୁନ୍ଦରଗଡ଼ଜିଲ୍ଲା ବୀରମିତ୍ରପୁର ଥାନା ଅନ୍ତର୍ଗତ ଝୁନମୁରଠାରେ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ପରିବାର ସୂତ୍ରରୁ ପ୍ରକାଶ ।
ଜର୍ଜ ତୀର୍କି ଓଡ଼ିଶା ରଜନୀତିରେ ସମତା କ୍ରାନ୍ତି ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ ଚାରିଥର କରିଛନ୍ତି । ୧୯୯୫, ୨୦୦୦, ୨୦୦୯ ଓ ୨୦୧୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବୀରମିତ୍ରପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୧ଶ, ୧୨ଶ, ୧୪ଶ ଓ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ପୂର୍ବରୁ ସେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାରେ ସକ୍ରିୟ ଥିଲେ ।

ଛାତ୍ରଜୀବନରୁ ଜଣେ ଲଢ଼ୁଆ ସଂଗଠକ ଓ ପରବର୍ତ୍ତୀ ପର୍ଯ୍ୟାୟରେ
ଜଣେ ଲଢ଼ୁଆ ଆଦିବାସୀ ନେତା ରୂପେ ତାଙ୍କର ରାଜ୍ୟ ତଥା ରାଜ୍ୟ ବାହାରେ ସୁଖ୍ୟାତି ରହିଥିଲା। ପ୍ରଥମେ ସେ ବ୍ୟାଙ୍କରେ ଚାକିରି କରିଥିଲେ। ତେବେ ପରବର୍ତ୍ତୀ ପର୍ଯ୍ୟାୟରେ ଚାକିରି ଛାଡ଼ି ରାଜନୀତିକୁ ଆସିଥିଲେ । ଶ୍ରୀ ତିର୍କି ଅବିଭକ୍ତ ସୁନ୍ଦରଗଡ଼ ଜିଲ୍ଲା ସମେତ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାକୁ ସଂଗଠିତ କରିବାରେ ପ୍ରମୁଖ ଭୂମିକା ନେଇଥିଲେ। ଏହି ଦଳରୁ ସେ ୧୯୯୫ ଓ ୨୦୦୦ ମସିହାରେ ଲଗାତାର ୨ଥର ବୀରମିତ୍ରପୁର ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ସେ ସେହି ସମାନ ଆସନରୁ ୨୦୦୯ରେ ସ୍ବାଧୀନ ଓ ୨୦୧୪ରେ ସମତା କ୍ରାନ୍ତି ଦଳରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେ ୨ଥର ସୁନ୍ଦରଗଡ଼ ଆସନରୁ ଲୋକସଭା ପ୍ରାର୍ଥୀ ରୂପେ ମଧ୍ୟ ପ୍ରତିଦ୍ବନ୍ଦିତା କରି ପରାଜିତ ହୋଇଥିଲେ । ରାଜନୈତିକ ଜୀବନର ଶେଷ ଭାଗରେ ସେ କଂଗ୍ରେସ୍ ଓ ପରେ ବିଜେଡିରେ ଯୋଗ ଦେଇଥିଲେ । ୨୦୨୪ରେ ସେ ପୁଅ ରୋହିତ ଯୋସେଫ ତିର୍କିଙ୍କୁ ବୀରମିତ୍ରପୁର ଆସନରୁ ବିଜେଡି ପ୍ରାର୍ଥୀ ଭାବେ ନିର୍ବାଚିତ କରାଇ ପ୍ରତ୍ୟକ୍ଷ ରାଜନୀତିରୁ ଏକପ୍ରକାର ଦୂରେଇ ରହିଥିଲେ l












Click it and Unblock the Notifications