ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଶେଷ ଦିନରେ ଭାରତକୁ ସ୍ୱର୍ଣ୍ଣ ଦେଲେ ପିଭି ସିନ୍ଧୁ
ଭାରତୀୟ ଷ୍ଟାର ସଟଲର ପିଭି ସିନ୍ଧୁ ନାଡାର ମିଚେଲ ଲିଙ୍କୁ ୨-୦ରେ ପରାସ୍ତ କରି ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ବ୍ୟାଡମିଣ୍ଟନରେ ଇଭେଣ୍ଟରେ ପ୍ରଥମ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।
ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଶେଷ ଦିନରେ ଭାରତର ସ୍ୱର୍ଣ୍ଣରୁ ପଦକ ଯାତ୍ରା ଆରମ୍ଭ ହୋଇଛି । ଭାରତୀୟ ଷ୍ଟାର ସଟଲର ପିଭି ସିନ୍ଧୁ ପୁଣିଥରେ ଭାରତ ପାଇଁ ଗୌରବ ଆଣିଛନ୍ତି । ୨୦୧୬ ରିଓ ଅଲମ୍ପିକରେ ରୌପ୍ୟ ଓ ୨୦୨୦ ଟୋକିଓ ଅଲମ୍ପିକରେ ବ୍ରୋଞ୍ଜ ପଦକ ବିଜେତା ସିନ୍ଧୁ ରାଜ୍ୟଗୋଷ୍ଠୀରେ ସ୍ୱର୍ଣ୍ଣ ଜିତି ପୁଣିଥରେ ଇତିହାସ ଦୋହରାଇଛନ୍ତି । ସେ କାନାଡାର ମିଚେଲ ଲିଙ୍କୁ ୨-୦ରେ ପରାସ୍ତ କରି ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ବ୍ୟାଡମିଣ୍ଟନରେ ଇଭେଣ୍ଟରେ ପ୍ରଥମ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।

୨୦୧୮ରେ ତାଙ୍କର ଏହି ସ୍ୱପ୍ନ ଅଧା ରହି ଯାଇଥିଲା । ୨୦୧୮ରେ ସିନ୍ଧୁ ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ଅନ୍ୟତମ ଭାରତୀୟ ଷ୍ଟାର ସାଇନା ନେହୱାଲଙ୍କ ଠାରୁ ପରାସ୍ତ ହୋଇଥିଲେ। ସାଇନା ସ୍ୱର୍ଣ୍ଣ ଓ ସିନ୍ଧୁ ରୌପ୍ୟ ଜିତିଥିଲେ। ଚଳିତ ବର୍ଷ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସାଇନା ନଥିବାରୁ ସିନ୍ଧୁଙ୍କ ଉପରେ ସମସ୍ତଙ୍କ ନଜର ରହିଥିଲେ।
ସ୍ୱର୍ଣ୍ଣ ପଦ ପାଇଁ ଫାଇନାଲ ମ୍ୟାଚରେ କାନାଡାର ମିଶେଲ ଲିଙ୍କୁ ସିନ୍ଧୁ ୨୧-୧୫, ୨୧-୧୩ରେ ପରାଜିତ କରିଛନ୍ତି । ରାଜ୍ୟଗୋଷ୍ଠୀ କ୍ରୀଡ଼ାର ମହିଳା ଏକକ ପ୍ରତିଯୋଗିତାରେ ସିନ୍ଧୁଙ୍କର ଏହା ପ୍ରଥମ ସ୍ୱର୍ଣ୍ଣ ପଦକ ଅଟେ । ଏହା ପୂର୍ବରୁ ୨୦୧୮ ମସିହାରେ ସାଇନା ନେହୱାଲ ରାଜ୍ୟଗୋଷ୍ଠୀରେ ମହିଳା ଏକକରେ ସ୍ୱର୍ଣ୍ଣ ଜିତିଥିଲେ ।
ଲି' ହେଉଛନ୍ତି ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସ୍ୱର୍ଣ୍ଣ ପଦକ ବିଜେତା। ତେଣୁ ଆଜି ସେ ସିନ୍ଧୁଙ୍କୁ କିଛି ମାତ୍ରାରେ ସମସ୍ୟାରେ ପକାଇଥିଲେ। କିନ୍ତୁ ସିନ୍ଧୁ ନିଜର କ୍ଲାସ ଦେଖାଇଛନ୍ତି । ମ୍ୟାଚ୍ ଆରମ୍ଭରୁ ସିନ୍ଧୁ ଲିଡ ହାସଲ କରିଥିଲେ। ହେଲେ ଲି' କମବ୍ୟାକ କରିଥିଲେ। କିନ୍ତୁ ସିନ୍ଧୁ ପ୍ରଥମ ସେଟକୁ ୨୧-୧୫ରେ ଜିତି ନେଇଥିଲେ। ସେହିପରି ଦ୍ୱିତୀୟ ସେଟକୁ ମଧ୍ୟ ସିନ୍ଧୁ ୨୧-୧୩ରେ ଜିତିବା ସହ ଭାରତ ପାଇଁ ଆଉ ଗୋଟିଏ ସ୍ୱର୍ଣ୍ଣ ପକ୍କା କରିଥିଲେ ।
ଅନ୍ୟପକ୍ଷରେ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ଏହା ୫୬ ତମ ପଦକ। ଏହା ମଧ୍ୟରେ ୧୯ଟି ସ୍ୱର୍ଣ୍ଣ, ୧୫ଟି ରୌପ୍ୟ ଓ ୨୨ଟି ବ୍ରୋଞ୍ଜ ପଦକ ରହିଛି । ରେସଲିଂ ବା କୁସ୍ତିରେ ଭାରତକୁ ସର୍ବାଧିକ ୧୨ଟି ପଦକ ମିଳିଛି । ଏଥିରେ ୬ଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଓ ୫ଟି ବ୍ରୋଞ୍ଜ ପଦକ ରହିଛି । ସେହିପରି ଭାରୋତ୍ତୋଳନରେ ଭାରତୀୟ ଖେଳାଳିମାନେ ୧୦ଟି ପଦକ ଜିତିଛନ୍ତି । ଏଥିରେ ୩ଟି ସ୍ୱର୍ଣ୍ଣ, ୩ଟି ରୌପ୍ୟ ଓ ୪ଟି ବ୍ରୋଞ୍ଜ ମେଡାଲ ରହିଛି ।












Click it and Unblock the Notifications