ଫିଫା ବିଶ୍ୱକପ: ପର୍ତ୍ତୁଗାଲର ପରାଜୟ ପରେ ରୋନାଲ୍ଡୋଙ୍କ ପ୍ରତିକ୍ରିୟା; କହିବାକୁ କିଛି ବାକି ନାହିଁ, ଧନ୍ୟବାଦ
ଫିଫା ବିଶ୍ୱକପ: ପର୍ତ୍ତୁଗାଲର ପରାଜୟ ପରେ ରୋନାଲ୍ଡୋଙ୍କ ପ୍ରତିକ୍ରିୟା; କହିବାକୁ କିଛି ବାକି ନାହିଁ, ଧନ୍ୟବାଦ
FIFA World Cup, Ronaldo's First Reaction: ଫିଫା ବିଶ୍ୱକପ ଜିତିବାର ପର୍ତ୍ତୁଗାଲର ସ୍ୱପ୍ନ ଶନିବାର ଶେଷ ହୋଇଛି । ଯେତେବେଳେ କ୍ୱାର୍ଟର ଫାଇନାଲରେ ଦଳ ମୋରୋକୋଠୁ 0-1 ଗୋଲରେ ପରାସ୍ତ ହୋଇଛି । 42 ତମ ମିନିଟରେ ମୋରୋକୋର ୟୋସେଫ ଆନ୍-ନେସ୍ରି ଏକ ହେଡର୍ ସହ ମ୍ୟାଚର ଏକମାତ୍ର ଗୋଲ୍ ସ୍କୋର କରିଥିଲେ । ଯାହା ଶେଷରେ ଉଭୟ ପକ୍ଷର ପାର୍ଥକ୍ୟ ବୋଲି ପ୍ରମାଣିତ ହୋଇଥିଲା ।

ପର୍ତ୍ତୁଗାଲର ଅଧିନାୟକ କ୍ରିଷ୍ଟିଆନୋ ରୋନାଲ୍ଡୋ କ୍ରମାଗତ ଦ୍ୱିତୀୟ ମ୍ୟାଚ୍ ପାଇଁ ବେଞ୍ଚ ବସିଥିଲେ । ତେବେ ସେ ପରେ ବଦଳ ଖେଳାଳି ରୂପରେ ଆସିଥିଲେ ସତ, ମାତ୍ରା କୌଣସି ଗୋଲ ସ୍କୋର କରିବାରେ କିମ୍ବା ଦଳକୁ ବିଜୟ ଦେବାରେ ବିଫଳ ହୋଇଥିଲେ। ତାଙ୍କ ଦଳ ବିଶ୍ୱକପରୁ ବାହାରିବା ପରେ ରୋନାଲ୍ଡୋ ଏକାକୀ ପଡ଼ିଆରୁ ଚାଲିଆସି କାନ୍ଦୁଥିବା ଦେଖିବାକୁ ମିଳିଥିଲା। ବର୍ତ୍ତମାନ ଗୋଟିଏ ଦିନ ପରେ ରୋନାଲ୍ଡୋ ବିଶ୍ୱକପରୁ ବାହାରିବା ଏବଂ ଅଭିଜ୍ଞତା ବିଷୟରେ ନିଜର ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି । ସେ ଇନଷ୍ଟାଗ୍ରାମରେ ପୋଷ୍ଟ କରି ଏକ ଲମ୍ବା ନୋଟ୍ ଲେଖିଛନ୍ତି । 37 ବର୍ଷୀୟ ତାରକା ଫୁଟବଲର୍ ତାଙ୍କ ପୂର୍ବତନ କ୍ଲବ ମଞ୍ଚେଷ୍ଟର ୟୁନାଇଟେଡ ସହ ପର୍ତ୍ତୁଗାଲ ଜାତୀୟ ଦଳରେ ଖେଳିବା ନେଇ ମଧ୍ୟ ବିବାଦରେ ଛନ୍ଦି ହୋଇଥିଲେ । ତେବେ ସେ ଏହି ପୋଷ୍ଟରେ ଲେଖିଛନ୍ତି ଯେ, ପର୍ତ୍ତୁଗାଲ ପ୍ରତି ତାଙ୍କର ଉତ୍ସର୍ଗ କିଛି କ୍ଷଣ ପାଇଁ ମଧ୍ୟ ପରିବର୍ତ୍ତନ ହୋଇନାହିଁ ।
ରୋନାଲଡୋ ଲେଖିଛନ୍ତି- ପର୍ତ୍ତୁଗାଲ ପାଇଁ ବିଶ୍ୱକପ ଜିତିବା ମୋ କ୍ୟାରିୟରର ସବୁଠାରୁ ବଡ ଏବଂ ଉଚ୍ଚାଭିଳାଷୀ ସ୍ୱପ୍ନ ଥିଲା । ସୌଭାଗ୍ୟବଶତ, ମୁଁ ପର୍ତ୍ତୁଗାଲ ପାଇଁ ଅନେକ ଆନ୍ତର୍ଜାତୀୟ ଟାଇଟଲ୍ ଜିତିଛି । କିନ୍ତୁ ମୋର ସବୁଠାରୁ ବଡ ସ୍ୱପ୍ନ ଥିଲା ମୋ ଦେଶକୁ ବିଶ୍ୱର ଶୀର୍ଷକୁ ଆଣିବା । ମୁଁ ଏହା ପାଇଁ ଲଢେଇ କରିଥିଲି । ଏହି ସ୍ୱପ୍ନ ପାଇଁ କଠିନ ପରିଶ୍ରମ କରିଥିଲି । 16 ବର୍ଷରେ ବିଶ୍ୱକପର ପାଞ୍ଚ ସଂସ୍କରଣରେ, ମୁଁ ସର୍ବଦା ମହାନ ଖେଳାଳିଙ୍କ ସହିତ ଏବଂ ସେମାନଙ୍କ ସମର୍ଥନ ଏବଂ ଲକ୍ଷ ଲକ୍ଷ ପର୍ତ୍ତୁଗୀଜଙ୍କ ସମର୍ଥନ ସହିତ ଖେଳିଲି । ଦଳ ପାଇଁ ମୁଁ ମୋର ସମସ୍ତ ସମୟ ଦେଇଥିଲି । ମୁଁ ସବୁବେଳେ ଯୁଦ୍ଧ କରିଥିଲି ଏବଂ କେବେ ପଛକୁ ଫେରି ନଥିଲି । ମୁଁ ଦୁଃଖିତ, ଗତକାଲି ମୋ ସ୍ୱପ୍ନ ଭାଙ୍ଗିଗଲା ।
ରୋନାଲ୍ଡୋ ଆହୁରି ଲେଖିଛନ୍ତି ଯେ, ସେହି ବିବାଦର ପ୍ରତିକ୍ରିୟା କରିବା ଆଦୌ ଉଚିତ ନୁହେଁ । ମୁଁ କେବଳ ଚାହେଁ ଆପଣ ମାନେ ସମସ୍ତେ ଜାଣନ୍ତିୁ ଯେ, ବହୁତ୍ କିଛି କୁହାଯାଇ ସାରିଛି । ବହୁତ କିଛି ଲେଖା ଯାଇସାରିଛି । ଅନେକ କଳ୍ପନା କରାଯାଇଛି । କିନ୍ତୁ ପର୍ତ୍ତୁଗାଲ ପ୍ରତି ମୋର ଭକ୍ତି ଟିକେ ମଧ୍ୟ ପରିବର୍ତ୍ତନ ହୋଇ ନାହିଁ । ମୁଁ ସବୁବେଳେ ସମସ୍ତଙ୍କ କାରଣ ପାଇଁ ଲଢୁଥିଲି ଏବଂ ମୁଁ ମୋର ସହଯୋଗୀ ତଥା ମୋ ଦେଶକୁ କେବେ ବି ପଛଘୁଞ୍ଚା ଦେବି ନାହିଁ । ରୋନାଲ୍ଡୋ ପର୍ତ୍ତୁଗାଲକୁ ଆହୁରି ଧନ୍ୟବାଦ ଜଣାଇ କହିଛନ୍ତି ଯେ ସ୍ୱପ୍ନ ଭାଙ୍ଗିବା ପର୍ଯ୍ୟନ୍ତ ସବୁକିଛି ଭଲ ଥିଲା ।












Click it and Unblock the Notifications