ଓଡିଆରେ ଆଇପିଏଲ ୨୦୨୩: ଆରମ୍ଭରୁ ଅକ୍ଷମଣୀୟ ଭୁଲ !

IPL 2023 in Odia: ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଓ ଚେନ୍ନାଇ-ଗୁଜୁରାଟ୍ ମଧ୍ୟରେ ହାଇଭୋଲ୍ଟେଜ୍ ମୁକାବିଲା ସହ ଆରମ୍ଭ ହୋଇ ସାରିଛି ଇଣ୍ଡିଆନ ପ୍ରିମିୟର ଲିଗର ଚଳିତ ସଂସ୍କରଣ (ଆଇପିଏଲ 2023) ।
ତେବେ ଚଳିତଥର ଆଇପିଏଲର ଡିଜିଟାଲ ଲାଇଭ୍ ଷ୍ଟ୍ରିମିଂ ଜିଓ ସିନେମାରେ ମୋଟ୍ 12ଟି ଭାଷାରେ ପ୍ରସାରିତ ହେଉଛି । ଯେଉଁଥିରେ ପ୍ରଥମ କରି ଓଡିଆ ଭାଷାକୁ ସାମିଲ କରାଯାଇଛି । ପ୍ୟାନେଲରେ ଓଡ଼ିଆ ଅତିଥିଙ୍କ ସହ ମ୍ୟାଚର ପୂର୍ବାଲୋଚନା, ମ୍ୟାଚ୍ କମେଣ୍ଟ୍ରୀ ଓ ମ୍ୟାଚ ପାଇଁ ଗ୍ରାଫିକ୍ସ ମଧ୍ୟ ଓଡ଼ିଆ ଭାଷାରେ ପ୍ରସାରିତ ହେଉଛି । ତେବେ ଓଡିଶା ଦିବସ ପୂର୍ବରୁ ନିଜ ଭାଷାରେ ବିଶ୍ୱର ଏହି ବିତ୍ତଶାଳୀ ଲିଗର ମଜା ନେବାକୁ ଚାହିଁ ବସିଥିଲେ ଲକ୍ଷ ଲକ୍ଷ ଓଡିଆ କ୍ରିକେଟ୍ ପ୍ରେମୀ । ମାତ୍ର ପ୍ରସାରଣ ପରେ ଯାହା ଦେଖିବାକୁ ଓ ଶୁଣିବାକୁ ମିଳିଲା, ତାକୁ ଦେଖି ଆଖି କାନ ବୁଜି ଦେଲେ ଓଡିଆ ଦର୍ଶକ ।
କାରଣ ଦେଶ ତଥା ବିଦେଶୀ ଖେଳାଳିଙ୍କ ନାମ ଅତି କଦର୍ଯ୍ୟ ଭାବରେ ସ୍କ୍ରିନରେ ଲେଖା ହେଉଥିଲା । ସେହିପରି ଅନେକ ଓଡିଆ ଶବ୍ଦ ମଧ୍ୟ ଭୁଲ ଭାବେ ପ୍ରଦର୍ଶନ କରାଯାଉଥିଲା । ଉଦାହରଣ ସ୍ୱରୂପ କହିବାକୁ ଗଲେ, ଗୁଜୁରାଟ ଟାଇଟନ୍ସର ଦୃତ ବୋଲର ଜୋଶୁଆ ଲିଟିଲ୍ ଙ୍କ ନାମକୁ ଗୁଗୁଲ ଟ୍ରାନ୍ସଲେଟ୍ ମାଧ୍ୟମରେ ଓଡିଆରେ ଲେଖିବାକୁ ଚେଷ୍ଟା କରିଥିଲେ ପ୍ରସାରକ । ଯାହା ସ୍କ୍ରିନରେ 'ଜୋଶୁଆ ଛୋଟ' ବୋଲି ପ୍ରଦର୍ଶିତ ହୋଇଥିଲା ।
ସେହିପରି ଚେନ୍ନାଇର ଅଲରାଉଣ୍ଡର ମିଚେଲ୍ ସାଣ୍ଟେନରଙ୍କ ନାମକୁ 'ଷ୍ଟାଣ୍ଟେନର' ବୋଲି ଲେଖା ଯାଇଥିଲା । ଏପରି ଅନେକ ବିକୃତ ଓଡିଆ ଶବ୍ଦ ଦେଖି ବିରକ୍ତି ପ୍ରକାଶ କରିଥିଲେ ଓଡିଆ ଦର୍ଶକ । ଯାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିବା ସହ ପ୍ରସାରକ ଟିମକୁ କଡା ଭାବେ ସମାଲୋଚନା କରାଯାଇଛି । ତେବେ ଓଡିଆ ଭାଷା ପାଇଁ ନିୟୋଜିତ ହୋଇଥିବା ପ୍ରସାରକ ଟିମ ବାଦଦରେ ଆମ ପାଖରେ କୌଣସି ସୂଚନା ନାହିଁ । କିନ୍ତୁ ଭାଷ୍ୟାକର ଟିମରେ ସାମିଲ ରହିଛନ୍ତି ଓଡିଶାର ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟର ଦେବାଶିଷ ମହାନ୍ତି, ଶିବସୁନ୍ଦର ଦାସ, ବିପଳ୍ପ ସାମନ୍ତରାୟ ଓ ଅନ୍ୟ କେତେଜଣ କ୍ରୀଡାବିତ୍ତ୍ ।
ତେବେ ଏହି ଭଳି ଅକ୍ଷମଣୀୟ ତୃଟିକୁ ନେଇ ଓଡିଶାର ଜଣେ ବରିଷ୍ଠ କ୍ରୀଡା ସାମ୍ବାଦିକ କହିଛନ୍ତି ଯେ, ଏହାଦ୍ୱାରା ଓଡ଼ିଆ ଭାଷା ପ୍ରତି ଆମର 'ପ୍ରୀତି' ଦେଖାଉ ନାହେଁ, ବରଂ ଆମର ଅଜ୍ଞତାକୁ ପ୍ରକାଶ କରୁଛେ । କ୍ରିକେଟ ପାଇଁ ସାରା ଦେଶ ପାଗଳ, ଓଡ଼ିଶାରେ ମଧ୍ୟ ଅନେକ କ୍ରିକେଟ ପ୍ରେମୀ ଅଛନ୍ତି । କିନ୍ତୁ ହାସ୍ୟାସ୍ପଦ କଥା ହେଉଛି ଯେ, କ୍ରିକେଟରଙ୍କ ନାମକୁ ଆମେ ଠିକ ଭାବେ ଲେଖି ପାରୁନୁ ବା କହିପାରୁନୁ ।
ସେ ଆହୁରି କହିଛନ୍ତି ଯେ, ଯେଉଁମାନେ ସେଠାରେ ଅଛନ୍ତି ସେମାନେ କ୍ରିକେଟ କମେଣ୍ଟ୍ରୀ କରିବା ସମୟ ତ ସ୍କ୍ରିନକୁ ଦେଖୁଥିବେ । ଏହା ସତ୍ତ୍ୱେ ଏଭଳି ହାସ୍ୟାସ୍ପଦ ଭୁଲ କିଭଳି କରୁଛନ୍ତି । ଯଦି ଶବ୍ଦର ଅର୍ଥ ଅନୁସାରେ ନାମ ବଦଳି ଯାଉଥାଏ ତାହା ତ ବଡ ଅଡୁଆ କଥା ।












Click it and Unblock the Notifications