ଇଣ୍ଟରକଣ୍ଟିନେଣ୍ଟାଲ କପ୍: ବିଜୟୀ ହେଲା ଭାରତ, କୋଟିଏ ଟଙ୍କା ପୁରଷ୍କାର ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ଇଣ୍ଟରକଣ୍ଟିନେଣ୍ଟାଲ କପ୍ ଚାମ୍ପିଅନ୍ ହେଲା ଭାରତ । ଲେବାନନ୍କୁ ୨-୦ ଗୋଲରେ ହରାଇ ଭାରତ ଏହି ମାଇଲ୍ ଖୁଣ୍ଟ ହାସଲ କରିଛି । ଏଥିସହ ଦ୍ୱିତୀୟ ଥର ପାଇଁ ଇଣ୍ଟରକଣ୍ଟିନେଣ୍ଟାଲ କପରେ ଚାମ୍ପିଅନ୍ ହୋଇଛି ଭାରତ । ପ୍ରଥମ ଥର ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଏହି ଚତୁଃରାଷ୍ଟ୍ରୀୟ ଅନ୍ତର୍ଜାତୀୟ ଫୁଟ୍ବଲ୍ ପ୍ରତିଯୋଗିତାର ଫାଇନାଲ୍ରେ ୧୦୧ ମାନ୍ୟତାପ୍ରାପ୍ତ ଭାରତ ୨-୦ ଗୋଲ୍ରେ ନିଜଠୁ ଉଚ୍ଚମାନ୍ୟତାପ୍ରାପ୍ତ ଲେବାନନ୍ (୯୯)କୁ ପରାସ୍ତ କରିଛି ।
ଲିଗ୍ ପର୍ଯ୍ୟାୟରେ ଏହି ଦଳ ସହ ଅମୀମାଂସିତ ରଖିଥିବା ଭାରତ ରବିବାର କୌଣସି ସୁଯୋଗ ଦେଇ ନଥିଲା । ଅଧିନାୟକ ସୁନିଲ ଛେତ୍ରୀ (୪୬ ମିନିଟ୍) ଓ ଲାଲଲିଆଞ୍ଜୁଆଲା ଚାଙ୍ଗ୍ଟେ (୬୬ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ ଦେଇ ଭାରତର ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିଲେ । ୩୮ ବର୍ଷୀୟ ଛେତ୍ରୀ ତାଙ୍କ ୮୬ତମ ଅନ୍ତର୍ଜାତୀୟ ଗୋଲ୍ ଦେଇଥିଲେ ।

କଡ଼ା ସଂଘର୍ଷପୂର୍ଣ୍ଣ ପ୍ରଥମାର୍ଦ୍ଧ ଗୋଲ୍ ଶୂନ୍ୟରେ ଶେଷ ହୋଇଥିଲା । ଏହି ଅର୍ଦ୍ଧରେ ଭାରତ ଆକ୍ରମଣାତ୍ମକ ଖେଳ ଖେଳି ଅନେକ ଥର ଲେବାନନ୍ର ଗୋଲ୍ପୋଷ୍ଟର ନିକଟତର ହୋଇଥିଲା । ହେଲେ ଅଳ୍ପ ଅଳ୍ପରେ ଗୋଲ୍ ଦେବାରୁ ବଞ୍ଚିତ ହୋଇଥିଲା । ଦ୍ବିତୀୟାର୍ଦ୍ଧ ଆରମ୍ଭରୁ ଭାରତ ଗୋଲ୍ ଦେଇ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା । ଡାହାଣପଟୁ ଲାଲଲିଆଞ୍ଜୁଆଲା ଚାଙ୍ଗଟେଙ୍କ ତଳୁଆ ପାସ୍କୁ ଅଧିନାୟକ ସୁନିଲ ଛେତ୍ରୀ ସିଧା ଲେବାନନର ଗୋଲ୍ପୋଷ୍ଟ୍କୁ ବଲ୍ ପଠାଇ ଦେଇଥିଲେ । ଏହା ପରେ ଚାଙ୍ଗ୍ଟେଙ୍କ ଗୋଲ୍ରେ ଭାରତ ସ୍ଥିତି ୨-୦ କରି ନେଇଥିଲା ।
ଦୁଇଟି ଯାକ ଗୋଲ୍ରେ ଅବଦାନ ରଖିଥିବା ଚାଙ୍ଗଟେ ଫାଇନାଲ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ । ସନ୍ଦେଶ ଝିଙ୍ଗାନ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ । ରବିବାର ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ବିଜେତା ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ଟ୍ରଫି ପ୍ରଦାନ ପରେ ମୁଖ୍ୟମନ୍ତ୍ରୀ ଭାରତୀୟ ଦଳ ପାଇଁ ଏକ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି ।












Click it and Unblock the Notifications