Champions Trophy 2025: ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ କି ଟିମ୍ ଇଣ୍ଡିଆ ?
ଚାମ୍ପିୟନ୍ସ ଟ୍ରଫି 2025 ଫେବୃଆରୀରେ ପାକିସ୍ତାନରେ ଅନୁଷ୍ଠିତ ହେବାକୁ ଯାଉଛି । ହେଲେ ଭାରତୀୟ କ୍ରିକେଟ୍ ଦଳ ଏହି ହାଇପ୍ରୋଫାଇଲ ଆଇସିସି ଟୁର୍ଣ୍ଣାମେଣ୍ଟ ଖେଳିବାକୁ ପାକିସ୍ତାନ ଯିବ କି ନାହିଁ, ତାହା ଏବେ ମଧ୍ୟ ପ୍ରଶ୍ନ ହୋଇ ରହିଛି । ଏ ସମ୍ପର୍କରେ ବିଭିନ୍ନ କଳ୍ପନାଜଳ୍ପନା କରାଯାଉଛି । ଯେତେବେଳେ ସବୁକିଛି ଭାରତ ସରକାରଙ୍କ ନିଷ୍ପତ୍ତି ଉପରେ ନିର୍ଭର କରୁଥିବା କୁହାଯାଉଛି, ଏଭଳି ସମୟରେ ଭାରତର ଗୃହମନ୍ତ୍ରୀ ଅମିତ ଶାହ ଏକ ବଡ଼ ବିବୃତ୍ତି ଦେଇଛନ୍ତି । ଆତଙ୍କବାଦ ପରିସ୍ଥିତିରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ କୌଣସି ସମ୍ପର୍କ ସମ୍ଭବ ନୁହେଁ ବୋଲି ସେ ପ୍ରାୟ ସ୍ପଷ୍ଟ କରିଛନ୍ତି ।
ଭାରତୀୟ ଦଳ ପାକିସ୍ତାନ ଯିବା ନେଇ ଚିତ୍ର ସ୍ପଷ୍ଟ କଲେ ଗୃହମନ୍ତ୍ରୀ :-
'ସ୍ପୋର୍ଟ୍ସ ତକ୍' ସହ ଆଲୋଚନା ବେଳେ ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, "ଆତଙ୍କବାଦ ସମ୍ପୂର୍ଣ୍ଣ ରୂପେ ଶେଷ ନହେବା ପର୍ଯ୍ୟନ୍ତ ଆମେ ପାକିସ୍ତାନ ସହ ଆଲୋଚନା ସପକ୍ଷରେ ନାହୁଁ ।" ଅମିତ ଶାହଙ୍କ ଏହି ବିବୃତ୍ତି ପରେ ଭାରତୀୟ କ୍ରିକେଟ ଦଳ ପାକିସ୍ତାନ ଯିବ ନାହିଁ ବୋଲି ଅନୁମାନ କରାଯାଉଛି । ଅମିତ ଶାହଙ୍କ ବିବୃତ୍ତିରୁ ଏହା ସ୍ପଷ୍ଟ ହୋଇଛି ଯେ ପାକିସ୍ତାନରୁ ଆତଙ୍କବାଦ ଦୂର ନହେବା ପର୍ଯ୍ୟନ୍ତ ଭାରତୀୟ ଦଳ ପାକିସ୍ତାନ ଯାଇ ଖେଳିବ ନାହିଁ ।

ଏହାପୂର୍ବରୁ ବିସିସିଆଇର ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ମଧ୍ୟ ଭାରତୀୟ କ୍ରିକେଟ୍ ଦଳ ପାକିସ୍ତାନ ଯିବା ବିଷୟରେ ଏକ ବଡ଼ କଥା କହିଥିଲେ । ସେ କହିଥିଲେ, "ଚାମ୍ପିୟନ୍ସ ଟ୍ରଫି ପ୍ରସଙ୍ଗରେ ଭାରତ ସରକାର ଆମକୁ ଯାହା କରିବାକୁ କୁହନ୍ତି, ଆମେ ତାହା କରିବୁ । ଯେତେବେଳେ ଭାରତ ସରକାର ଆମକୁ ଅନୁମତି ଦିଅନ୍ତି, ତେବେ ଯାଇ ଆମେ ଆମ ଦଳକୁ ଅନ୍ୟ ଦେଶକୁ ପଠାଇଥାଉ । ତେଣୁ ଆମେ ଭାରତ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ କାର୍ଯ୍ୟ କରିବୁ ।" ଏଭଳି ପରିସ୍ଥିତିରେ ସରକାର ଯାହା କହିବେ ତାହା ବିସିସିଆଇ କରିବ ବୋଲି ସେ ମଧ୍ୟ ସ୍ପଷ୍ଟ କରିଥିଲେ । ବର୍ତ୍ତମାନ ଅମିତ ଶାହଙ୍କ ବିବୃତ୍ତିରୁ ଏହା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି ଯେ ପାକିସ୍ତାନକୁ ଭାରତୀୟ ଦଳ ପଠାଇବାକୁ ସରକାର ଅନୁମତି ଦେଇନପାରନ୍ତି ।"
ଜୟ ଶାହଙ୍କ ହାତରେ ପାୱାର :-
ବିସିସିଆଇ ସଚିବ ତଥା ନୂଆକରି ଆଇସିସି ଅଧ୍ୟକ୍ଷ ନିର୍ବାଚିତ ହୋଇଥିବା ଜୟ ଶାହ ହେଉଛନ୍ତି ବରିଷ୍ଠ ବିଜେପି ନେତା ତଥା ଦେଶର ଗୃହମନ୍ତ୍ରୀ ଅମିତ ଶାହଙ୍କ ପୁଅ । ଅନେକ ଥର ସେ ଭାରତୀୟ ଦଳକୁ ପାକିସ୍ତାନ ନପଠାଇବାକୁ ନିଷ୍ପତ୍ତି ନେଇଛନ୍ତି । ସେ ଏସିଆ କପରେ ମଧ୍ୟ ଭାରତୀୟ ଦଳକୁ ପାକିସ୍ତାନ ପଠାଇ ନଥିଲେ । ଏହାପରେ ଏକ ନିରପେକ୍ଷ ସ୍ଥାନରେ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା । ବର୍ତ୍ତମାନ ସେ ଆଇସିସିର ଚେୟାରମ୍ୟାନ୍ ହୋଇସାରିଛନ୍ତି ଏବଂ ଡିସେମ୍ବର 1 ତାରିଖରେ ଦାୟିତ୍ୱ ଗ୍ରହଣ କରିବେ । ତେଣୁ ଚାମ୍ପିୟନ୍ସ ଟ୍ରଫି 2025କୁ ହାଇବ୍ରିଡ ମଡେଲରେ କରିବାକୁ ତାଙ୍କ ନିକଟରେ ଯଥେଷ୍ଟ କ୍ଷମତା ରହିବ ।
ଚାମ୍ପିୟନ୍ସ ଟ୍ରଫି କେବେ ? :-
ଆସନ୍ତା ବର୍ଷ ଫେବୃଆରୀରେ ପାକିସ୍ତାନ ଚାମ୍ପିୟନ୍ସ ଟ୍ରଫି 2025 ଆୟୋଜନ କରିବାକୁ ଯାଉଛି । ଏହି ଟୁର୍ଣ୍ଣାମେଣ୍ଟ 19 ଫେବୃଆରୀରୁ ଆରମ୍ଭ ହେବାକୁ ଥିବାବେଳେ ମାର୍ଚ୍ଚ 9ରେ ଏହାର ଫାଇନାଲ୍ ମ୍ୟାଚ୍ ଖେଳାଯିବ । କ୍ରମାଗତ ଭାବରେ ସାମ୍ନାକୁ ଆସୁଥିବା ଗଣମାଧ୍ୟମ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି ଯେ ହାଇବ୍ରିଡ ମଡେଲ ଅଧୀନରେ ପାକିସ୍ତାନକୁ ଚାମ୍ପିୟନ୍ସ ଟ୍ରଫି 2025 ଆୟୋଜନ କରିବାକୁ ପଡିପାରେ । ଯେଉଁଥିରେ ଭାରତର ମ୍ୟାଚ୍ ଗୁଡ଼ିକ ପାକିସ୍ତାନ ପରିବର୍ତ୍ତେ କୌଣସି ନ୍ୟୁଟ୍ରାଲ ଭେନ୍ୟୁରେ ଖେଳାଯିବ ।












Click it and Unblock the Notifications