‘ରାଜୀବ ଗାନ୍ଧୀ ଖେଳରତ୍ନ’ ପୁରସ୍କାର ପାଇଁ ଦୂତୀଙ୍କ ନାଁ ସୁପାରିସ୍ କଲେ ରାଜ୍ୟ ସରକାର
ଦେଶର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ‘ରାଜୀବ ଗାନ୍ଧୀ ଖେଳରତ୍ନ’ ପୁରସ୍କାର ପାଇଁ ଓଡିଶାର ଦୌଡରାଣୀ ଦୂତୀ ଚାନ୍ଦଙ୍କ ନାମ ସୁପାରିସ କରିଛନ୍ତି ରାଜ୍ୟ ସରକାର ।
ଭୁବନେଶ୍ୱର: ଦେଶର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର 'ରାଜୀବ ଗାନ୍ଧୀ ଖେଳରତ୍ନ' ପୁରସ୍କାର ପାଇଁ ଓଡିଶାର ଦୌଡରାଣୀ ଦୂତୀ ଚାନ୍ଦଙ୍କ ନାମ ସୁପାରିସ କରିଛନ୍ତି ରାଜ୍ୟ ସରକାର । ଏହାସହ ପୁରୁଷ ହକି ଦଳର ଷ୍ଟାର୍ ଡିଫେଣ୍ଡର୍ ବୀରେନ୍ଦ୍ର ଲାକ୍ରାଙ୍କ ନାଁ ଅର୍ଜୁନ ପୁରସ୍କାର ପାଇଁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଣାଳୟକୁ ସୁପାରିସ୍ କରାଯାଇଛି । ଏହାଛଡ଼ା ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ କୋଚ୍ କାଳୁ ଚୌଧୁରୀ ଏବଂ ଧ୍ୟାନଚାନ୍ଦ ପୁରସ୍କାର ପାଇଁ ପୂର୍ବତନ ଆଥଲେଟ୍ ଅନୁରାଧା ବିଶ୍ୱାଳଙ୍କ ନାଁ ସୁପାରିସ୍ କରାଯାଇଛି ।

ଗତବର୍ଷ ରାଜ୍ୟ ସରକାର ଦୂତୀ ଓ ବୀରେନ୍ଦ୍ରଙ୍କ ନାଁ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ୍ କରିଥିଲେ । ଦୂତୀଙ୍କୁ ଗତବର୍ଷ ଅର୍ଜୁନ ପୁରସ୍କାର ମିଳିଥିଲା । ଦୂତୀ ୨୦୧୮ରେ ଏସିଆନ୍ ଗେମ୍ସରେ ଡବଲ୍ ରୌପ୍ୟ (୧୦୦ ଓ ୨୦୦ ମିଟର) ପଦକ ଜିତିଛନ୍ତି । ସେ ଏସିଆନ୍ସ ଚାମ୍ପିୟନଶିପରେ ୪ଟି ବ୍ରୋଞ୍ଜ, ୨୦୧୬ ସାଉଥ୍ ଏସିଆନ୍ ଗେମ୍ସରେ ଦୁଇଟି ପଦକ (୧୦୦ ମିଟରରେ ରୌପ୍ୟ ଓ ୨୦୦ ମିଟରରେ ବ୍ରୋଞ୍ଜ) ଜିତିଥିଲେ। ଦୂତୀ ୨୦୧୬ ରିଓ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିଥିଲେ ହେଁ, ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲେ। ନିକଟରେ ପଟିଆଲାରେ ଅନୁଷ୍ଠିତ ଇଣ୍ଡିଆନ୍ ଗ୍ରାଁ ପ୍ରି'ରେ ଦୂତୀ ୧୦୦ ମିଟରକୁ ୧୧.୧୭ ସେକେଣ୍ଡରେ ଅତିକ୍ରମ କରି ନିଜ ଜାତୀୟ ରେକର୍ଡକୁ ଭାଙ୍ଗିଥିଲେ।

ସେହିପରି ବୀରେନ୍ଦ୍ର ଦ୍ୱିତୀୟ ଥର ପାଇଁ ଅଲିମ୍ପିକ୍ସ ଟିକଟ୍ ପାଇଛନ୍ତି । ଭାରତୀୟ ହକି ଟିମ୍ର ଉପ ଅଧିନାୟକ ନିଯୁକ୍ତ ହୋଇଛନ୍ତି ବୀରେନ୍ଦ୍ର ଲାକ୍ରା । ଭାରତୀୟ ପୁରୁଷ ହକି ଦଳର ଷ୍ଟାର୍ ଡିଫେଣ୍ଡର୍ ବୀରେନ୍ଦ୍ର ଲାକ୍ରା ଏପର୍ୟ୍ୟନ୍ତ ୧୫୦ରୁ ଅଧିକ ମ୍ୟାଚ୍ ଭାରତ ପକ୍ଷରୁ ଖେଳିସାରିଛନ୍ତି। ବୀରେନ୍ଦ୍ରଙ୍କ ପ୍ରତିନିଧିତ୍ୱରେ ଭାରତ ଏସିଆନ୍ ଗେମ୍ସରେ ଥରେ ସ୍ୱର୍ଣ୍ଣ (୨୦୧୪) ଓ ଥରେ ବ୍ରୋଞ୍ଜ (୨୦୧୮) ପଦକ ଜିତିଛି।
ବୀରେନ୍ଦ୍ର ମଧ୍ୟ ୨୦୧୩ରେ ଏସିଆ କପ୍ ରୌପ୍ୟ ବିଜେତା ଭାରତୀୟ ଦଳର ସଦସ୍ୟ ଥିଲେ। ସେହିପରି ଏସିଆନ୍ସ ଚାମ୍ପିୟନ୍ସ ଟ୍ରଫି (୨୦୧୬ରେ ସ୍ୱର୍ଣ୍ଣ ଓ ୨୦୧୨ରେ ରୌପ୍ୟ), ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ବିଜେତା ଭାରତୀୟ ଦଳର ପ୍ରତିନିଧିତ୍ୱ କରିଥିଲେ। ଏହାବାଦ୍ ବୀରେନ୍ଦ୍ର ହକି ୱାର୍ଲ୍ଡ କପ୍ ଓ ହକି ୱାର୍ଲ୍ଡ ଲିଗରେ ମଧ୍ୟ ଭାରତୀୟ ଦଳର ସଦସ୍ୟ ରହିସାରିଛନ୍ତି। ବୀରେନ୍ଦ୍ର ମଧ୍ୟ ୨୦୧୨ ଲଣ୍ଡନ୍ ଅଲିମ୍ପିକ୍ସରେ ଭାରତ ପକ୍ଷରୁ ଖେଳିଥିଲେ।












Click it and Unblock the Notifications