ଶେଷରେ ଆଇପିଏଲ ଡେବ୍ୟୁ କଲେ ଅର୍ଜୁନ, ପ୍ରଥମ ମ୍ୟାଚରେ ନେଇ ପାରିଲେନି ଗୋଟିଏ ବି ୱିକେଟ୍
Arjun Tendulkar IPL Debut: ଶେଷରେ ଆଇପିଏଲ ଡେବ୍ୟୁ କଲେ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର । ଆଜି କୋଲକାତା ନାଇଟ ରାଇଡର୍ସ ବିପକ୍ଷ ମ୍ୟାଚରେ ଅର୍ଜୁନ ମୁମ୍ବାଇର ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଛନ୍ତି ।
ଆଇପିଏଲର 2ଟି ସିଜିନ ବେଞ୍ଚରେ ବସିବସି ଅଭିଯାନ ଶେଷ କରିବା ପରେ ଶେଷରେ ଆଇପିଏଲ 2023ରେ ତାଙ୍କୁ ଡେବ୍ୟୁ ପାଇଁ ସୁଯୋଗ ମିଳିଛି । ମୁମ୍ବାଇର ନିୟମିତ ଅଧିନାୟକ ରୋହିତ ଶର୍ମା ଆଜି ଖେଳୁ ନଥିବା ବେଳେ ସୂର୍ଯ୍ୟ କୁମାର ଯାଦବ ଅଧିନାକୟ ପଦ ସମ୍ଭାଳିଛନ୍ତି । ସୂର୍ଯ୍ୟ କୁମାରଙ୍କ କ୍ୟାପ୍ଟେନ୍ସିରେ ଅର୍ଜୁନଙ୍କୁ ଦଳରେ ଜଣେ ଅଲରାଉଣ୍ଡର ଭାବେ ସୁଯୋଗ ମିଳିଛି ।

ମୁମ୍ବାଇ ଆଜିର ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ କରିଥିଲା । ଫଳରେ ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା କେକେଆର ନିର୍ଦ୍ଧାରିତ 20 ଓଭରରେ 6 ୱିକେଟ୍ ହରାଇ 185 ରନ ସ୍କୋର କରି ପାରିଛି । ଏବେ ମୁମ୍ବାଇ ସାମ୍ନାରେ 186 ରନର ବିଜୟ ଲକ୍ଷ୍ୟ ରହିଛି । ତେବେ ଆଜି ମ୍ୟାଚ ପାଇଁ ରୋହିତ ଶର୍ମା ଅନୁପସ୍ଥିତ ଥିବା ହେତୁ ଇଶାନ୍ କିଷନଙ୍କ ସହ କ୍ୟାମରନ୍ ଗ୍ରୀନ୍ ଓପନ କରିବେ ।
ଦୁଇ ଓଭର ବୋଲିଂ କଲେ ଅର୍ଜୁନ: ଆଇପିଏଲ 2023ରେ ଶେଷରେ ଡେବ୍ୟୁ କରିଥିବା ଅର୍ଜୁନଙ୍କୁ ଆଜି ମ୍ୟାଚରେ ଦୁଇ ଓଭର ବୋଲିଂ କରିବାକୁ ମିଳିଥିଲା । ଯେଉଁଥିରେ ସେ 17 ରନ୍ ବ୍ୟୟ କରିଥିବା ବେଳେ କୌଣସି ବି ୱିକେଟ୍ ହାତେଇ ପାରି ନାହାନ୍ତି । ହ୍ରିତିକ୍ ଶୋକିନ୍ ମୁମ୍ବାଇ ପାଇଁ ସର୍ବାଧିକ 2ଟି ୱିକେଟ୍ ନେଇଥିବା ବେଳେ ଅନ୍ୟ ସମସ୍ତ 4 ବୋଲର ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।
ସୂଚନାଥାଉ କି, ମୁମ୍ବାଇ ଇଣ୍ଡିଆନ୍ସ ଅର୍ଜୁନଙ୍କୁ 2021ରେ ପ୍ରଥମ ଥର କିଣିଥିଲା । ହେଲେ ତାଙ୍କୁ ଗତ 2ଟି ଯାକ ସିଜିନରେ କୌଣସି ମ୍ୟାଚ ଖେଳିବାକୁ ସୁଯୋଗ ମିଳି ନଥିଲା । 2023ରେ ଇମ୍ପାକ୍ଟ ଖେଳାଳି ନିୟମ ଲାଗୁ ହେବାରୁ ଅର୍ଜୁନଙ୍କୁ ସମ୍ଭାବ୍ୟ 5 ଜଣିଆ ତାଲିକାରେ ରଖା ଯାଇଥିଲା । ହେଲେ ସେ କେବେ ବି ଇମ୍ପାକ୍ଟ ଖେଳାଳି ଭାବେ ମଧ୍ୟ ସୁଯୋଗ ପାଇ ନଥିଲେ । କିନ୍ତୁ ଆଜି ତାଙ୍କ ଅପେକ୍ଷାର ଅନ୍ତ ଘଟିଛି । ସେ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ପାଇଛନ୍ତି । ଅର୍ଜୁନ ବର୍ତ୍ତମାନ ସୁଦ୍ଧା 7 ଟି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିଛନ୍ତି । ତାଙ୍କ ବ୍ୟାଟରୁ 223 ରନ ବାହାରିଥିବା ବେଳେ ଗୋଟିଏ ଶତକ ମଧ୍ୟ ଏଥିରେ ସାମିଲ ରହିଛି । ସେହିଭଳି ସେ 12ଟି ୱିକେଟ ହାସଲ ମଧ୍ୟ କରିଛନ୍ତି ।












Click it and Unblock the Notifications