ଫିଫା ବିଶ୍ବକପ ଫାଇନାଲ: ଆର୍ଜେଣ୍ଟିନା ନା ଫ୍ରାନ୍ସ କାହାକୁ ମିଳିବନି ଅସଲି ଟ୍ରଫି, ଜାଣନ୍ତୁ କାରଣ....
ଫ୍ରାନ୍ସ ବନାମ ଆର୍ଜେଣ୍ଟିନା ମଧ୍ୟରେ ହେବ ହାଇ ଭୋଲ୍ଟେଜ୍ ମୁକାବିଲା । ତେବେ ବିଜୟୀ ଦଳକୁ ମିଳିବନି ଅସଲି ଟ୍ରଫି । କାରଣ ବିଜେତା ଦଳକୁ ଦିଆଯାଉଥିବା ଟ୍ରଫିର କାହାଣୀ ଆକର୍ଷଣୀୟ ।
Fifa World Cup Trophy Story: କତାରରେ ଚାଲିଥିବା ଫିଫା ବିଶ୍ୱକପରେ ଆଜି ଖେଳାଯିବ ଫାଇନାଲ ମୁକାବିଲା । ଆଜି ସନ୍ଧ୍ୟା ସାଢେ ୮ଟାରେ କତାରର ଲୁସାଇଲ ଆଇକନିକ୍ ଷ୍ଟାଡିୟମରେ ଅନୁଷ୍ଠିତ ହେବ ବିଶ୍ୱର ସବୁଠୁ ବ୍ୟୟବହୁଳ ଟୁର୍ଣ୍ଣାମେଣ୍ଟ ଫାଇନାଲ ଫାଇଟ୍ । ଫ୍ରାନ୍ସ ବନାମ ଆର୍ଜେଣ୍ଟିନା ମଧ୍ୟରେ ହେବ ହାଇ ଭୋଲ୍ଟେଜ୍ ମୁକାବିଲା । ତେବେ ବିଜୟୀ ଦଳକୁ ମିଳିବନି ଅସଲି ଟ୍ରଫି । କାରଣ ବିଜେତା ଦଳକୁ ଦିଆଯାଉଥିବା ଟ୍ରଫିର କାହାଣୀ ଆକର୍ଷଣୀୟ ।

ଫିଫା ବିଶ୍ୱକପର ଫାଇନାଲରେ ବିଜୟୀ ଦଳ ହାତରେ ଯେଉଁ ଟ୍ରଫି ଆପଣ ଦେଖନ୍ତି, ତାହା ପ୍ରକୃତ ନୁହେଁ ବରଂ ପ୍ରତିକୃତି । ପ୍ରକୃତ ଟ୍ରଫି ଖାଣ୍ଟି ସୁନାରେ ତିଆରି ହୋଇଥିବା ବେଳେ ବିଜୟୀ ଦଳକୁ ଦିଆଯାଇଥିବା ଟ୍ରଫି ବ୍ରୋଞ୍ଚରେ ତିଆରି । ଯାହା ଉପରେ ସୁନାର ଏକ ପରସ୍ତ ଦିଆଯାଇଥାଏ ।
ଫିଫା ବିଶ୍ୱକପର ମୂଳ ଟ୍ରଫି ମୁଖ୍ୟତଃ ଜୁରିଚରେ ଅବସ୍ଥିତ ଫିଫା ମୁଖ୍ୟାଳୟରେ ରହିଥାଏ। ଫିଫା ବିଶ୍ୱକପ ସମୟରେ ଏହାକୁ ବାହାରକୁ ଅଣାଯାଇଥାଏ। ୨୦୦୫ ମସିହାରେ, ଫିଫା ଏକ ନିୟମ କରିଥିଲା ଯେ ବିଜେତା ଦଳ ମୂଳ ଟ୍ରଫିକୁ ଘରକୁ ନେବ ନାହିଁ ।
ପ୍ରଥମ ଫିଫା ବିଶ୍ୱକପ୍ ୧୯୩୦ରେ ଉରୁଗୁଏରେ ଅନୁଷ୍ଠିତ ହୋଇଥିଲା । ସେ ସମୟରେ ଖେଳାଳିଙ୍କୁ ଯେଉଁ ଟ୍ରଫି ମିଳୁଥିଲା ତାହା ପ୍ରକୃତ ତଥା ଖାଣ୍ଟି ସୁନାର ଥିଲା । ୧୯୭୦ ପର୍ଯ୍ୟନ୍ତ ବିଜୟୀ ଟିମକୁ ଓରିଜିନାଲ ଟ୍ରଫି ମିଳୁଥିଲା । ହେଲେ ୧୯୭୪ ବର୍ଷଠାରୁ ଏହି ନିୟମ ବଦଳିଲା । ଫିଫା ଟ୍ରଫିର କଳେବର ପରିବର୍ତ୍ତନ କରାଗଲା । ନୂଆ ଟ୍ରଫିକୁ ଇଟାଲୀର ସ୍ଥପତି ସିଲଭିଓ ଗଜାନିୟା ପ୍ରସ୍ତୁତ କରିଥିଲେ ।
ଫିଫା ବିଶ୍ୱକପ ଟ୍ରଫିର ଓଜନ ପ୍ରାୟ ୬.୧୭୫ କିଲୋଗ୍ରାମ ଏବଂ ଏହାକୁ ତିଆରି କରିବା ପାଇଁ ୧୮ କ୍ୟାରେଟ ସୁନା (୭୫ପ୍ରତିଶତ) ବ୍ୟବହୃତ ହୋଇଛି। ଟ୍ରଫିର ଉଚ୍ଚତା ୩୬.୮ ସେମି ଏବଂ ଏହାର ପୃଷ୍ଠର ବ୍ୟାସ ୧୩ ସେମି। ଟ୍ରଫିର ବେସରେ ମେଲାକାଇଟ ପଥରର ଦୁଇ ସ୍ତରରେ ଆଚ୍ଛାଦିତ। ୧୯୯୪ ମସିହାରେ, ଟ୍ରଫିର ନିମ୍ନ ଭାଗରେ ବିଜେତା ଦଳର ନାମ ଲେଖିବା ପାଇଁ ସାମାନ୍ୟ ପରିବର୍ତ୍ତନ କରାଯାଇଥିଲା। ସେଠାରେ ଏକ ପ୍ଲେଟ ସ୍ଥାପନ କରାଯାଇଥିଲା।
ସୂଚନାଥାଉ କି, ଫାଇନାଲ ମ୍ୟାଚରେ ବିଜୟୀ ଟିମକୁ କାଂସ୍ୟ ଟ୍ରଫି ସହ ୩୪୭ କୋଟି ଟଙ୍କା ମିଳୁଥିବା ବେଳେ ରନର୍ସଅପ୍ ଟିମକୁ ୨୪୮ କୋଟି ମିଳେ । ଦ୍ୱିତୀୟ ରନର୍ସଅପ ଟିମକୁ ୨୨୩ କୋଟି ଓ ମୋରୋକ୍କୋ ଟିମକୁ ୨୦୬ କୋଟି ଟଙ୍କା ପୁରସ୍କାର ରାଶି ଦିଆଯାଇଛି ।












Click it and Unblock the Notifications