୧୨୮ ବର୍ଷ ପରେ ଅଲମ୍ପିକରେ ସାମିଲ ହୋଇପାରେ କ୍ରିକେଟ୍
୧୨୮ ବର୍ଷ ପରେ ଅଲମ୍ପିକରେ ସାମିଲ ହୋଇପାରେ କ୍ରିକେଟ୍ । ଅନ୍ତରାଷ୍ଟ୍ରୀୟ ଅଲମ୍ପିକ୍ ସମିତି ୨୦୨୮ ଲସ୍ ଆଞ୍ଜେଲସ କ୍ରିକେଟକୁ ସାମିଲ କରିବା ପାଇଁ ବିଚାର ତାଲିକାଭୁକ୍ତ କରିଛି । କ୍ରିକେଟକୁ କେବଳ ଥରଟିଏ ଅଲମ୍ପିକରେ ସାମିଲ କରାଯାଇଥିଲା ।
ନୂଆଦିଲ୍ଲୀ: ୧୨୮ ବର୍ଷ ପରେ ଅଲମ୍ପିକରେ ସାମିଲ ହୋଇପାରେ କ୍ରିକେଟ୍ । ଅନ୍ତରାଷ୍ଟ୍ରୀୟ ଅଲମ୍ପିକ୍ ସମିତି ୨୦୨୮ ଲସ୍ ଆଞ୍ଜେଲସ କ୍ରିକେଟକୁ ସାମିଲ କରିବା ପାଇଁ ବିଚାର ତାଲିକାଭୁକ୍ତ କରିଛି । କ୍ରିକେଟକୁ କେବଳ ଥରଟିଏ ଅଲମ୍ପିକରେ ସାମିଲ କରାଯାଇଥିଲା । ୧୯୦୦ ମସିହା ପ୍ୟାରିସ ଅଲମ୍ପିକରେ ଏହାକୁ ସାମିଲ କରାଯାଇଥିଲା । ଏଥିରେ କେବଳ ବ୍ରିଟେନ୍ ଓ ଫ୍ରାନ୍ସ ସାମିଲ ହୋଇଥିଲେ ।

୧୯୦୦ ମସିହାରେ ପ୍ୟାରିସରେ ଅଲମ୍ପିକ୍ ଆୟୋଜନ କରାଯାଇଥିଲା । ଏହି ଅଲମ୍ପିକରେ କ୍ରିକେଟକୁ ସ୍ଥାନ ମିଳିଥିଲା ଆଉ ଗ୍ରେଟ୍ ବ୍ରିଟେନ୍ ସ୍ୱର୍ଣ୍ଣ ପଦକ ଜିତିଥିଲା । ହେଲେ ସେବେଠୁ ଆଉ କ୍ରିକେଟକୁ ଅଲମ୍ପିକରେ ଦେଖିବାକୁ ମିଳିନି । ଆସନ୍ତା ୨୦୨୮ ମସିହାରେ ଅଲମ୍ପିକ ଲସ୍ ଏଞ୍ଜୋଲିସରେ ହେବାକୁ ଥିବାବେଳେ, ଏହି ଅଲମ୍ପିକରେ କ୍ରିକେଟ୍ ସାମିଲ ହୋଇପାରେ ବୋଲି ସୂଚନା ମିଳୁଛି । ଇଣ୍ଟରନ୍ୟାସନାଲ ଅଲମ୍ପିକ୍ କମିଟି ଏଥିପାଇଁ ୮ଟି ଖେଳକୁ ସର୍ଟଲିଷ୍ଟ କରିଛି । ଯେଉଁଥିରେ କ୍ରିକେଟ୍ ମଧ୍ୟ ସାମିଲ ଅଛି । ତେବେ ଅଲମ୍ପିକ୍ ଆୟୋଜନ କମିଟି ଏନେଇ ଆଇସିସିର ପକ୍ଷ ରଖିବାକୁ କହିଥିଲା ।
ଇଏସପିଏନ୍ କ୍ରିକ୍ ଇନଫୋ ଅନୁସାରେ, ଲସ୍ ଆଞ୍ଜେଲସ ଅଲମ୍ପିକର ଆୟୋଜନ ସମିତି ଆଇସିସିକୁ ନିଜର ମଡେଲ ଦେବାକୁ ନିମନ୍ତ୍ରଣ କରିଥିଲା । ଯାହାର ଗୋଟିଏ ଦିନ ପରେ କ୍ରିକେଟକୁ ବିଚାର ତାଲିକାଭୁକ୍ତ କରାଯାଇଛି । ଏହା ଉପରେ ଶେଷ ନିଷ୍ପତ୍ତି ମୁମ୍ବାଇରେ ୨୦୨୩ରେ ହେବାକୁ ଥିବା ଆଇସିସି ଅଧିବେଶନ ପୂର୍ବରୁ ନିଆଯିବ ବୋଲି କୁହାଯାଉଛି ।
ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଫେବ୍ରୁଆରୀ ମାସରେ ଏକ ମିଟିଂ କରାଯାଇ ୨୮ଟି ନୂଆ ଖେଳକୁ ଆଗାମୀ ଅଲମ୍ପିକରେ ସାମିଲ କରାଯାଇଥିଲା । ତେବେ ୨୦୨୮ ଅଲମ୍ପିକ୍ସରେ କେଉଁ କେଉଁ ନୂଆ ଖେଳକୁ ସାମିଲ କରାଯିବ ତାହା ଆଗାମୀ ଦିନରେ ଜଣାପଡିପାରେ ।
ଚଳିତବର୍ଷ ଇଂଲଣ୍ଡର ବର୍ମିଙ୍ଘମରେ ଖେଳାଯାଉଥିବା ରାଜ୍ୟଗୋଷ୍ଠୀ କ୍ରୀଡାରେ କ୍ରିକେଟକୁ ସାମିଲ କରାଯାଇଛି । ଯାହାକି ୨୪ ବର୍ଷ ପରେ ହୋଇଛି । ଏହା ପୂର୍ବରୁ ୧୯୯୮ ମସିହାରେ ରାଜ୍ୟଗୋଷ୍ଠୀ କ୍ରୀଡାରେ କ୍ରିକେଟ୍ ଖେଳାଯାଇଥିଲା । ହେଲେ ଏଥର ଟି-୨୦ ଫର୍ମାଟରେ ମହିଳା କ୍ରିକେଟକୁ ରାଜ୍ୟଗୋଷ୍ଠୀ କ୍ରୀଡାରେ ସାମିଲ କରାଯାଇଛି ।












Click it and Unblock the Notifications