ଆଇପିଏଲ ୨୦୨୩: ପ୍ରଥମଥର ପାଇଁ ଇତିହାସରେ ରିଜର୍ଭ ଡେ' କୁ ଗଲା ଫାଇନାଲ
IPL 2023 Final, GT vs CSK: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆଜି (ରବିବାର) ଗୁଜରାଟ ଟାଇଟାନ୍ସ (ଜିଟି) ଏବଂ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ମଧ୍ୟରେ ଖେଳାଯିବାକୁ ଥିବା ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ୨୦୨୩ର ଫାଇନାଲ ମ୍ୟାଚ ଏବେ ରିଜର୍ଭ ଡେ'କୁ ଘୁଞ୍ଚିଛି ।
ଅହମ୍ମଦାବାଦ ଲଗାଣ ବର୍ଷା ଫଳରେ ମ୍ୟାଚ ପାଇଁ ଟସ୍ ସୁଦ୍ଧା ପଡିପାରି ନଥିଲା । ଫଳରେ ଆଇପିଏଲ ନିୟମ ଅନୁଯାଇ ଫାଇନାଲ ମ୍ୟାଚ ଏବେ ରିଜର୍ଭ ଡେ'କୁ ଘୁଞ୍ଚିଛି । ତେବେ ଆସନ୍ତାକାଲି ଅର୍ଥାତ (ସୋମବାର) ଗୁଜରାଟ ଟାଇଟାନ୍ସ (ଜିଟି) ଏବଂ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ମଧ୍ୟରେ ଆଇପିଏଲର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । କାଲି ସନ୍ଧ୍ୟା 7.30 ରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହିଁ ଫାଇନାଲ ମ୍ୟାଚ ଖେଳାଯିବ । ତେବେ ଟୁର୍ଣ୍ଣାମେଣ୍ଟର 15 ବର୍ଷ ଇତିହାସରେ ଏହା ପ୍ରଥମଥର ପାଇଁ ଏକ ଆଇପିଏଲ୍ ଫାଇନାଲ୍ ରିଜର୍ଭ ଡେକୁ ସ୍ଥାନାନ୍ତରିତ ହୋଇଛି ।

ସନ୍ଧ୍ୟା 6.30 ବେଳକୁ ଅହମ୍ମଦାବାଦରେ ବର୍ଷା ଆରମ୍ଭ ହେବାକୁ ଲାଗିଲା । ଫଳରେ ମ୍ୟାଚର ନିର୍ଦ୍ଧାରିତ ସମୟ 7.30ରେ ଟସ୍ ପଡିପାରି ନଥିଲା । ପରେ ରାତି ପ୍ରାୟ 9ଟା ବେଳକୁ ହଠାତ୍ ବର୍ଷା ଛାଡ଼ି ଯାଇଥିଲା । ତେଣୁ ଆଉଟଫିଲ୍ଡ କୁ ଶୁଖାଇବା ପାଇଁ ଦୁଇଟି ମେସିନ୍ ଏବଂ ଗ୍ରାଉଣ୍ଡଷ୍ଟାଫ୍ କାମରେ ଲାଗି ପଡିଲେ । ପଡିଆରୁ କଭରଗୁଡିକ ହଟାଗଲା । ଉଭୟ ଦଳର ଖେଳାଳିମାନେ ପଡିଆକୁ ଆସି ସେମାନଙ୍କର ପ୍ରି-ମ୍ୟାଚ୍ ରୁଟିନ୍ ଆରମ୍ଭ କରିବାକୁ ଲାଗିଲେ । ମାତ୍ର କିଛି ସମୟ ପରେ ପୁଣି ବର୍ଷା ଆରମ୍ଭ ହୋଇଗଲା ।
ତେବେ ବର୍ଷା ଲାଗି ରହିବା ଫଳରେ 9.30 ମ୍ୟାଚରେ ଓଭର କଟାଯିବାକୁ ପ୍ରଥମେ କୁହାଗଲା । ପରେ କୁହାଗଲା କି, ଦୁଇ ଦଳ ମଧ୍ୟରେ 5-5 ଓଭର ମ୍ୟାଚ୍ ଦେଖିବାକୁ ମିଳିବ । ମାତ୍ର ଶେଷରେ ଆୟୋଜକ ଏହି ନିଷ୍ପତ୍ତିରେ ଉର୍ତ୍ତିନ୍ନ ହେଲେ ଯେ, ଯଦି ରାତି 11 ସୁଦ୍ଧା ବର୍ଷା ନ ଛାଡେ, ତେବେ ଫାଇନାଲକୁ ରିଜର୍ଭ ଡେକୁ ସ୍ଥାନାନ୍ତରିତ କରାଯିବ । ତେବେ ରାତି 11ଟା ବେଳକୁ ବର୍ଷା ନ ଛାଡିବା ଫଳରେ ମ୍ୟାଚକୁ ରିଜର୍ଭ ଡ଼େ କୁ ସ୍ଥାନାନ୍ତରିତ କରାଯାଇଛି । ମ୍ୟାଚ୍ ଦେଖିବା ପାଇଁ ଦୂରରୁ ଷ୍ଟାଡିୟମକୁ ଆସିଥିଲେ ପ୍ରଶଂସକମାନେ । ବର୍ଷାରେ ମଧ୍ୟ ସେମାନେ ଷ୍ଟାଡିୟମରେ ଅପେକ୍ଷା କରି ରହିଥିଲେ ମ୍ୟାଚ୍ ଦେଖିବା ଲାଗି ।
ସୂଚନାଯୋଗ୍ୟ, ଗୁଜରାଟକୁ ପରାସ୍ତ କରି ଚେନ୍ନାଇ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଥିଲା । ସେହିପରି ଗତ ଶୁକ୍ରବାର ଖେଳା ଯାଇଥିବା ଆଇପିଏଲ କ୍ୱାଲିଫାୟର-2 ରେ ଗୁଜୁରାଟ 5ଥରର ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସକୁ 62 ରନରେ ପରାସ୍ତ କରି ଲଗାତର ଭାବେ ଦ୍ବିତୀୟ ଥର ପାଇଁ ଆଇପିଏଲ ଫାଇନାଲରେ ପ୍ରବେଶ କରିଥିଲା ।
ଚଳିତ ସିଜନରେ ଉଭୟ ଦଳ ତୃତୀୟ ଥର ପାଇଁ ପରସ୍ପରକୁ ଭେଟିବେ । ପ୍ରଥମ ମ୍ୟାଚରେ ଟାଇଟନ୍ସ ଆଧିପତ୍ୟ ଜାହିର କରି ବିଜୟୀ ହୋଇଥିଲା । ଏହାପରେ ଉଭୟ ଦଳ ପଏଣ୍ଟ ତାଲିକାର ପ୍ରଥମ 2ଟି ସ୍ଥାନରେ ରହି ଲିଗ୍ ପର୍ଯ୍ୟାୟ ଶେଷ କରିଥିଲେ । ଚେନ୍ନାଇର ଆଇପିଏଲ୍ ଇତିହାସ ପୁରୁଣା ହୋଇଥିବା ବେଳେ ଗୁଜରାଟ ନୂଆ ଇତିହାସ ସୃଷ୍ଟି ଲକ୍ଷ୍ୟରେ ରହିଛି । ଚେନ୍ନାଇ ପଞ୍ଚମଥର ପାଇଁ ଓ ଗୁଜରାଟ କ୍ରମାଗତ ଦ୍ୱିତୀୟ ଟାଇଟଲ ହାସଲ ଲକ୍ଷ୍ୟରେ ରହିଛି ।












Click it and Unblock the Notifications