Vaibhav Suryavanshi: ବୈଭବ ସୂର୍ଯ୍ୟବଂଶୀ ମାଟ୍ରିକ ଫେଲ୍ !
ସାରା ଦେଶରେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷାର ଫଳାଫଳ ଘୋଷଣା କରାଯାଉଛି । CBSE ଏବଂ ରାଜ୍ୟ ବୋର୍ଡ ପରୀକ୍ଷାରେ ଫଳାଫଳ ସାମ୍ନାକୁ ଆସୁଥିବା ବେଳେ ସୋସିଆଲ ମିଡିଆରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଭିନ୍ନ ଖବର ସାମ୍ନାକୁ ଆସିଛି ।
ରିପୋର୍ଟ ଅନୁସାରେ, ବୈଭବ ସୂର୍ଯ୍ୟବଂଶୀ CBSE ବୋର୍ଡରୁ ଦଶମ ଶ୍ରେଣୀ ପରୀକ୍ଷା ଦେଇ ଫେଲ୍ ହୋଇଛନ୍ତି । ଏଣୁ ସେ ଖେଳରେ ହିରୋ ଏବଂ ପାଠପଢ଼ାରେ ଜିରୋ ବୋଲି କୁହାଯାଉଛି । ତେବେ ଏହି ଖବର କେତେ ସତ କେତେ ମିଛ ତାହା ଜାଣିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ।
ସାମାଜିକ ଗଣମାଧ୍ୟମରେ ବୈଭବ ସୂର୍ଯ୍ୟବଂଶୀ ଫେଲ୍ ହୋଇଥିବା ଖବର ଯାଞ୍ଚ କରିବା ପରେ ଜଣାପଡ଼ିଛି ଯେ ଏହା ସତ୍ୟ ନୁହେଁ। କାରଣ ଏହା ଏକ ବ୍ୟଙ୍ଗ। ଏଥିରେ କୁହାଯାଇଛି ଯେ ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ତାଙ୍କ ଦଶମ ଶ୍ରେଣୀ CBSE ବୋର୍ଡ ପରୀକ୍ଷାରେ ବିଫଳ ହେବା ପରେ, BCCI ତାଙ୍କ ଉତ୍ତର ପତ୍ରର DRS ଶୈଳୀ ସମୀକ୍ଷା ପାଇଁ ଅନୁରୋଧ କରିଛି। ଅର୍ଥାତ ସୂର୍ଯ୍ୟବଂଶୀ ବୋର୍ଡ ପରୀକ୍ଷାରେ ଫେଲ ହୋଇ ନାହାନ୍ତି। ଏମିତିରେ କ'ଣ ସେ ପରୀକ୍ଷାରେ ପାସ କରିଛନ୍ତି ବୋଲି ପ୍ରଶ୍ନ ଉଠିଛି।

ତେବେ ପ୍ରଥମ କଥା ହେଉଛି ବୈଭବ ସୂର୍ଯ୍ୟବଂଶୀ ଏପର୍ଯ୍ୟନ୍ତ ଦଶମ ଶ୍ରେଣୀ ପଢ଼ି ନାହାନ୍ତି। ସେ ଏବେ ନବମ ଶ୍ରେଣୀରେ ପଢ଼ୁଛନ୍ତି। ଅର୍ଥାତ ତାଙ୍କର ବୋର୍ଡ ପରୀକ୍ଷା ପାଇଁ ଏବେ ବି ସମୟ ଅଛି। ୧୪ ବର୍ଷୀୟ ସୂର୍ଯ୍ୟବଂଶୀ ଆଇପିଏଲ୍ ୨୦୨୫ ସମୟରେ ୩୫ ବଲ୍ରେ ଶତକ ହାସଲ କରି ଚର୍ଚ୍ଚାକୁ ଆସିଥିଲେ। ସେ ସେହି ଇନିଂସରେ ୧୧ଟି ଛକା ମାରିଥିଲେ। ବୈଭବ ସୂର୍ଯ୍ୟବଂଶୀ ବୋର୍ଡ ପରୀକ୍ଷାରେ ବିଫଳ ହୋଇଥିବା ବ୍ୟକ୍ତିଙ୍କ ନାମ ନୁହେଁ, ବରଂ ଟି-୨୦ କ୍ରିକେଟ ଜଗତରେ ଶତକ ମାରିଥିବା ସବୁଠାରୁ କମ ବୟସ୍କ ବ୍ୟାଟ୍ସମ୍ୟାନଙ୍କ ନାମ।
ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୪ ବର୍ଷ ବୟସରେ ଏହି ବାଳକ ଆଇପିଏଲ ୨୦୨୫ରେ ଏପରି କାରନାମା କରିଛନ୍ତି ଯାହା ଉପରେ ବିଶ୍ୱାସ କରିବା କଷ୍ଟକର । ଗୁଜରାଟ ଟାଇଟନ୍ସ ବିପକ୍ଷରେ ବୈଭବ ମାତ୍ର ୩୫ ବଲରେ ଶତକ ହାସଲ କରି ଇତିହାସ ରଚିଛନ୍ତି । ତାଙ୍କର ଏହି ଧୂଆଁଧାର ଇନିଂସରେ ୧୧ଟି ଛକା ସାମିଲ ଥିଲା ଏବଂ ଷ୍ଟ୍ରାଇକ ରେଟ ୨୬୫ରୁ ଅଧିକ ରହିଥିଲା। ବୈଭବ ଏପର ଏକ ଇନିଂସ ଜରିଆରେ ଅନେକ ବଡ଼ ରେକର୍ଡ ଭାଙ୍ଗିଛନ୍ତି।
ବୈଭବ ସୂର୍ଯ୍ୟବଂଶୀ ଆଇପିଏଲ ତ କ'ଣ, ସମଗ୍ର କ୍ରିକେଟ ଇତିହାସରେ ସବୁଠାରୁ କମ ବୟସରେ ଶତକ ହାସଲ କରିଥିବା କ୍ରିକେଟର ହୋଇଛନ୍ତି। ପେସାଦାର କ୍ରିକେଟରେ ଏ ପର୍ଯ୍ୟନ୍ତ କୌଣସି ଖେଳାଳି ୧୪ ବର୍ଷ ବୟସରେ ଶତକ ହାସଲ କରିନାହାନ୍ତି।
ବୈଭବ ସୂର୍ଯ୍ୟବଂଶୀ ଆଇପିଏଲରେ ସବୁଠାରୁ କମ ବୟସରେ ଶତକ ହାସଲ କରିଥିବା ଖେଳାଳି ହୋଇଛନ୍ତି। ଏହା ସହିତ ସେ ଏପରି ଟୁର୍ଣ୍ଣାମେଣ୍ଚ ଇତିହାସରେ ସବୁଠାରୁ ଦ୍ରୁତ ଶତକ ମାରିଥିବା ଭାରତୀୟ ଖେଳାଳି ମଧ୍ୟ ହୋଇଛନ୍ତି। ତାଙ୍କୁ ଏହି ରେକର୍ଡ ପାଇଁ ୟୁସୁଫ ପଠାନଙ୍କୁ ପଛରେ ପକାଇବାକୁ ପଡ଼ିଥିଲା, ଯିଏ ୨୦୦୮ରେ ୩୭ ବଲରେ ଶତକ ହାସଲ କରିଥିଲେ। ମଜାର କଥା ହେଲା, ସେତେବେଳେ ବୈଭବ ସୂର୍ଯ୍ୟବଂଶୀଙ୍କର ଜନ୍ମ ମଧ୍ୟ ହୋଇନଥିଲା। ତେବେ ଆଇପିଏଲ ଇତିହାସରେ ସବୁଠାରୁ ଦ୍ରୁତ ଶତକ କ୍ରିସ ଗେଲଙ୍କ ନାମରେ ରହିଛି, ଯିଏ ୩୦ ବଲରେ ଏହି କାରନାମା କରିଥିଲେ।












Click it and Unblock the Notifications